କେନ୍ଦୁଝରରେ ଏବେ ବି ଚାଲିଛି ଖଣି ଚୋରି । ନିଘୋଡ଼ ନିଦରେ ଶୋଇଛି ଖଣି ବିଭାଗ ।

ଚମ୍ପୁଆ ଉପଖଣ୍ଡରେ ଗତ ୪ ମାସରେ ୧୩ରୁ ଅଧିକ ଚୋରା ଖଣିଜ ବୋଝେଇ ଗାଡି ଜବତ

92

କନକ ବ୍ୟୁରୋ: କୁବେରର ଜିଲ୍ଲା କେନ୍ଦୁଝରର ଖଣି ଉପରେ ଦେଶ ବିଦେଶର ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ରାଜନେତା, ସରକାରୀ ଅଧିକାରୀ ସମସ୍ତଙ୍କ ନଜର । ଖଣି ଚୋରଙ୍କ ନଜର ବି ରହିଛି କେନ୍ଦୁଝରର କୁବେର ଭଣ୍ଡାର ଉପରେ । ୧୦ ବର୍ଷ ତଳେ ଯେତେବେଳେ ଲୁହାପଥର ଏବଂ ମାଙ୍ଗାନିଜ ମୂଲ୍ୟ ବହୁ ଅଧିକ ଥିଲା ସେତେବେଳେ ଖଣିଚୋରଙ୍କ ପାର୍ଦୁଭାବ ବଢି ଚାଲିଥିଲା । ଆଉ ଏହାକୁ ରୋକିବା ଉଦ୍ଦେଶ୍ୟରେ କୋଟି କୋଟି ଟଙ୍କାରେ ବିଭିନ୍ନ ବିଭାଗର ଟ୍ୟାକ୍ସ ଫୋର୍ସ ଗଠନ କରିଥିଲେ ସରକାର । କିନ୍ତୁ ଖଣି ଚୋରିକୁ କେତେ ମାତ୍ରାରେ ରୋକା ଯାଇ ପାରିଛି ତାହା ଏବେ ବି ପ୍ରଶ୍ନ୍ ଘେରରେ…

ଖଣି ଚୋରି ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । କିନ୍ତୁ ସେ ସବୁ ପଦକ୍ଷେପ କୌଣସି କାମକୁ ନୁହେଁ । ଗତ ୪ ମାସ ଅର୍ଥାତ୍ ଡିସେମ୍ବରରୁ ମାର୍ଚ୍ଚ ମାସରେ ଭିତରେ ୧୦ରୁ ଅଧିକ ଖଣିଜ ବୋଝେଇ ଗାଡି ଜବତ କରିଛି ବନ ବିଭାଗ । କେବଳ ବନବିଭାଗ ନୁହେଁ ବଡବିଲ ଉପଖଣ୍ଡରେ ବିଭିନ୍ନ ଥାନା ପକ୍ଷରୁ ଚୋରା ଖଣିଜ କାରବାରରେ ଏକାଧିକ ଗାଡି ଜବତ କରାଯାଇଛି ।

ଡିସେମ୍ବର ୧୧, ୨୦୨୦   

କେନ୍ଦୁଝର ଚମ୍ପୁଆ ରେଞ୍ଜ ନୟାଗଡ ଖେସରା ଜଙ୍ଗଲରେ ବନବିଭାଗ ଚଢଉ କରି ଜବତ କରିଥିଲା ଚୋରା ଖଣିଜ ବୋଝେଇ ଗୋଟିଏ ଟ୍ରକ 

ଫେବୃଆରୀ ୧୪, ୨୦୨୧    

ବିଜେପି ରେଞ୍ଜ ଖଣ୍ଡାଧାର ଡିପିଏଫରେ ଖଣିଜ ବୋଝେଇ ୩ଟି ଟ୍ରକ ଧରିଥିଲା ବନବିଭାଗ

ଫେବୃଆରୀ ୧୯, ୨୦୨୧ 

ବଡବିଲ ରେଞ୍ଜ ଅଂସେଇକଳା ଖେସରା ଜଙ୍ଗଲରେ ୫ଟି ଚୋରା ଖଣିଜ ବୋଝେଇ ଡମ୍ପର ଜବତ

ମାର୍ଚ୍ଚ ୧୪, ୨୦୨୧ 

ଚମ୍ପୁଆ ରେଞ୍ଜ ନୟାଗଡ ଖେସରା ଜଙ୍ଗଲରେ ଚୋରା ଖଣିଜ ପରିବହନ କରୁଥିବା ୪ଟି ଗାଡି ଜବତ

ସବୁଠାରୁ ବଡ କଥା ହେଲା ବନ ବିଭାଗ ଚଢଉ କରିଥିବା ସମସ୍ତ ଜଙ୍ଗଲ ରାଜସ୍ୱ ବିଭାଗ ଅଧିନରେ ରହିଛି । ଅର୍ଥାତ ଏ ସବୁ ଅଂଚଳରେ ହେଉଥିବା ଚୋରା କାରବାର ଉପରେ ଖଣି ବିଭାଗ କାର୍ଯ୍ୟାନୁଷ୍ଠାନ ନେବା କଥା । କିନ୍ତୁ ଖଣି ବିଭାଗ କୌଣସି ଆଖି ଦୃଶିଆ ପଦକ୍ଷେପ ନେଇ ନଥିବାରୁ କେନ୍ଦୁଝର ଖଣି ଅଂଚଳରେ ପୂର୍ବପରି ଚୋରା କାରବାର ଚାଲିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ବନବିଭାଗ ଚଢଉ କରି ଚୋରା ଖଣି କାରବାରର ଗୁମର ଖୋଲୁ ଥିବା ବେଳେ ଖଣି ବିଭାଗ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଲାଗିଛି । ଖଣି ବିଭାଗ କେମିତି ଏମାନଙ୍କ ଟେର ପାଉନାହାନ୍ତି ବୋଲି ପ୍ରଶ୍ନ ଉଠିଛି । ସେପଟେ କେନ୍ଦୁଝର ଡିଏଫଓ କହିଛନ୍ତି ବନବିଭଗର ନିୟମିତ ପାଟ୍ରୋଲିଂ ଯୋଗୁଁ ଗତ ୪ ମାସରେ ଏକାଧିକ ଖଣିଜ ବୋଝେଇ ଗାଡି ଜବତ କରାଯାଇ ସଂପୃକ୍ତ ମାଲିକଙ୍କୁ ନୋଟିସ କରାଯାଇଛି । ଖଣିରେ ଚୋରା କାରବାର ବଢୁଥିବା ବେଳେ ଯୋଡା ଖଣି ଅଧିକାରୀ ଏସଂପର୍କରେ ଗଣମାଧ୍ୟମରେ  ପ୍ରତିକ୍ରିୟା ଦେବାକୁ ସିଧାସଳଖ ମନା କରିଦେଇଛନ୍ତି । ତେବେ ଆଗକୁ ଖଣି ଚୋରି ରୋକିବାକୁ ଖଣି ବିଭାଗ କଣ ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।