କନକ ବ୍ୟୁରୋ : ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କୁ ନେଇ ସରକାର ଅଡ଼ୁଆରେ ପଡ଼ିଯାଇଛନ୍ତି। ପୁଅ ପାଇଁ ମନ୍ତ୍ରୀଙ୍କ ପଦବି ଟଳମଳ ହେବା ଆରମ୍ଭ କରିଛି। ଏପରିକି ଇସ୍ତଫା ଦେବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି ଗତକାଲି ଠାରୁ ପାୱାର୍ କରିଡରରେ ଚର୍ଚ୍ଚା ଜୋର୍ ଧରିଛି। ପାଞ୍ଚ ବର୍ଷ ତଳେ ପୁଅ-ବୋହୂ ବିବାଦରେ ତତ୍କାଳୀନ ବରିଷ୍ଠ ମନ୍ତ୍ରୀ ରଘୁ ମହାନ୍ତିଙ୍କ ପଦ ଯାଇଥିଲା। ଠିକ୍ ସମାନ ନ୍ୟାୟରେ ବଦ୍ରିଙ୍କୁ ବିଦା କରିବାକୁ ମୁଖ୍ୟମନ୍ତ୍ରୀ ଆଲୋଚନା ଆରମ୍ଭ କରିଥିବା ନେଇ କୁହାଯାଉଛି। ଗତ ୧୯ ତାରିଖରେ ଏକ ଗଣ୍ଡଗୋଳ ଓ ମାରପିଟ ଘଟଣାରେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ଗିରଫ ହୋଇଥିଲେ। ତାଙ୍କ ବିରୋଧରେ ଏମିତି ସଙ୍ଗିନ୍ ଦଫା ଲାଗିଛି ଯେ ଆଇନ ଜାଲରୁ ଖସିବା ଦେବାଶିଷଙ୍କ ପାଇଁ ଏତେ ସହଜ ହେବ ନାହିଁ। ଅଭିଯୋଗ ଗୁରୁତର ଥିବାରୁ ତଳ କୋର୍ଟରେ ତାଙ୍କ ଜାମିନ୍ ଖାରଜ ହୋଇଯାଇଛି। ପୁଅ ଗିରଫ ହେଲା ପରେ ମନ୍ତ୍ରୀ ଏ ନେଇ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି। କିନ୍ତୁ ଏହି ଘଟଣା ତଥା ଲଗାତର ଭାବେ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର କିଛି ହିଂସାକାଣ୍ଡରେ ତାଙ୍କ ଲୋକଙ୍କ ସଂପୃକ୍ତିକୁ ନେଇ ପୂରା ଦଳର ଭାବମୂର୍ତ୍ତି ପ୍ରଭାବିତ ହେବାରେ ଲାଗିଛି ବୋଲି ଅଭିଯୋଗ ହେଉଛି।

Advertisment

publive-imageଗତ ୬ ତାରିଖରେ ମନ୍ତ୍ରୀଙ୍କ ପୁଅ ଦେବାଶିଷ ଓ ତାଙ୍କ ସହଯୋଗୀମାନେ ବିଚ୍ ବଜାରରେ ମାରପିଟ କରିଥିଲେ। ଏ ନେଇ ଘସିପୁରା ଥାନାରେ ଅଭିଯୋଗ ହୋଇଥିଲେ ବି ଦୀର୍ଘ ଦିନ ଧରି ପୁଲିସ୍ କାହାରିକୁ ଗିରଫ କରି ନ ଥିଲା। ତେବେ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଏ ନେଇ ଲଗାତର ଭାବେ ପୋଲିସର ଭୂମିକା ଉପରକୁ ଆଙ୍ଗୁଠି ଉଠାଇଲା ପରେ ୧୯ ତାରିଖରେ ଯାଜପୁର ଜିଲ୍ଲାରୁ ଦେବାଶିଷ ଗିରଫ ହେଲେ। ସେହିପରି ଦେବାଶିଷ ଓ ତାଙ୍କ ସହଯୋଗୀଙ୍କ କାରନାମା ନେଇ ଲୋକଙ୍କ ରୋଷର ଶିକାର ହୋଇଛନ୍ତି ଖୋଦ୍ ମନ୍ତ୍ରୀ। ଗତ ୧୮ ତାରିଖରେ ତାଙ୍କ ଗାଡ଼ି ଉପରକୁ ପଥର ମାଡ଼ ହୋଇଥିଲା।

