ପେଗାସସ୍ ଉପରେ ଉତ୍ତର ରଖିଲେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କହିଲେ, ମୌସୁମୀ ଅଧିବେଶନ ପୂର୍ବରୁ ଜାଣିଶୁଣି କରାଯାଇଛି ଏଭଳି ରିପୋର୍ଟ । ଅଭିଯୋଗରେ ନାହିଁ କୌଣସି ସତ୍ୟତା

166

କନକ ବ୍ୟୁରୋ: ପେଗାସସ୍ ସ୍ପାଏ ଓୟାର ବା ମୋବାଇଲ ଗୁପ୍ତଚରୀକୁ ନେଇ ଆଜି ବି ଉଠିଛି ପଡିଛି ସଂସଦ । ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସରକାରଙ୍କ ପକ୍ଷ ରଖୁଥିବା ବେଳେ ତାଙ୍କ ହାତରୁ କାଗଜ ଚିରି ଦେଇଥିଲେ ତୃଣମୂଳ କଂଗ୍ରେସ ସାଂସଦ ଶାନ୍ତନୁ ସେନ୍ । ଆଜି ରାଜ୍ୟସଭା ଆରମ୍ଭ ମାତ୍ରେ ବିରୋଧୀ ସାଂସଦ ହୋ-ହଲ୍ଲା କରିବା ସହ ଗୃହକୁ ଅଚଳ କରି ଦେଇଥିଲେ । ସରକାର ପେଗେସସ୍ ସ୍ପାଏ ଓୟାର କିଣିଛନ୍ତି କି ନାହିଁ ସ୍ପଷ୍ଟ କରିବାକୁ ଦାବି କରିଥିଲେ ବିରୋଧୀ । ତେବେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ଏବଂ ପେଗାସସ୍ ନେଇ ୱେବ ପୋର୍ଟାଲରେ ଖବର ପ୍ରକାଶ ପାଇବା ସଂଯୋଗ ନଥିଲା । ମନ୍ତ୍ରୀଙ୍କ ଏପରି ମନ୍ତବ୍ୟରେ ଆହୁରି ଉତକ୍ଷିପ୍ତ ହୋଇ ଉଠିଥିଲେ ବିରୋଧୀ ।

ପେଗାସସ୍ ସ୍ପାଏ ଓଏର ବିବାଦକୁ ନେଇ ଗୃହରେ ହଙ୍ଗାମା । ରାଜ୍ୟସଭା ଆରମ୍ଭ ହେବା ମାତ୍ରେ ପ୍ରବଳ ହଟ୍ଟଗୋଳ ଆରମ୍ଭ ହୋଇଗଲା । ରାଜ୍ୟସଭା ୨ ଥର ମୁଲତବୀ ପରେ ଯେତେବେଳେ ଆରମ୍ଭ ହେଲା କଂଗ୍ରେସ, ଟିଏମସି ଓ ଅନ୍ୟ ବିରୋଧୀ ଦଳର ସଦସ୍ୟମାନେ ୱେଲ ବା ମଧ୍ୟସ୍ଥଳକୁ ଧସେଇ ପସି ଆସିଲେ । ଆଉ ଏହାରି ଭିତରେ ଏହି ପ୍ରସଙ୍ଗରେ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପକ୍ଷ ରଖିବା ଆରମ୍ଭ କଲେ । ତେବେ ବିରୋଧୀଙ୍କ ହୋ-ହଲ୍ଲା ଭିତରେ ତାଙ୍କୁ କହିବାକୁ ସୁଯୋଗ ମିଳିଲା ନାହିଁ । ଟିଏମସି ସାଂସଦ ସାନ୍ତନୁ ସେନ ତାଙ୍କ ଠାରୁ ସ୍ପାଏ ଓଏର ସମ୍ପର୍କିତ ଉତର କାଗଜ ଛଡାଇ ନେଇଥିଲେ ଏବଂ ଚିରି ଦେଇଥିଲେ ।

ପେଗାସସ୍ ସ୍ପାଏ ଓଏରକୁ ନେଇ ସାରା ଦେଶରେ ହଙ୍ଗାମା ଚାଲିଥିବାବେଳେ ବିରୋଧୀଙ୍କ ପ୍ରଶ୍ନ ଥିଲା ଭାରତ ସରକାର ଏହି ସ୍ପାଏ ଓଏରକୁ କିଣିଛନ୍ତି କି ନାହିଁ ତାହା ସ୍ପଷ୍ଟ କରନ୍ତୁ । କିନ୍ତୁ ବୈଷ୍ଣବ ଯେତେବେଳେ ଉତର ରଖିଥିଲେ ସେ କହିଥିଲେ, – ‘ମୌସୁମୀ ଅଧିବେଶନ ଆରମ୍ଭ ହେବାର ଠିକ୍ ପୂର୍ବରୁ ୧୮ ଜୁଲାଇ, ୨୦୨୧ରେ ସ୍ପାଏ ଓଏରକୁ ନେଇ ଏକ ୱେବ ପୋର୍ଟାଲରେ ଖବର ପ୍ରକାଶ ପାଇଥିଲା । ଏହା ଏକ ସଂଯୋଗ ନଥିଲା । ଏହାଛଡା ପୂର୍ବରୁ ଯେଉଁ ଅଭିଯୋଗ ଆସିଥିଲା ସେଥିରେ କୌଣସି ସତ୍ୟତା ନାହିଁ ।’ ବୋଲି ସେ କହିଥିଲେ । କିନ୍ତୁ ଏହି ଉତର ବିରୋଧୀଙ୍କୁ ସନ୍ତୁଷ୍ଟ କରି ନଥିଲା ।