ଖିଲାପ୍ କଲ, ଫାଇନ୍ ସହ ସୁଧ ଦିଅ ! ଖିଲାପୀ ଖଣି ମାଲିକଙ୍କୁ କଡ଼ା କଥା ଶୁଣାଇଲେ ସୁପ୍ରିମକୋର୍ଟ

23

କନକ ବ୍ୟୁରୋ : ବେଆଇନ ଭାବେ ଖଣି ଖୋଳି କୋଟି କୋଟି ଟଙ୍କାର ମୁନାଫା କମାଇଥିବା ଖଣିମାଲିକଙ୍କୁ ଝଟ୍କା ଲାଗିଛି । ଜରିମାନା ଦାଖଲ ନକରି ସୁପ୍ରିମକୋର୍ଟରେ ମାମଲା କରିଥିବା ଖଣିମାଲିକଙ୍କୁ କଡା କଥା ଶୁଣାଇଛନ୍ତି ଖଣ୍ଡପୀଠ । ୧୨ପ୍ରତିଶତ ସୁଧ ସହ ଜରିମାନା ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ୧୦ଦିନ ପରେ ମାମଲାର ପରବର୍ତୀ ଶୁଣାଣି ହେବ ।

ଜୋରିମାନା ନ’ଦେଲେ ହେବ ସମ୍ପତି ବ୍ୟାଜ୍ୟାପ୍ତ । ୧୨ ପ୍ରତିଶତ ସୁଧ ସହ ଜୋରିମାନା ଆଦାୟ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମ କୋର୍ଟ । ଖିଲାପୀ ଖଣି ମାଲିକଙ୍କୁ ସର୍ବୋଚ୍ଚକୋର୍ଟ ଦେଇଛନ୍ତି ଜବରଦସ୍ତ ଝଟକା । ଡିସେମ୍ବର ୩୧ ସୁଦ୍ଧା ଯେଉଁ ଖଣି ଲିଜ୍ଧାରୀଙ୍କ ନିକଟରୁ ଜରିମାନା ଆଦାୟ କରାଯାଇଥିଲା ସେ ସମ୍ପର୍କରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଏହାରି ଆଧାରରେ ଶୁଣାଣି କରି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ଏକ୍ସେସ ମାଇନିଂ କରିଥିବା ଅଭିଯୋଗରେ ସୁପ୍ରିମକୋର୍ଟ ରାଜ୍ୟର ୧୩୧ ଖଣି ମାଲିକଙ୍କ ଠାରୁ ୧୭ ହଜାର ୫ ଶହ ୭୬ କୋଟି ଟଙ୍କା ଜୋରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଉ ଏଥିପାଇଁ ଗତ ବର୍ଷ ଡିସେମ୍ବର ୩୧ ତାରିଖକୁ ଡେଡ୍ ଲାଇନ ଦିଆଯାଇଥିଲା ।

ନିର୍ଦ୍ଧାରିତ ତାରିଖ ଭିତରେ ୭୩ ଜଣ ଖଣି ମାଲିକ ଜୋରିମାନା ଦାଖଲ କରିଥିଲେ । ଯାହା ମଧ୍ୟରେ ଥିଲେ ୩୦ ଅଚଳ ଓ ୪୩ ସଚଳ ଖଣି । କିନ୍ତୁ ଜୋରିମାନା ବାବଦରେ ରାଜ୍ୟ ସରକାର ଆଦାୟ କରିପାରିଥିଲେ ମାତ୍ର ୮ ହଜାର ୨ଶହ ୨୩ କୋଟି ଟଙ୍କା । ଯାହା ନିର୍ଦ୍ଧାରିତ ଲକ୍ଷ୍ୟର ଅଧାରୁ କମ୍ ଥିଲା ।ଚାଲୁ ରହିଥିବା ଖଣି ଭିତରୁ ୭ଜଣ ଖଣି ଲିଜଧାରୀ କିନ୍ତୁ ଜୋରିମାନା ଅର୍ଥ ପୈଠ କରିନଥିଲେ । ଫଳରେ ରାଜ୍ୟ ସରକାର ଏଗୁଡିକୁ ବନ୍ଦ କରିଦେଇଥିଲେ । ଏଗୁଡିକ ମଧ୍ୟରେ ଥିଲେ ସିରାଜୁଦ୍ଦିନ,ଆଇଡିସି, ମେସ୍କା ପରି ବଡ ବଡ ଖଣି ।

ସୁପ୍ରିମ କୋର୍ଟଙ୍କ ଏହି ନିର୍ଦ୍ଦେଶ ଏବେ ଜୋରିମାନା ଦେଇନଥିବା ଖଣି ଲିଜଧାରୀଙ୍କ ପାଇଁ ଚିନ୍ତାର କାରଣ ବଢାଇଛି । ଖିଲାପ କରିଥିବା ଲିଜଧାରୀ କୈାଣସି ବି ପରିସ୍ଥିତିରେ ଫାଇନ୍ ଆଦାୟ ଅର୍ଥ ଦେବାରୁ ବଂଚି ପାରିବେ ନାହିଁ, ସେହି ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି କୋର୍ଟ । ୧୦ ଦିନ ପରେ ମାମଲାର ପରବର୍ତୀ ଶୁଣାଣି ହେବ ।