ଦିବ୍ୟଶଙ୍କର ମିଶ୍ର । ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ, ଶିଳ୍ପ, ବିଦ୍ୟୁତ ଏବଂ ଏମଏସଏମଇ ବିଭାଗର ଦାୟିତ୍ୱ ମଧ୍ୟ ତାଙ୍କ ହାତରେ । ଦେଖିବାକୁ ଗଲେ ନବୀନଙ୍କ କ୍ୟାବିନେଟର ପାୱାରଫୁଲ ମନ୍ତ୍ରୀ ମାନଙ୍କ ମଧ୍ୟରୁ ଜଣେ । ହେଲେ ଏବେ ମମିତା ମେହେର ମୃତ୍ୟୁ ମାମଲାରେ ଛନ୍ଦି ହୋଇ ସଂପୁର୍ଣ୍ଣ ବିବାଦୀୟ । ସ୍ଥିତି ଏମିତି ଯେ ତାଙ୍କ ଇସ୍ତଫା ଦାବିରେ ଅଡି ବସିଛନ୍ତି ବିରୋଧୀ । ଦଳୀୟ ମହଲର ସୂଚନା ଅନୁସାରେ, ଦିବ୍ୟଶଙ୍କରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଯଥେଷ୍ଟ ସମ୍ଭାବନା ରହିଛି, ଆଉ ଏହାର ପ୍ରାରମ୍ଭିକ ପ୍ରମାଣ ମଧ୍ୟ ମିଳିଛି, ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତ କାର୍ଯ୍ୟକ୍ରମରୁ ।
ବିଜୁ ସ୍ମାର୍ଟ ହେଲଥ କାର୍ଡ ବାଂଟିବା ପାଇଁ ଶୁକ୍ରବାର ମୟୁରଭଞ୍ଜ ଯାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବଭଳି ଜିଲ୍ଲାର ଗୋଟିଏ ସ୍ଥାନରେ ନିଜେ ନବୀନ କାର୍ଡ ବାଂଟିବା ଶୁଭାରମ୍ଭ କରିଥାନ୍ତେ ଓ ଏଥିସହ ଜିଲ୍ଲାର ବ୍ଲକ ଏବଂ ସହରାଂଚଳରେ ମନ୍ତ୍ରୀ, ବିଧାୟକ, ନେତା ସପ୍ତାହେ ଧରି ଏହି କାର୍ଯ୍ୟକ୍ରମ ଜାରି ରଖିଥାନ୍ତେ । ଏହି ଧାରାରେ ଏକାଧିକ ଜିଲ୍ଲାରେ ବିଜୁ ସ୍ମାର୍ଟ ହେଲଥ କାର୍ଡ ବାଂଟିବା କାର୍ଯ୍ୟକୁ ତୃଣମୁଳ ଯାଏଁ ନେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ଆଉ କାର୍ଯ୍ୟକାରୀ ବି କରାଯାଇଥିଲା । ମୟୁରଭଞ୍ଜ ପାଇଁ ମଧ୍ୟ ଏକ ତାଲିକା ପ୍ରସ୍ତୁତ ହୋଇଥିଲା । ଏହା ଅନୁସାରେ ଉଦଳା ବ୍ଲକ ପାଇଁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ନାଁ ସ୍ଥାନ ପାଇଥିଲା । ହେଲେ ମମିତା ମେହେର ମୃତ୍ୟୁ ମାମଲାରେ ବିବାଦୀୟ ହୋଇଥିବା ମନ୍ତ୍ରୀଙ୍କୁ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲା ।
