କେନ୍ଦ୍ର ଖଣିମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । କୋଲ ବ୍ଲକ୍ ନିଲାମ ପ୍ରକ୍ରିୟାକୁ ୩ ମାସ ଯାଏଁ ଘୁଞ୍ଚାଇବାକୁ ଚିଠିରେ ଅନୁରୋଧ

147

କନକ ବ୍ୟୁରୋ : କୋଲ୍ ବ୍ଲକ ନିଲାମ ପ୍ରକ୍ରିୟାକୁ ତିନି ମାସ ସ୍ଥଗିତ ରଖିବାକୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟ ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ରାଜ୍ୟରେ କୋଇଲା ଖଣି ନିଲାମ ପ୍ରକ୍ରିୟାକୁ ୩ ମାସ ଯାଏଁ ସ୍ଥଗିତ ରଖାଯାଉ । ଏନେଇ ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

କେନ୍ଦ୍ର ପକ୍ଷରୁ ଚିହ୍ନଟ ହୋଇଥିବା ୧୪ ଟି କୋଲ ବ୍ଲକ ମଧ୍ୟରୁ ଓଡିଶାରେ ୯ ଟି କୋଲ ବ୍ଲକ ରହିଛି । ଏହି ୯ ଟି କୋଲ ବ୍ଲକରେ ମୋଟ ୧୦,୭୫୦ ନିୟୁତ ଟନ୍ କୋଇଲା ମହଜୁଦ ଥିବା କୁହାଯାଇଥିଲା । କେନ୍ଦ୍ରର ସଂଶୋଧିତ ନିର୍ଘଣ୍ଟ ମୁତାବକ ୨୯ ସେପ୍ଟେମ୍ବର ୨୦୨୦ ରେ ବିଡ୍ ଦାଖଲର ଶେଷ ତାରିଖ ରହିଥିବା ବେଳେ ୨୦୨୦ ଅକ୍ଟୋବର ୧୯ ତାରିଖରୁ ନଭେମ୍ବର ୯ ତାରିଖ ମଧ୍ୟରେ ଇ- ନିଲାମ ପ୍ରକ୍ରିୟା ଶେଷ କରିବାକୁ ଦିନ ସ୍ଥିର ହୋଇଥିଲା ।

ଏବେ କୋଭିଡ୍ ମହାମାରୀ ପାଇଁ ଖଣିଜ କାରବାର ବେସ୍ ପ୍ରଭାବିତ ହୋଇଛି । ଏଥିସହ ବିଗତ ବର୍ଷ ତୁଳନାରେ କୋଇଲାର ବଜାର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଥିବା ଦେଖିବାକୁ ମଳିଛି । ଯଦି ଏଭଳି ସ୍ଥିତିରେ କୋଲବ୍ଲକ ନିଲାମ କରାଯାଏ ତେବେ ସର୍ବାଧିକ ନିଲାମ ଡାକ ଯଥେଷ୍ଟ କମ୍ ହେବାର ଆଶଙ୍କା ରହିଛି । ଏହି ଲିଜ୍ ଅବଧି ୩୦ ବର୍ଷ ରହିଥିବାରୁ ରାଜ୍ୟର କୋଇଲା ରାଜସ୍ୱ ଉପରେ ଏହାର ଯଥେଷ୍ଟ ପ୍ରତିକୂଳ ପଭାବ ପଡିବ ବୋଲି ମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।

ଏଥି ସହିତ ମନ୍ତ୍ରୀ ଶ୍ରୀ ମଲ୍ଲିକ ଏହି ନିଲାମ ପ୍ରକ୍ରିୟାକୁ ୩ ମାସ ଯାଏଁ ଘୁଞ୍ଚାଇବା ଲାଗି କେନ୍ଦ୍ରକୁ ନିବେଦନ କରି ଚିଠି ଲେଖିଛନ୍ତି । କୋଭିଡ୍ ପରିସ୍ଥିତିର ସୂଧାର ଆସିଲେ ଓ ଉପଯୁକ୍ତ ବଜାରରେ ଅନୁକୂଳ ପରିସ୍ଥିତି ଦେଖାଗଲା ପରେ ନିଲାମ ପ୍ରକ୍ରିୟା ଆରମ୍ଭ କରାଯିବା ପାଇଁ ଶ୍ରୀ ମଲ୍ଲିକ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି ।