କନକ ବ୍ୟୁରୋ: ଧନୁଯାତ୍ରା ମଞ୍ଚରେ ଛିଡାହେଲେ ବାଲିଯାତ୍ରା ପାଇଁ ଘୋଷଣା କଲେ । ଗୋଟିଏ ଯାତ୍ରାରେ ଛିଡା ହୋଇ ଅନ୍ୟଏକ ଯାତ୍ରାର ପ୍ରସାର ପ୍ରଚାର ପାଇଁ ଘୋଷଣା କଲେ ମନ୍ତ୍ରୀ । କରିଥିବା ଭୁଲକୁ ଥରକେ ସୁଧାରି ପାରିଲେନି ଯେ କଂସ ଦରବାରରେ ଛିଡା ହୋଇ ବି ବାରମ୍ବାର ସେ ଭୁଲକୁ ଦୋହରାଉଥିଲେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ତେବେ ମନ୍ତ୍ରୀଙ୍କ ଏଭଳି ଭୁଲକୁ ସୁଧାରିବା ପାଇଁ ଭାଷଣ ମଝିରେ କଂସ ପ୍ରଶ୍ନ କରିଥିଲେ ।

Advertisment

ତେବେ କଂସ ଦରବାରରେ ବରଗଡ ଧନୁଯାତ୍ରାକୁ ବାରମ୍ବାର ବାଲିଯାତ୍ରା ବୋଲି ସମ୍ବୋଧନ କରି ମନ୍ତ୍ରୀ କହିଥିଲେ, ଏହି ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ମହୋତ୍ସବ ଭାବେ ଘୋଷଣା କରାଯିବ । ତେବେ ମନ୍ତ୍ରୀଙ୍କ ଏହି ଭାଷଣରେ ଦ୍ୱନ୍ଦ୍ୱରେ ପଡିଯାଇଥିଲେ କଂସ ମହାରାଜ । ମନ୍ତ୍ରୀଙ୍କୁ ପଚାରିଥିଲେ ଏହା ଧନୁଯାତ୍ରା ନା ବାଲିଯାତ୍ରା ? ଆଉ ଶେଷରେ ମନ୍ତ୍ରୀ ଚିହିଁକି ଉଠିଥିଲେ ଆଉ କେହି କିଛି କହିବା ଆଗରୁ ଭୁଲ ସୁଧାରି ଧନୁଯାତ୍ରା ବୋଲି କହିଥିଲେ ।

ମନ୍ତ୍ରୀ ସିନା ମଞ୍ଚରେ ଯେଉଁ ଦମ୍ଭରେ କହିଥିବା କଥାକୁ ସୁଧାରିନେଇ ସମସ୍ତେ ଜାଣିବା ଆଗରୁ ଢୋକିଦେଲେ ହେଲେ ସମସ୍ତଙ୍କ ସାମ୍ନାରେ ନିଜ ଅଜ୍ଞତାର ପରିଚୟ ଦେଇଦେଲେ । ୨୦୧୪ ମସିହାରୁ ଧନୁଯାତ୍ରାକୁ ଜାତୀୟ ଉତ୍ସବର ମାନ୍ୟତା ମିଳିଥିଲେ ହେଁ ଏବେ ରାଜ୍ୟସ୍ତରୀୟ ମହୋତ୍ସବର ମାନ୍ୟତା ଦେବାକୁ ଯୋଜନା ହେଉଥିବା ମନ୍ତ୍ରୀ କହିଥିଲେ । ଯାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।

ତେବେ କେବଳ ଧନୁଯାତ୍ରାରେ ନୁହେଁ ପୂର୍ବରୁ ମଧ୍ୟ ଅନେକ ଥର ବିବାଦ ଘେରକୁ ଆସିଛନ୍ତି ମନ୍ତ୍ରୀ ପାଣିଗ୍ରାହୀ । ସରକାରୀ ଟଙ୍କାରେ ଅଜଣା ମହିଳାଙ୍କ ସହ ହାଇଦ୍ରାବାଦ ଯିବା ନେଇ ବିରୋଧୀ ଅଭିଯୋଗ କରିବା ପରେ ବିଧାନସଭାରେ ତମ୍ବିତୋଫାନ ହୋଇଥିଲା । ଆଉ ଏବେ ପୁଣି ଥରେ ଧନୁଯାତ୍ରାରେ ଛିଡାହୋଇ ବାଲିଯାତ୍ରା କଥା କହି ବିବାଦୀୟ ହୋଇପଡିଛନ୍ତି ମନ୍ତ୍ରୀ ପାଣିଗ୍ରାହୀ ।