ଦେବୀଙ୍କ ନାଁ ‘ଦିବ୍ୟ’ ଶପଥ କରି ବିରୋଧୀଙ୍କୁ ପ୍ରମାଣ ମାଗିଲେ ମନ୍ତ୍ରୀ । କହିଲେ ପ୍ରମାଣ ଦିଅ, ଇସ୍ତଫା ଦେବି…

823

କନକ ବ୍ୟୁରୋ: ମୁଁ ମାଆ ମାଣିକେଶ୍ୱରୀଙ୍କ ନାଁରେ ଶପଥ କରୁଛି… ମୋର ଏହି ଅପରାଧ ସହ କୌଣସି ବି ସମ୍ପର୍କ ନାହିଁ । ଯଦି ଆପଣଙ୍କ ପାଖରେ କୌଣସି ପ୍ରମାଣ ଅଛି ତେବେ ଦିଅନ୍ତୁ ମୁଁ ପଦରୁ ଇସ୍ତଫା ଦେବି… ମମିତା ମେହେର ହତ୍ୟା ମାମତାରେ ମୁହଁ ଖୋଲି ବିରୋଧୀଙ୍କୁ ପ୍ରଶ୍ନ କରିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଏଥିସହ ବିରୋଧୀ ରାଜନୈତିକ ଦଳ ସମେତ କିଛି ଗଣମାଧ୍ୟମଙ୍କୁ ଘଟଣାର ପ୍ରମାଣ ମାଗିଛନ୍ତି କହିଛନ୍ତି । ଯଦି ଏହି ଘଟଣାରେ ମୋ ବିରୁଦ୍ଧରେ କିଛି ପ୍ରମାଣ ଅଛି ତେବେ ଦୟାକରି ପୋଲିସ କିମ୍ବା କୋର୍ଟରେ ଦାଖଲ କରନ୍ତୁ । ମୁଁ କେବଳ ମୋ ପଦରୁ ଇସ୍ତଫା ଦେବିନି ବରଂ ସାଧାରଣ ଜୀବନରୁ ସନ୍ୟାସ ନେବି ବୋଲି ବିରୋଧୀ ରାଜନୈତିକ ଦଳ ଓ ଗଣମାଧ୍ୟମକୁ କହିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଏହାସହ ବ୍ୟକ୍ତିଗତ ରାଜନୈତିକ ଏଜେଣ୍ଡା ରଖି ନିନ୍ଦା ଅଭିଯାନରେ ସାମିଲ ନହେବାକୁ ଅନୁରୋଧ କରିଛନ୍ତି ।

ତେବେ ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ଦୀର୍ଘ ଦିନର ନିରବତା ପରେ ଶେଷରେ ମୁହଁ ଖୋଲିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ମମିତା ମେହେର ଘଟଣାରେ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଆସୁଥିବା ବେଳେ ବିରୋଧୀ ଏହାକୁ ମୁଖ୍ୟ ମୁଦ୍ଦା କରି ସରକାରଙ୍କୁ ଘେରିବାରେ ବ୍ୟସ୍ତ ରହିଛନ୍ତି । ପ୍ରତିଦିନ ବିଜେପି, କଂଗ୍ରେସ ମନ୍ତ୍ରୀଙ୍କ ଇସ୍ତଫା ଦାବି ସହ ମମିତାଙ୍କୁ ନ୍ୟାୟ ଦେବାକୁ ରାଜରାସ୍ତାରେ ହଲ୍ଲାବୋଲ କରୁଛନ୍ତି । ସବୁଦିନ ବିକ୍ଷୋଭ, ସବୁଦିନ ଧାରଣା, ସବୁଦିନ ଘେରାଉ ଭିତରେ ଶେଷରେ ନିଜ ବିବୃତ୍ତି ଦେଇଛନ୍ତି ମନ୍ତ୍ରୀ ।

ଆଉ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ନାଁରେ ଶପଥ କରି କହିଛନ୍ତି ମୋର ଏହି ଅପରାଧ ସହ କୌଣସି ସମ୍ପର୍କ ନାହିଁ । ମମିତା ଘଟଣାରେ କିଛି ଗଣମାଧ୍ୟମ ମୋତେ ବଦନାମ କରିଛନ୍ତି । ମେହେରଙ୍କ ମୃତ୍ୟୁ ପାଇଁ ମୁଁ ଗଭୀର ଦୁଃଖିତ ଓ ମର୍ମାହତ । ଜଣେ ବାପା ଓ ମମିତାଙ୍କ ପରିବାର କେମିତି ଦୁଃଖ ଓ ଯନ୍ତ୍ରଣାରେ ଥିବେ ତାହା ମୁଁ ବୁଝିପାରୁଛି । ମମିତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି । ଆଇନ ଅନୁଯାୟୀ ଦୋଷୀଙ୍କୁ ଦଣ୍ଡ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । କିଛି ଗଣମାଧ୍ୟମ ମୋତେ ବଦନାମ କରିବା ଆରମ୍ଭ କରିଛନ୍ତି । ମୋ ଚରିତ୍ର ସଂହାର ଅଭିଯାନ ମୋ ପରିବାରକୁ ଆଘାତ ଦେଇଛି । ତେଣୁ ୩ଟି ଗଣମାଧ୍ୟମ ନାଁରେ ମାନହାନୀ ମୋକଦ୍ଦମା କରିଛି ବୋଲି ମନ୍ତ୍ରୀ କହିଛନ୍ତି ।