ପ୍ରଶ୍ନ ଗୋଟେ, ଉତର ଆଉ ଗୋଟେ । ବିଧାନସଭାରେ ସଦସ୍ୟଙ୍କ ପ୍ରଶ୍ନର ନିଦ୍ଦିଷ୍ଟ ଉତର ରଖୁନଥିବା ଅଭିଯୋଗ ଆଣିଲେ ଉଭୟ ଶାସକ ଓ ବିରୋଧୀ ଦଳ ବିଧାୟକ

259

କନକ ବ୍ୟୁରୋ : ବିଧାନସଭାରେ ବାଚସ୍ପତିଙ୍କ ରୁଲିଂକୁ ବେଖାତିର କରାଯାଉଛି । ଆଜି ଗୃହରେ ଏନେଇ ଅଭିଯୋଗ କରିଛନ୍ତି ବିଧାୟକ । ବଡ କଥା ହେଉଛି, ବିରୋଧୀ ଦଳ ବିଧାୟକଙ୍କ ସହ ସମାନ ଅଭିଯୋଗ ଆଣିଛନ୍ତି ଶାସକ ଦଳର ବିଧାୟକ ।

ଗୃହରେ ରାଜ୍ୟର ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ଉଠାଉଛନ୍ତି ସଦସ୍ୟ, ପ୍ରସଙ୍ଗକୁ ନେଇ ରୁଲିଂ ଦେଉଛନ୍ତି ବାଚସ୍ପତି, ହେଲେ ମନ୍ତ୍ରୀଙ୍କ ନିର୍ଦ୍ଦିଷ୍ଟ ଉତର ଆସୁନଥିବା ଅଭିଯୋଗ କରିଛନ୍ତି ସଦସ୍ୟ । ଅଭିଯୋଗ କେବଳ ବିରୋଧୀ ଦଳର ସଦସ୍ୟଙ୍କର ନୁହେଁ, ଶାସକଦଳର ସଦସ୍ୟ ବି ସମାନ ଅଭିଯୋଗ ଆଣିଛନ୍ତି । ଓଡ଼ିଆକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିବା ପରେ କାହିଁକି କେନ୍ଦ୍ରୀୟ ଅନୁଦାନ ଆସୁ ନାହିଁ ଏବଂ ରାଜ୍ୟ ସରକାର କାହିଁକି ଆବେଦନ କରୁନାହିଁନ୍ତି ବୋଲି ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଏହି ପ୍ରସଙ୍ଗରେ ଯେତେବେଳେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉତର ରଖିଥିଲେ, ତାହା ଗୃହର ସଦସ୍ୟଙ୍କୁ ସନ୍ତୁଷ୍ଟ କରିପାରିନଥିଲା । ଆଉ ଏହାକୁ ନେଇ ବର୍ଷିଥିଲେ ବିଜେଡି ବିଧାୟକ ରାଜେନ୍ଦ୍ର ସାହୁ ଏବଂ କିଶୋର ମହାନ୍ତି ।

ଠିକ୍ ଅନୁରୂପ ଭାବରେ ଧାନର ମାନକୁ ନେଇ ନରସିଂହ ମିଶ୍ର ଉଠାଇଥିବା ପ୍ରଶ୍ନର ସନ୍ତୋଷ ଜନକ ଉତର ମିଳିନଥିବା ଅଭିଯୋଗ ହୋଇଛି । ଏପଟେ ଶୂନ୍ୟକାଳରେ ବରିଷ୍ଠ ବିଧାୟକ ଅମର ଶତପଥୀ ଆଇନ, ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗରେ ଦୀର୍ଘଦିନ ଧରି ପଡ଼ି ରହିଥିବା ମାମଲା ପ୍ରତି ବିଭାଗର ବିମୁଖତା ନେଇ ବର୍ଷିଥିଲେ । ଆଉ ପୁରା ପ୍ରସଙ୍ଗରେ ବିରୋଧୀ କହିଛନ୍ତି ବାଚସ୍ପତିଙ୍କ ରୁଲିଂକୁ ଅବମାନନା କରୁଛନ୍ତି ମନ୍ତ୍ରୀ ।