ପର୍ଯ୍ୟଟନ ମନ୍ତ୍ରୀଙ୍କ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗ: ବିଧାନସଭାରେ ହଟ୍ଟଗୋଳ ପରେ ସରକାରଙ୍କ ସ୍ପଷ୍ଟୀକରଣ । କେବଳ ମନ୍ତ୍ରୀଙ୍କ ପାଇଁ ହୋଇଛି ସରକାରୀ ଖର୍ଚ୍ଚ
କନକ ବ୍ୟୁରୋ: ସରକାରୀ ଅର୍ଥରେ ପର୍ଯ୍ୟଟନ ମନ୍ତ୍ରୀ ୨ ମହିଳାଙ୍କୁ ହାଇଦ୍ରାବାଦ ନେବା ପ୍ରସଙ୍ଗ । ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିବା ପରେ ସ୍ପଷ୍ଟୀକରଣ ରଖିଲେ ସରକାର । ସରକାରୀ ଖର୍ଚ୍ଚ ନେଇ ବିଧାନସଭାରେ ଉତ୍ତର ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ମନ୍ତ୍ରୀଙ୍କ ଛଡା ଅନ୍ୟ କାହା ପାଇଁ ସରକାରୀ ଖର୍ଚ୍ଚ ହୋଇ ନଥିବା ବିକ୍ରମ କହିଛନ୍ତି । ଗତ ୪ ତାରିଖରେ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ରୋଡ ସୋ’ ପାଇଁ ହାଇଦ୍ରାବାଦ ଯାଇଥିଲେ । ହେଲେ ମନ୍ତ୍ରୀଙ୍କ ବ୍ୟତିତ ଅନ୍ୟମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ କିଛି ଟଙ୍କା ଖର୍ଚ୍ଚ ହୋଇନଥିବା ଗୃହରେ ସ୍ପଷ୍ଟୀକରଣ ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ପର୍ଯ୍ୟଟନ ମନ୍ତ୍ରୀଙ୍କ ପ୍ରସଙ୍ଗରେ ଆଜି ଦିନ ତମାମ ବିରୋଧୀ ସରକାରଙ୍କୁ ଘେରିଥିଲେ । କେଉଁ ପରିସ୍ଥିତିରେ ମହିଳାଙ୍କୁ ନେଇ ସରକାରୀ କାର୍ଯ୍ୟକ୍ରମକୁ ଯାଇଥିଲେ ମନ୍ତ୍ରୀ ତାହାର ଖୋଳତାଡ ହେଉ ବୋଲି ବିରୋଧୀ ଦାବି କରିଥିଲେ । ତେବେ ମନ୍ତ୍ରୀଙ୍କ ସହ କେଉଁ ମହିଳା ହାଇଦ୍ରାବାଦ ଯାଇଥିଲେ? ସରକାରୀ କାର୍ଯ୍ୟକ୍ରମକୁ ସେମାନଙ୍କୁ କାହିଁକି ନିଆଯାଇଥିଲା? କ’ଣ ପାଇ ମହିଳାଙ୍କ ଗସ୍ତ ଖର୍ଚ୍ଚ ସରକାରଙ୍କ ତହବିଲରୁ କରାଗଲା? ଏଭଳି ପ୍ରଶ୍ନବାଣରେ ସରକାରଙ୍କୁ ଘେରିଥିଲେ ବିରୋଧୀ ।
ଆଉ ମନ୍ତ୍ରୀଙ୍କ ବହିଷ୍କାର ଦାବି ଗୃହରେ ତମ୍ବିତୋଫାନ କରିଥିଲେ । ଯେଉଁଥିପାଇଁ ବାରମ୍ବାର ଅଚଳ ହୋଇପଡିଥିଲା ଗୃହ । ଆଉ ପରିସ୍ଥିତି ଅସମ୍ଭାଳ ହେବାରୁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ବୈଠକ ପରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି । ତେବେ ମିଡିଆ ଆଗରେ ମନ୍ତ୍ରୀ ପାଣିଗ୍ରାହୀ ନିୟମ ବାହାରେ ସରକାରୀ ତହବିଲରୁ ଟଙ୍କାଟିଏ ଖର୍ଚ୍ଚ ହୋଇନାହିଁବୋଲି କହିଥିବା ବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ଗୃହରେ ସ୍ପଷ୍ଟୀକରଣ ରଖିଛନ୍ତି ।