ପୁଣି ବିବାଦରେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ! ଖଣ୍ଡା, ଭୁଜାଲି ଧରି ଧମକାଇବା ସହ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ ଅଭିଯୋଗ, ଥାନାରେ ଦାୟର ହେଲା ମାମଲା ।

320

କନକ ବୁରୋ: କେନ୍ଦୁଝର ଜିଲ୍ଲାରେ ପୁଣି ଘଟିଛି ନିର୍ବାଚନୀ ହିଂସା । ଘସିପୁରା ନିର୍ବାଚନମଣ୍ଡଳୀର ଅଙ୍ଗାରୁଆ ଗ୍ରାମରେ ଜଣେ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ୍ ପାତ୍ର ଓରଫ ଟୁଟୁଙ୍କ ନାଁରେ ମାମଲା ରୁଜୁ ହୋଇଛି । ଅନ୍ୟପଟେ ପୋଲିସ ଘଟଣାର ଖୁଲାସା କରିବା ପାଇଁ ତଦନ୍ତ ଜାରି ରଖିଛି ।

ସୂଚନା ମୁତାବକ, ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ଆସୁଛି ଗୋଟିଏ ପରେ ଗୋଟିଏ ରାଜନୈତିକ ହିଂସା । ଏଥର ଅଭିଯୋଗ ଆସିଛି କେନ୍ଦୁଝରରୁ । ଘଷିପୁରା ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ଅଙ୍ଗାରୁଆ ଗ୍ରାମର ଜଣେ କଂଗ୍ରେସ କର୍ମୀଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । ଅଭିଯୋଗ ଅନୁସାରେ ଗୁରୁବାର ସନ୍ଧ୍ୟା ସାଢ଼େ ୭ଟାବେଳେ କଂଗ୍ରେସ ସମର୍ଥକ ରାଜେନ୍ଦ୍ର ସା ଫେରୁଥିଲେ ଘରକୁ । ଏହି ସମୟରେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ୍ ପାତ୍ର ଓ ତାଙ୍କର ସହଯୋଗୀମାନେ ସେହି ଗାଁର କାର୍ତିକେଶ୍ୱର ମଣ୍ଡପ ନିକଟରେ ରାଜେନ୍ଦ୍ରଙ୍କୁ ଅଟକାଇଥିଲେ । ହାତରେ ଖଣ୍ଡା, ଭୁଜାଲି ଧରି ପ୍ରଥମେ ଦେଇଥିଲେ ଧମକ । ପରେ ତଳେ ପକାଇ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ଏପରିକି ପାଟିରେ ବନ୍ଧୁକ ପୁରାଇ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି ।

ରାଜେନ୍ଦ୍ରଙ୍କ ଚିକ୍ରାର ଶୁଣି ସମର୍ଥକମାନେ ପହଁଚି ଯାଇଥିଲେ ତାଙ୍କ ପାଖରେ । ତାଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତି କରିଥିଲେ । ଆକ୍ରମଣରେ ତାଙ୍କ ଛାତିରେ ଗଭୀର ଆଘାତ ଲାଗିଛି । ରାଜେନ୍ଦ୍ରଙ୍କ ଏତଲା ଅନୁସାରେ ରାମଚନ୍ଦ୍ରପୁର ପୋଲିସ ମାମଲା ରୁଜୁ କରି ଘଟଣାର ଛାନଭିନ ଚଳାଇଛି । ବଦ୍ରି ପାତ୍ରଙ୍କ ପୁଅ ନାଁରେ ପୂର୍ବରୁ ମଧ୍ୟ ଗୁଣ୍ଡାଗର୍ଦିର ଅଭିଯୋଗ ରହିଆସିଛି । ଏବେ ଏହି ଘଟଣା ପୁଣିଥରେ ଜିଲ୍ଲାରେ ଆଇନ ଶୃଙ୍ଖଳାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।