ମମିତା ମେହେର ପ୍ରସଙ୍ଗରେ ଉତ୍ତର ରଖିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ପଢନ୍ତୁ, କଣ କହିଲେ ଗୃହ ରାଷ୍ଟ୍ରମନ୍ତ୍ରୀ…

623

କନକ ବ୍ୟୁରୋ: ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ବିଧାନସଭା ହୁଲସ୍ତୁଲ ହେଲା ପରେ ଏହାକୁ ନେଇ ଗୃହରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ବର୍ତ୍ତମାନ ମୋକଦ୍ଦମାଟି ତଦନ୍ତାଧୀନ ଅଛି । ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ତଦନ୍ତ ପ୍ରକ୍ରିୟାକୁ ତଦାରଖ କରିବାକୁ ପୂର୍ବତନ ଜିଲ୍ଲା ଜଜ ଏ.ବି.ଏସ ନାଇଡଙ୍କୁୁ ମନୋନୀତ କରିଛନ୍ତି ବୋଲି ଉତ୍ତର ରଖିଛନ୍ତି ମନ୍ତ୍ରୀ ।

ମମିତା ମେହେର ମୃତ୍ୟୁ ଘଟଣାକୁ ନେଇ ବିଜେପି ବିଧାୟକ ମୋହନ ଚରଣ ମାଝୀ ଗୃହରେ ପ୍ରଶ୍ନ କରିଥିଲେ । ମମିତା ହତ୍ୟାକାଣ୍ଡ ଓ ସନସାଇନ୍ ସ୍କଲ-ମହାଲିଙ୍ଗ କଲେଜ ଯୌନ ବ୍ୟଭିଚାର ନେଇ କେତୋଟି ମାମଲା କିଏ କିଏ ଦାୟର କରିଛନ୍ତି? ସେସବୁରେ କେତେଜଣ ଓ କେଉଁ ଅଭିଯୁକ୍ତମାନେ ରହିଛନ୍ତି ସେନେଇ ବିଧାୟକ ପ୍ରଶ୍ନ କରିଥିଲେ । ଖାଲି ସେତିକି ନୁହେଁ, ହତ୍ୟାକାଣ୍ଡର ମାସକ ପୂର୍ବରୁ ସେହି କଲେଜ ପରିସରକୁ କେଉଁ କେଉଁ ଭିଆଇପିମାନେ କେଉଁ ଉଦ୍ଦେଶ୍ୟରେ ପରିଦର୍ଶନ କରିଥିଲେ, ସେମାନଙ୍କ ମଧ୍ୟରୁ କିଏ ସେଠାରେ ରାତ୍ରୀଯାପନ କରିଥିଲେ? ସେମାନଙ୍କର ଉଭୟ ହତ୍ୟାକାଣ୍ଡ ଓ ଯୌନ କେଳେଙ୍କାରୀ ସହିତ କି ସମ୍ପର୍କ ରହିଛି? ସେ ସବୁର ସବିଶେଷ ତଥ୍ୟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ବିଧାୟକ ଅନୁରୋଧ କରିଥିଲେ ।

ଅନ୍ୟପଟେ ମମିତା ହତ୍ୟାକାଣ୍ଡ ପଛରେ କି କି ଉଦ୍ଦେଶ୍ୟ ରହିଛି, ଯୌନ ବ୍ୟଭିଚାର ସଂକ୍ରାନ୍ତରେ ମୃତ ମମିତା ତାଙ୍କ ମୋବାଇଲ, ଡାଏରୀ କିମ୍ବା ଅନ୍ୟ କୌଣସି ବନ୍ଧୁ କିମ୍ବା ପରିବାରକୁ ଜଣାଇଥିଲେ କି ବୋଲି ବିଜେପି ବିଧାୟକ ପ୍ରଶ୍ନ କରିଥିଲେ ।  ଯାହାର ଏବେ ଉତ୍ତର ରଖିଛନ୍ତି ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ।