ଦୁଃଖ ବୁଝିବେ ଦୀପାଲି: ରାଜନୀତିରେ ନରହି ବି ସାଧାରଣ ଲୋକଙ୍କ ସେବା କରିବେ ନବ ଦାସଙ୍କ ଝିଅ । ସମସ୍ୟା ଶୁଣି ସମାଧାନ କରିବାକୁ କଲେ ସଂକଳ୍ପ

1,038

କନକ ବ୍ୟୁରୋ: ସେବା କରିବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଝିଅ । ସକ୍ରିୟ ରାଜନୀତିରେ ନଥାଇ ମଧ୍ୟ ସାଧାରଣ ଲୋକଙ୍କ ଦୁଃଖସୁଖ ବୁଝିବେ ନବ ଦାସଙ୍କ ଝିଅ ଦୀପାଲି ଦାସ । ବାପାଙ୍କ ପ୍ରତିନିଧି ଭାବେ ସେ ଲୋକଙ୍କ ସମସ୍ୟା ବୁଝିବାକୁ ପଣ କରିଛନ୍ତି । ତେବେ ଗତ କିଛି ଦିନ ହେବ ନବ ଦାସଙ୍କ ଝିଅ ରାଜନୀତିରେ ପ୍ରବେଶ କରୁଥିବା କଥା ଚର୍ଚ୍ଚା ଆଲୋଚନା ହେଉଥିବା ବେଳେ ଆଜି ସାମ୍ବାଦିକ ସମ୍ମିଳନୀରେ ନିଜ ଆଗାମୀ ଭବିଷ୍ୟତ ଓ ଯୋଜନା ବିଷୟରେ ସ୍ପଷ୍ଟ କରିଛନ୍ତି ଦୀପାଲି ।

ନବଙ୍କ ଉତ୍ତରାଧିକାରୀ ଭାବେ ତାଙ୍କ ଦ୍ୱାରା କରାଯାଇଥିବା କାମକୁ ଦୀପାଲି ଆଗେଇ ନେବେ ବୋଲି କହିଛନ୍ତି । ବାପାଙ୍କ ପ୍ରତିନିଧି ରୂପରେ ସେ ଲୋକଙ୍କ ପାଖରେ ପହଞ୍ଚିବେ ଆଉ ତାଙ୍କ ସମସ୍ୟା ଶୁଣି ବାପାଙ୍କୁ କହିବେ ବୋଲି ଦୀପାଲି କହିଛନ୍ତି । ଆଉ ସେଥିପାଇଁ ସେ ପ୍ରତି ମାସ ଭିନ୍ନ ଭିନ୍ନ ବ୍ଲକକୁ ଗସ୍ତ କରି ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରିବେ ।

ନବ ଦାସ ସ୍ୱାସ୍ଥ୍ୟମନ୍ତ୍ରୀ ହେବା ପରେ ତାଙ୍କ ନିର୍ବାଚନ ମଣ୍ଡଳୀକୁ ସେତେଟା ସମୟ ଦେଇପାରୁନାହାନ୍ତି । ତେଣୁ ତାଙ୍କ ଜାଗାରେ ଝିଅ ଦୀପାଲି ଲୋକଙ୍କ ପାଖକୁ ଯାଇ ତୃଣମୂଳ ସ୍ତରର ସମସ୍ୟା, ଅସୁବିଧା ବୁଝି ବାପାଙ୍କ ପାଖରେ ପହଞ୍ଚାଇବାକୁ ଯୋଜନା ରଖିଛନ୍ତି । ତେବେ ସେବା ମନବୃତି ରଖିଥିବା ଦୀପାଲି ସ୍ଥାନୀୟ ଅଞ୍ଚଳର ପାଣି, ରାସ୍ତା ଓ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଅଧିକ ଗୁରୁତ୍ୱ ଦେବେ ବୋଲି ଜଣାଇଛନ୍ତି ।

ନାରୀ ଶିକ୍ଷା ଉପରେ ଅଧିକ ଫୋକସ କରି ସେମାନଙ୍କୁ ତଳ ସ୍ତରରୁ ଉପରକୁ ନେବାକୁ ସେ ଅହରହ ଉଦ୍ୟମ କରିବେ । ତେବେ ଇନ୍ଦିରା ଗାନ୍ଧୀଙ୍କୁ ଜୀବନର ଆଦର୍ଶ ମାନିଥିବା ଦୀପାଲି ପଲିଟିକ୍ସରେ କେବେ ପାଦ ଦେବେ ତାହା ସ୍ପଷ୍ଟ କରି ନାହାନ୍ତି ।

ତେବେ ନବଙ୍କ ପରି ଲୋକେ ତାଙ୍କୁ କେତେ ଦୂର ଗ୍ରହଣ କରିବେ ସେ ପ୍ରଶ୍ନରେ ଉତ୍ତର ରଖି ଦୀପାଲି କହିଛନ୍ତି କି ମୁଁ ମୋର କର୍ତ୍ତବ୍ୟ କରିବି, ଲୋକଙ୍କ ନିକଟତର ହେବି ଆଉ ସେମାନଙ୍କ ସେବା କରିବାକୁ ଚେଷ୍ଟା କରିବି । ବିଧିବଦ୍ଧ ନହେଲେ ମଧ୍ୟ ଅନେକ ଦିନରୁ ରାଜନିତିରେ ମୋର ଏଣ୍ଟ୍ରି ହୋଇସାରିଛି ବୋଲି ଦୀପାଲି କହିଛନ୍ତି । ତେବେ ସେବା କଥା କହି ପଲିଟିକ୍ସରେ ପାଦ ଦେବାକୁ ସଙ୍କେତ ଦେଇଥିବା ଦୀପାଲି ଆଗାମୀ ଦିନରେ ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ପାଇଁ କି କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।