ମନ୍ତ୍ରୀ କଲେ ମାନହାନି ମୋକଦ୍ଦମା । କହିଲେ, ନିର୍ଦ୍ଦିଷ୍ଟ ଗଣମାଧ୍ୟମ ମୋତେ ବଦନାମ କରୁଛି, ଚରିତ୍ର ସଂହାର କରୁଛି । 

1,089

କନକ ବ୍ୟୁରୋ : ମମିତା ହତ୍ୟାକାଣ୍ଡ  ଘଟଣାରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର । ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ଦିବ୍ୟଶଙ୍କରଙ୍କ ନାଁରେ ବିରୋଧୀ ବାରମ୍ବାର ଅଭିଯୋଗ ଆଣୁଥିବା ବେଳେ ଆଜି ପ୍ରଥମଥମର ପାଇଁ ବିବୃତି ରଖିଛନ୍ତି । ମମିତାଙ୍କ ମୃତ୍ୟୁ ପାଇଁ ଦୁଃଖପ୍ରକାଶ କରିବା ସହ ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦିବ୍ୟଶଙ୍କର । ଏପରିକି ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବା ଆବଶ୍ୟକ ବୋଲି କହିଛନ୍ତି ମନ୍ତ୍ରୀ ।

ଏହାଛଡା ଦିବ୍ୟଶଙ୍କର କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମର ନ୍ୟୁଜ୍ ପ୍ରସାରଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ମିଥ୍ୟା ଆଧାରେରେ କିଛି ଗଣମାଧ୍ୟମ ମୋତେ ବଦନାମ କରିବା ସହ ମୋର ଚରିତ୍ର ସଂହାର କରିବା ପାଇଁ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହା ମୋ ପରିବାରକୁ ଆଘାତ ଦେଇଛି । ମିଥ୍ୟା ମନଗଢା କାହାଣୀ ଓ ଭିତ୍ତିହୀନ ଅଭିଯୋଗ ଆଣି ଚରିତ୍ର ସଂହାର କରି ମାନସିକ ନିର୍ଯ୍ୟାତନା ଦେଇଥିବାରୁ କୋର୍ଟରେ ନିର୍ଦ୍ଦିଷ୍ଟ ୩ଟି ଗଣମାଧ୍ୟମ ନାଁରେ ମାନହାନି ମୋକଦ୍ଦମା ରୁଜୁ କରିଛନ୍ତି ମନ୍ତ୍ରୀ । ଗଣମାଧ୍ୟମ ଲଗାତାର ମୋର ନିରବତାକୁ ନେଇ ପ୍ରଶ୍ନ କରୁଛନ୍ତି । କିନ୍ତୁ ଏଭଳି ଏକ ଜଘନ୍ୟ ଅପରାଧରେ ମନ୍ତବ୍ୟ ଦେବା ଠାରୁ ମୁଁ ଦୂରେଇ ରହୁଥିଲି । ଯାହାଦ୍ୱାରା ତଦନ୍ତକାରୀ ସଂସ୍ଥା ନିଜର ତଦନ୍ତକୁ ନିରପେକ୍ଷ ଭାବେ ଆଗକୁ ନେବେ । କିନ୍ତୁ ମୋ ବିରୋଧରେ ନିଦ୍ଦିଷ୍ଟ ଗଣମାଧ୍ୟମରେ ଯେଉଁ ମିଥ୍ୟା ମନଗଢା କାହାଣୀ ପରିବେଷଣ କରାଗଲା ତାହାକୁ ଦୃଷ୍ଟିରେ ରଖି ମୁହଁ ଖୋଲିବାର ଆବଶ୍ୟକତା ଥିବା ଅନୁଭବ କଲି ବୋଲି କହିଛନ୍ତି ଦିବ୍ୟଶଙ୍କର ।

ମୋତେ ବଦନାମ କରିବା ଅଭିଯାନରେ ସାମିଲ ହୋଇ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଓଡ଼ିଶାରେ ଖରାପ ପରମ୍ପରା ସୃଷ୍ଟି କରିଛନ୍ତି । ଏଭଳି ଜଘନ୍ୟ ଅପରାଧରେ ରାଜନୈତିକ ଲାଭ ପାଇଁ ଗଣମାଧ୍ୟମର କିଛି ଗୋଷ୍ଠୀ ଏହି ଅଭିଯାନ ଆରମ୍ଭ କରିଛନ୍ତି । ଏହାଛଡା ଯଦି ବିରୋଧୀ ଦଳ ପାଖରେ କୌଣସି ପ୍ରମାଣ ଅଛି ତେବେ ଏହାକୁ ପୋଲିସ କିମ୍ବା କୋର୍ଟରେ ଦିଅନ୍ତୁ । ଯଦି ପ୍ରମାଣ ମିଳିଲା ତେବେ କେବଳ ମନ୍ତ୍ରୀ ପଦରୁ ନୁହେଁ ବରଂ ସାଧାରଣ ଜୀବନରୁ ସନ୍ୟାସ ନେଇଯିବି । ରାଜନୈତିକ ଏଜେଣ୍ଡା ପାଇଁ ଗଣମାଧ୍ୟମକୁ ବ୍ୟବହାର ନ କରିବାକୁ ଅନୁରୋଧ କରିଛନ୍ତି ମନ୍ତ୍ରୀ । ମୁଁ ମା’ ମାଣିକେଶ୍ୱରୀଙ୍କ ନାମରେ ଶପଥ କରୁଛି, ଏହି ଅପରାଧ ସହ ମୋର କୌଣସି ସମ୍ପର୍କ ନାହିଁ ।