କେନ୍ଦୁଝରର ଏହି ଘଟଣା ବିରୋଧୀ ବିଜେପି ଓ କଂଗ୍ରେସକୁ ସୁଯୋଗ ଆଣି ଦେଇଛି। ଲଗାତର ଭାବେ ଜିଲ୍ଲା ଓ ରାଜ୍ୟସ୍ତରରେ ଉଭୟ ଦଳ ମନ୍ତ୍ରୀ ଓ ବିଜେଡି ବିରୋଧରେ ଆନ୍ଦୋଳନ ଜାରି ରଖିଛନ୍ତି। ମନ୍ତ୍ରୀଙ୍କ ଇସ୍ତଫା ନେଇ ବିଭିନ୍ନ ମହଲରୁ ଦାବି ଜୋର୍ ଧରୁଛି। ହିଂସାକାଣ୍ଡ ପାଇଁ ସିଧାସଳଖ ମନ୍ତ୍ରୀଙ୍କ ଉପରକୁ ଆରୋପ ଲଗାଯାଉଛି। ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୋଲିସ ଚାଲୁଥିବାରୁ ବାରମ୍ବାର ଏପରି ଅଘଟଣ ଘଟୁଛି ବୋଲି ରାଜନୈତିକ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି।

publive-imageକେନ୍ଦୁଝରରେ ଏପରି ସ୍ଥିତି ବିଜେଡି ପାଇଁ ଏକପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି। ରାଜନୈତିକ ହିଂସା ବିରୋଧରେ ସବୁବେଳେ ନାରା ଦେଉଥିବା ବିଜେଡିର ଭାବମୂର୍ତ୍ତି ଏଥିପାଇଁ ସଙ୍କଟରେ ପଡ଼ିଯାଇଛି। ଦଳର ସୁପ୍ରିମୋ ଏହାକୁ ଗୁରୁତର ସହ ନେଇ ବିଚାରବିମର୍ଶ ଆରମ୍ଭ କରିଦେଇଛନ୍ତି। ବଦ୍ରିଙ୍କୁ ବିଦା କଲେ ବିଜେଡିର ଜିଲ୍ଲା ସଂଗଠନ ଉପରେ କି ପ୍ରଭାବ ପକାଇବ ଓ ଆଗକୁ ନିର୍ବାଚନ ଥିବାରୁ ଦଳର ଭାବମୂର୍ତ୍ତି କିପରି ଠିକ୍ ରହିବ, ସେ ଦିଗ ଉପରେ ଆଲୋଚନା ଚାଲିଛି।

publive-imageଅନ୍ୟପକ୍ଷରେ ରାଜନୈତିକ ମହଲରେ ବଦ୍ରିଙ୍କ ଘଟଣା ସହ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ଘଟଣାକୁ ତୁଳନା କରାଯାଉଛି। ପୁଅ ପାଇଁ ଏମିତି ଭାବେ ବିବାଦରେ ଫସିଯାଇଥିଲେ ବାଲେଶ୍ବରର ଏହି ବରିଷ୍ଠ ନେତା। ପୁଅ-ବୋହୂଙ୍କ ବିବାଦ ପଦାକୁ ଆସିବାର କିଛି ଘଣ୍ଟା ମଧ୍ୟରେ ତାଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଜାରି ହୋଇଥିଲା। ସ୍ଥିତି ଏପରି ହୋଇଥିଲା ଯେ ୨୦୧୪ ନିର୍ବାଚନରେ ରଘୁଙ୍କୁ ଟିକେଟ୍ ମିଳି ନ ଥିଲା। ଯଦିଓ ଏବେ ପୁଅ-ବୋହୂଙ୍କ ମିଳନ ହୋଇସାରିଛି, ତେବେ ରଘୁଙ୍କ ରାଜନୈତିକ କ୍ୟାରିଅର୍ ଏ ପର୍ଯ୍ୟନ୍ତ ଠିକଣା ବାଟକୁ ଆସିନାହିଁ।