ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । କହିଲେ ଏହି ଅପରାଧ ସହ ମୋର ନାହିଁ କୌଣସି ସମ୍ପର୍କ ।

330

କନକ ବ୍ୟୁରୋ: ମମିତା ମେହେର ହତ୍ୟା ମାମଲାରେ ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ବହୁ ବାଦ ବିବାଦ ପରେ ଶେଷରେ ବିବୃତି ରଖିଛନ୍ତି ମନ୍ତ୍ରୀ । ନିଜ ପ୍ରତିକ୍ରିୟାରେ କ୍ୟାପଟେନ କହିଛନ୍ତି ଏହି ଅପରାଧ ସହ ମୋର କୌଣସି ସମ୍ପୃକ୍ତି ନାହିଁ । ମମିତା ଘଟଣାରେ କିଛି ଗଣମାଧ୍ୟମ ମୋତେ ବଦନାମ କରିଛନ୍ତି ।

ତେବେ ମମିତା ମେହେରଙ୍କ ମୃତ୍ୟୁ ପାଇଁ ସେ ଦୁଃଖିତ ଓ ମର୍ମାହତ । ଜଣେ ବାପା ଓ ମମିତାଙ୍କ ପରିବାର କେମିତି ଦୁଃଖ ଓ ଯନ୍ତ୍ରଣାରେ ଥିବେ ତାହା ମୁଁ ବୁଝିପାରୁଛି । ମମିତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି । ଆଇନ ଅନୁଯାୟୀ ଦୋଷୀଙ୍କୁ ଦଣ୍ଡ ଦିଆଯିବ ବୋଲି ମନ୍ତ୍ରୀ ନିଜ ବିବୃତିରେ କହିଛନ୍ତି ।

ଏହି ଘଟଣାରେ କିଛି ଗଣମାଧ୍ୟମ ମୋତେ ବଦନାମ କରିବା ଆରମ୍ଭ କଲେ । ମୋ ଚରିତ୍ର ସଂହାର ଅଭିଯାନ ମୋ ପରିବାରକୁ ଆଘାତ ଦେଇଛି । ମୁଁ ବ୍ୟଥିତ ହେଲି ଯେତେବେଳେ ମିଥ୍ୟା ଆଧାରରେ କିଛି ଗଣମାଧ୍ୟମ ମୋ ବିରୋଧରେ ବଦନାମ ଗାଇବା ଆରମ୍ଭ କଲେ । ତେଣୁ ୩ଟି ଗଣମାଧ୍ୟମ ନାଁରେ ମାନହାନୀ ମୋକଦ୍ଦମା କରିଛି । ମନଗଢା ଅଭିଯୋଗ ଆଣିବାରୁ ଏହି ପଦକ୍ଷେପ ସେ ନେଇଛନ୍ତି ବୋଲି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ।

ଏହାରି ଭିତରେ ବିରୋଧୀଙ୍କୁ ପ୍ରମାଣ ମାଗିଲେ ମନ୍ତ୍ରୀ । ଯଦି ଏହି ପ୍ରସଙ୍ଗରେ ମୋ ବିରୁଦ୍ଧରେ କିଛି ପ୍ରମାଣ ଅଛି ତେବେ ଦୟାକରି ପୋଲିସ କିମ୍ବା କୋର୍ଟରେ ଦାଖଲ କରନ୍ତୁ । ମୁଁ କେବଳ ମୋ ପଦରୁ ଇସ୍ତଫା ଦେବିନି ବରଂ ସାଧାରଣ ଜୀବନରୁ ସନ୍ୟାସ ନେବି ବୋଲି ବିରୋଧୀ ରାଜନୈତିକ ଦଳ ଓ ଗଣମାଧ୍ୟମକୁ କହିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।