ଶ୍ରୀମନ୍ଦିରର ସେମିତି କିଛି କ୍ଷତି ହେବନି । ଶ୍ରୀମନ୍ଦିର ଚାରିପାଖେ ଖୋଳାଯିବାକୁ ନେଇ ଗୃହରେ ବିବୃତି ରଖିଲେ ସରକାର । 

98
କନକ ବ୍ୟୁରୋ :  ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କାର୍ଯ୍ୟକୁ ନେଇ ଯେଉଁ ତୁମ୍ବି ତୋଫାନ ଚାଲିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ବାଚସ୍ପତିଙ୍କ ରୁଲିଂ କ୍ରମେ ବିଧାନସଭାରେ ବିବୃତ୍ତି ରଖିଛନ୍ତି ବିକ୍ରମ କେଶରୀ ଆରୁଖ । ସେ କହିଛନ୍ତି, ଶ୍ରୀମନ୍ଦିର ପ୍ରତି ଯେଉଁ ବିପଦ ଆଶଙ୍କା କରାଯାଉଛି ସେମିତି କିଛି ହେବନାହିଁ । ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି ।  କିନ୍ତୁ ଶ୍ରୀମନ୍ଦିର ଚାରିପାଖେ ଗାତ ଖୋଳାଯିବାକୁ ନେଇ ଯେଉଁ ଅଭିଯୋଗ ହେଉଛି ତାହା ସମ୍ପୂର୍ଣ୍ଣ ଅମୂଳକ । କାରଣ ଶ୍ରୀମନ୍ଦିର ପ୍ରତି ଯେଉଁ ବିପଦ ଆଶଙ୍କା କରାଯାଉଛି ସେମିତି କିଛି ହେବାର ନାହିଁ ।
ଗତ ୨୭ ଫେବ୍ରୁଆରୀ ୨୦୨୧ରେ ବିଧାନସଭାରେ ସର୍ବସମ୍ମତ କ୍ରମେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସଂକଳ୍ପ  ପ୍ରସ୍ତାବ ପାରିତ ହୋଇଥିଲା । ସମେସ୍ତ ମିଳିମିଶି ଶ୍ରୀମନ୍ଦିରର ବିକାଶ ପାଇଁ କାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଥିଲା । ଆସନ୍ତା ମାର୍ଚ୍ଚ ୩୧ ତାରିଖରେ ବିଧାନସଭାର ବିଭିନ୍ନ କମିଟି ଗଠନ ହେବ । ସେହି ସମୟରେ ଶ୍ରୀମନ୍ଦିର ପାଇଁ ଏକ କମିଟି ଗଠନ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ କହିଛନ୍ତି ।
ଏହାପୂର୍ବରୁ ଆଜି ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ମନ୍ଦିର ଚାରିପାଖେ ଖୋଳାଯିବାକୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ । ବିକାଶମୂଳକ କାର୍ଯ୍ୟକୁ କେହି ବିରୋଧ କରିବେ ନାହିଁ ।ମାତ୍ର ବିକାଶ ନାଁ ରେ ମନ୍ଦିର ପ୍ରତି ବିପଦ ଯଦି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ହେବେ । ଭାଇବ୍ରେସନ ପାଇଁ ମନ୍ଦିରରେ ଫାଟ ସୃଷ୍ଟି ହୋଇଛି । ଇଝଓ ଓ ଇଘଗ କହିଛନ୍ତି ଆମେ କୌଣସି ପ୍ରକାର ସ୍ଥାୟୀ ନିର୍ମାଣ ପ୍ରକଳ୍ପ ପାଇଁ ଅନୁମତି ଦେଇ ନାହୁଁ । ପ୍ରକୃତରେ ବାସ୍ତବ କଥା କଣ । ତେଣୁ ବିଧାନସଭାର ଏକ କମିଟି ଗଠନ କରି ପୁରୀ ପଠାଇବା ପାଇଁ ଦାବି କରିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ସେହିପରି ବିଜେପି ବିଧାୟକ ଭାସ୍କର ମଢେଇ ମଧ୍ୟ ବିଧାନସଭା କମିଟି ଗଠନ କରିବାକୁ ଦାବି କରିଛନ୍ତି ।
ଅନ୍ୟପଟେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ  କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ପ୍ରକୃତରେ ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଛି କି ନାହିଁ ଲୋକଙ୍କ ସନ୍ଦେହ ଦୂର କରିବା ସରକାରଙ୍କ ଦାୟିତ୍ୱ । ତେଣୁ ବାଚସ୍ପତି ବିଧାନସଭାର କମିଟି ଗଠନ କରିବାକୁ ରୁଲିଂ ଦାବି କରିଥିଲେ ନରସିଂହ ।