ବାସ୍, ଏହି ଗୋଟିଏ କଥାରୁ ହିଁ ବଡ ସଂକେତ ମିଳୁଛି ଯେ, ଦିବ୍ୟଶଙ୍କରଙ୍କୁ ନେଇ ବିଜେଡିର ପାୱାର ସର୍କଲ ବେଶ୍ ଚିନ୍ତିତ । ନଚେତ୍ କାହିଁକି ମୟୁରଭଞ୍ଜ କାର୍ଯ୍ୟକ୍ରମରୁ କ୍ୟାପଟେନଙ୍କୁ ଦୁରେଇ ଦିଆଗଲା । କ୍ୟାପଟେନ ନିଜ ଆଡୁ ଯିବାକୁ ଆଗ୍ରହ ପ୍ରକାଶ କଲେନି ନା ତାଙ୍କ ନିକଟକୁ ଫୋନ ଗଲା କାର୍ଯ୍ୟକ୍ରମରେ ସାମିଲ ନହେବାକୁ । କାରଣ ଆମ ନିକଟରେ ଥିବା ତାଲିକାରେ ସମସ୍ତଙ୍କୁ ୨୧ ତାରିଖ ସୁଦ୍ଧା ମୟୁରଭଞ୍ଜରେ ପହଁଚିବାକୁ କୁହାଯାଇଥିଲା । ଏଥିରେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କର ନାଁ ରହିଥିଲା । ସ୍ୱାଭାବିକ ଭାବେ ଏହି ତାଲିକା ପ୍ରସ୍ତୁତ ହେଲା ବେଳକୁ କ୍ୟାପଟେନ ବିବାଦୀୟ ହୋଇନଥିଲେ । ଆଉ ଯେତେବେଳେ ଏକ ହତ୍ୟା ମାମଲାରେ ସେ ସନ୍ଦେହ ଘେରକୁ ଆସୁଛନ୍ତି ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ତାଙ୍କୁ ଦୁରେଇ ରଖାଯାଇଥିବା ଅନୁମାନ କରାଯାଉଛି । ହେଲେ ଏହି ନିଷ୍ପତି କିଏ ନେଲା, ତାକୁ ନେଇ ଏବେ ବଡ ଧରଣର ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ନିଜେ କ୍ୟାପଟେନଙ୍କୁ ଦୁରେଇ ରହିବାକୁ ନିର୍ଦ୍ଦେଶ ଦେଲେ ନା ଦଳର କ୍ଷମତାଶାଳୀ ଗୋଷ୍ଠୀ ଦିବ୍ୟଶଙ୍କରଙ୍କୁ ଦୁରେଇ ରଖିବାକୁ ରଣନୀତି କରିଥିଲେ?
ଏହି ପୁରା ଘଟଣାକ୍ରମରୁ ଯେଉଁ ଦିଗ ସବୁଠାରୁ ଅଧିକ ଚର୍ଚ୍ଚା ସୃଷ୍ଟି କରୁଛି ତାହେଲା, ଯଦି ସନ୍ଦେହ ଘେରକୁ ଆସିଥିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ କ୍ୟାପଟେନଙ୍କୁ ଦୁରେଇ ରଖାଗଲା, ତେବେ ସେ ନବୀନଙ୍କ କ୍ୟାବିନେଟରେ କିଭଳି ବିଶ୍ୱାସ ବଜାୟ ରଖିପାରୁଛନ୍ତି? ଯଦି ସରକାରୀ କାର୍ଯ୍ୟକ୍ରମରେ ମନ୍ତ୍ରୀ ସାମିଲ ହେଲେ ମୁଖ୍ୟମନ୍ତ୍ରୀଙ୍କ ଆଡକୁ କଥା ଉଠିବ ବୋଲି ଦଳର ପାୱାରଫୁଲ ନେତା ଚିନ୍ତା କରୁଛନ୍ତି ତେବେ କ୍ୟାବିନେଟରେ ରହିଲେ କଣ ମୁଖ୍ୟମନ୍ତ୍ରୀ ବଦନାମ ହେବେନାହିଁ କି? ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ଯେତେବେଳେ ବଦନାମ ହେଉଛନ୍ତି ସେତେବେଳେ ସେ ଯେଉଁ ପଦପଦବୀରେ ରହିଲେ ଅବା କାର୍ଯ୍ୟକ୍ରମରେ ସାମିଲ ହେଲେ କଥା ବୁଲି ଶାସନ ମୁଖ୍ୟଙ୍କ ଆଡକୁ ହିଁ ଆସିବ । ଆଉ ଏଭଳି ସ୍ଥଳେ କ୍ୟାପଟେନ ଅଧିକ ଦିନ ମନ୍ତ୍ରୀମଣ୍ଢଳରେ ସ୍ଥାନ ବଜାୟ ରଖିବା ଉଭୟ ସରକାର ଓ ନବୀନଙ୍କ ଭାବମୁର୍ତି ଉପରେ ଆଂଚ ଆଣିବ ।
ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଗୁରୁତର ସହ ନେଉଛନ୍ତି କି ନାହିଁ ତାହା ସମୟ କହିବ, ହେଲେ ପୂର୍ବରୁ ଯେଉଁ ଶାଣିତ ଆଭିମୁଖ୍ୟ ଦେଖାଇ ନବୀନ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ ଏବେ ସେଥିରେ ବିରାମ ଲାଗିଥିବା କଥା ଚର୍ଚ୍ଚା ହେଉଛି । ହେଲେ କାହିଁକି ଏଭଳି ସ୍ଥିତି? କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଆଉ ଗୋବିନ୍ଦ ସାହୁଙ୍କ ଘନିଷ୍ଠତା ଏବଂ ସଂପର୍କକୁ ନେଇ ପୁଂଜା ପୁଂଜା ଅଭିଯୋଗ ସମସ୍ତଙ୍କ ସାମ୍ନାରେ । ହେଲେ ଦୁର୍ନୀତିର ଛାଇ ପଡିଲେ ମନ୍ତ୍ରୀଙ୍କୁ ବାଦ୍ ଦେଉଥିବା ନବୀନ ଏବେ କିନ୍ତୁ ସଂପୁର୍ଣ୍ଣ ବିବାଦୀୟ ହେଲେ ମଧ୍ୟ ମନ୍ତ୍ରୀଙ୍କୁ କ୍ୟାବିନେଟରୁ ବାଦ୍ ଦେଉନାହାନ୍ତି । ଏହା କଣ ସଂକେତ ଦେଉଛି, ତାକୁ ନେଇ ଏବେ ରାଜନୈତିକ ମହଲ ବି ସନ୍ଦେହରେ ରହିଛି ।
ବିଜେଡି ମହଲରେ ଚାଲିଥିବା ଚର୍ଚ୍ଚା ଅନୁସାରେ, କ୍ୟାପଟେନଙ୍କୁ ମନ୍ତ୍ରୀ ମଣ୍ଡଳରୁ ବାଦ୍ ଦେଇଦେବା ଉଚିତ । ହେଲେ କାହିଁକି ଏଥିରେ ବିଳମ୍ବ ହେଉଛି ତାକୁ କେହି ବୁଝି ପାରୁନାହାନ୍ତି । ଦଳୀୟ ଓ ସରକାରୀ ସ୍ତରରେ କ୍ୟାପଟେନଙ୍କ ଉପରେ ତନାଘନା ଆରମ୍ଭ ହୋଇଛି । ହେଲେ ଏହା ଆଗରୁ ମୟୁରଭଞ୍ଜ କାର୍ଯ୍ୟକ୍ରମ ଦର୍ଶାଉଛି ଯେ, ନବୀନ କ୍ୟାପଟେନଙ୍କୁ ସଂପୁର୍ଣ୍ଣ ବିଶ୍ୱାସରେ ନେଇପାରୁନାହାନ୍ତି । ଯଦି ଦଳର କ୍ଷମତାଶାଳୀ ଗୋଷ୍ଠୀ ଭାବୁଛନ୍ତି ଦିବ୍ୟଶଙ୍କର ମିଶ୍ରଙ୍କର ମମିତା ମେହେର ମାମଲାରେ କୈାଣସି ଭୂମିକା ନାହିଁ ତେବେ କାହିଁକି ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ଦୁରେଇ ଦିଆଗଲା? ଆଉ ଯଦି ଏହି ମାମଲା ଏବଂ ଦିବ୍ୟଶଙ୍କର ମିଶ୍ର ଆଗକୁ ଦଳ ପାଇଁ ଅଡୁଆ ଆଣିବ ବୋଲି ଦଳ ଏବଂ ମୁଖିଆ ଚିନ୍ତା କଲେଣି ତେବେ କାହିଁକି ତାଙ୍କୁ ବାଦ୍ ଦିଆଯିବାକୁ ବିଳମ୍ବ ହେଉଛି? ନା ମୟୁରଭଞ୍ଜରୁ କ୍ୟାପଟେନଙ୍କୁ ଦୁରେଇ ରଖି ଦଳ ସଂକେତ ଦେଲା ଯେ, ଦିବ୍ୟଶଙ୍କରଙ୍କ ମନ୍ତ୍ରୀ ପଦର ଅବଧି ସରି ସରି ଆସୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/NAVEEN_THUMB_00000.jpg)