ଖୋର୍ଦ୍ଧାରେ ଖଣି ମାଫିଆଙ୍କ ଆତଙ୍କରାଜ । ବେଆଇନ ଖଣି ଖନନ ଉପରେ ଚଢାଉ ବେଳେ ମାଇନିଂ ଅଫିସରଙ୍କ ଉପରେ ସଂଘବଦ୍ଧ ଆକ୍ରମଣ

176

କନକ ବ୍ୟୁରୋ : ଖୋର୍ଦ୍ଧାରେ ଖଣି ମାଫିଆଙ୍କ ଆତଙ୍କରାଜ । ମାଇନିଂ ଅଫିସରଙ୍କୁ କଲେ ଆକ୍ରମଣ । ବେଆଇନ ଖଣି ଖନନ ଉପରେ ଚଢାଉ ପାଇଁ ଯାଇଥିବା ବେଳେ ଖୋର୍ଦ୍ଧାର ମାଇନିଂ ଅଫିସର ଜଗନ ବେହେରାଙ୍କ ଉପରେ ସଂଗବଦ୍ଧ ଆକ୍ରମଣ ହୋଇଛି । ଖୋର୍ଦ୍ଧା ଆଦର୍ଶ ଥାନା ଜକରା ଖଣି ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି ।

ମାଫିଆଙ୍କ ମାଡ଼ରେ ମାଇନିଂ ଅଫିସର ଗୁରୁତର ଆହତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଗତକାଲି ରାତି ପ୍ରାୟ ସାଢେ ୧୦ଟା ବେଳେ ଜଗନ ବେହେରାଙ୍କ ନିକଟକୁ ଏକ ଫୋନ୍ କଲ ଆସିଥିଲା । ଜକରା ଅଂଚଳରେ ଦୁଇଟି ଜେସିବିରେ ବେଆଇନ ଖନନ ଚାଲିଛି ଓ ୪ଟି ହାଇୱା ଗାଡିରେ ଖଣିଜ ଦ୍ରବ୍ୟ ଚାଲାଣ ଚାଲିଥିବା ଖବର ମିଳିଥିଲା । ସେ ଏନେଇ ଆଦର୍ଶ ଥାନାକୁ ଖବର ଦେବା ସହ ନିଜେ ଜଣେ ବ୍ୟକ୍ତିଙ୍କ ସହିତ କାରରେ ଖଣି ଅଂଚଳକୁ ଯାଇଥିଲେ । ଘଟଣାସ୍ଥଳରେ ୩୦ରୁ ୪୦ ଜଣ ଦୁର୍ବୃତ ତାଙ୍କୁ ଘେରିଯାଇଥିଲେ । ସେ କିଛି କହିବା ପୂର୍ବରୁ ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଏହା ସହ କାର ଓ ମୋଟର ସାଇକେଲ ବି ଭଙ୍ଗାରୁଜା କରିଛନ୍ତି ।