ଏସି କୋଚରେ ମାତିଲେ ଚୋର ! ନେଇଗଲେ ମନ୍ତ୍ରୀଙ୍କ ଭ୍ୟାନିଟି ବ୍ୟାଗ

41

କନକ ବ୍ୟୁରୋ : ରାଜ୍ୟ ବୈଷୟିକ ଶିକ୍ଷାମନ୍ତ୍ରୀ ଉଷାଦେବୀ । ଟ୍ରେନରେ ଯାତ୍ରା କରିବା ସମୟରେ ମନ୍ତ୍ରୀଙ୍କ ସମସ୍ତ ସାମଗ୍ରୀ ଚୋରି ହୋଇଯିବା ଘଟଣାକୁ ନେଇ ଚର୍ଚ୍ଚା । ଲଗେଜ, ବ୍ୟାଗ ସହ ମୋବାଇଲ ଓ ନଗଦ ଟଙ୍କା ଲୁଟି ନେଇଛନ୍ତି ଅଜଣା ଦୁର୍ବୃତ । ମନ୍ତ୍ରୀଙ୍କ ଲିଖିତ ଏତଲା ପରେ ବି ଚୋର ଧରାପଡିନାହାନ୍ତି କି ଚୋରି ସାମଗ୍ରୀ ମିଳିନାହିଁ । ଆଉ ଏଭଳି ଖବର ପ୍ରତିଦିନ ଟ୍ରେନରେ ଯାତ୍ରା କରୁଥିବା ହଜାର ହଜାର ସାଧାରଣ ଯାତ୍ରୀଙ୍କ ଜିନିଷର ସୁରକ୍ଷାକୁ ନେଇ ବଡ ପ୍ରଶ୍ନ ଚିହ୍ନ ଲଗାଇଛି ।

ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଉଷାଦେବୀଙ୍କ ବ୍ୟାଗ ଚୋରି । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ । ଏନେଇ ମନ୍ତ୍ରୀ ରେଳବାଇ ପୋଲିସରେ ଏତଲା ଦେବା ପରେ କଥା ସାମ୍ନାକୁ ଆସିଛି । ସରକାରୀ ଗସ୍ତରେ କଂଟାବାଜି ଯିବା ଲାଗି ମନ୍ତ୍ରୀ ଉଷାଦେବୀ ଭୁବନେଶ୍ୱର ଷ୍ଟେସନରେ ପୁରୀ- ଦୁର୍ଗ ଏସ୍କପ୍ରେସ ଟ୍ରେନରେ ଚଢିଥିଲେ । ଏ-ୱାନ ଦ୍ୱିତୀୟ ଶ୍ରେଣୀ ଏସି ବଗିର ୪୩ ନମ୍ବର ସିଟରେ ଯାତ୍ରା କରୁଥିଲେ ମନ୍ତ୍ରୀ । ସାଙ୍ଗରେ ଥିଲେ ପି.ଆର ଦେବ ଓ ପିଏସଓ ବିଭୁତି ଭୂଷଣ ଦାସ । ତେବେ ରାତିରେ ଶୋଇବା ପରେ ତାଙ୍କ ଲଗେଜ, ଭ୍ୟାନିଟି ବ୍ୟାଗ, ମୋବାଇଲ ଫୋନ ସହ ୨୫ ହଜାର ନଗଦ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ ।

minister bag stolenମନ୍ତ୍ରୀ ଦେଇଥିବା ଏତଲା ଅନୁସାରେ ରାତି ପ୍ରାୟ ଗୋଟାଏରୁ ୨ଟା ମଧ୍ୟରେ ଏସବୁ ସାମଗ୍ରୀ ଚୋରି ହୋଇଛି । ଆଉ ସବୁଠାରୁ ବଡକଥା ହେଉଛି ସାଙ୍ଗରେ ପିଏସଓ ଥିବା ସତ୍ୱେ ସମସ୍ତ ଜିନିଷ ଚୋରି ହୋଇଛି । ଯାହା ଭିତରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ମୋବାଇଲ ଫୋନ ମଧ୍ୟ ରହିଛି । ମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମରେ ଯାଉଥିବାରୁ ଲଗେଜ ଓ ଗ୍ୟାବରେ କିଛି ଗୁରୁତ୍ୱପୂଣ୍ଣ କାଗଜପତ୍ର ଥିବା ଅନୁମାନ କରାଯାଉଛି । ତାଠାରୁ ସାଂଘାତିକ କଥା ହେଉଛି ମନ୍ତ୍ରୀ କଣ୍ଟାବାଞ୍ଜି ଷ୍ଟେସନରେ ପହଂଚିବା ପରେ ଏନେଇ ଜିଆରପିରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ନା ଚୋରଙ୍କ ପତା ମିଳୁଛି ନା ଚୋରି ସାମଗ୍ରୀ ମିଳିପାରୁଛି ।

ପ୍ରତିଦିନ ଟ୍ରେନ ଯୋଗେ ହଜାର ହଜାର ଯାତ୍ରୀ ଯିବା ଆସିବା କରୁଛନ୍ତି । ତେଣୁ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି, ରାଜ୍ୟର ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ଜିନିଷ ଯେତେବେଳେ ସୁରକ୍ଷିତ ନୁହେଁ ସେଠି ସାଧାରଣ ନାଗରିକଙ୍କ ଧନଜୀବନକୁ କିଭଳି ସୁରକ୍ଷା ଯୋଗାଇ ଦେବ ରେଳବାଇ?