କନକ ବ୍ୟୁରୋ: ଜରାଜିର୍ଣ୍ଣ ଅବସ୍ଥାରେ ପଡିରହିଛି ମିନି କୋଣାର୍କ ଭାବେ ପରିଚିତ ଗଙ୍ଗେଶ୍ୱରୀ ମନ୍ଦିର । ଏହି ମନ୍ଦିରଟି ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ଢାଂଚାରେ ନିର୍ମାଣ କରାଯାଇଥିଲା । ୧୯୬୨ ମସିହାରୁ ଏହି ବିରଳ କିର୍ତ୍ତିରାଜିର ସଂରକ୍ଷଣ ଦାୟିତ୍ୱ ନେଇଛି ରାଜ୍ୟ ପ୍ରତ୍ନତତ୍ୱିକ ସର୍ଭେକ୍ଷଣ ସଂସ୍ଥା । ମାତ୍ର ସଂରକ୍ଷଣ ତ ଦୂରର କଥା, ଦିନେ କାଳେ ଏଏସଆଇ ଅଧିକାରୀଙ୍କ ପାଦ ଏଠାରେ ପଡ଼ିନାହିଁ । ମନ୍ଦିରର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ବେଳେ କୌଣସି ମୁହୁର୍ତରେ ଏହା ଭୁଷୁଡ଼ି ପଡ଼ିବ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

Advertisment

କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ପୂର୍ବରୁ ଏହାର ଏକ ଅବିକଳ ପ୍ରତିକୃତି କୋଣାର୍କ ମନ୍ଦିର ଠାରୁ ୭ କିଲୋମିଟର ଦୂରରେ ୪୨ ବାଟି ଠାରେ ନିର୍ମାଣ କରିଥିଲେ ବିଶୁ ମହାରଣା ଓ ସାଥୀ ବାରଶହ ବଢ଼େଇ । ପତ୍ନତତ୍ୱ ବିଭାଗ ହାତକୁ ଯିବା ପରେ ବିଶ୍ୱ ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳୀରେ ସ୍ଥାନ ପାଇଥଲା ଏହି ମନ୍ଦିର । କୋଣାର୍କ ସୂର୍ଯ୍ୟ ମନ୍ଦିର ଇତିହାସ ସମ୍ପର୍କରେ ଜାଣିବାକୁ ଆଗ୍ରହୀ ପର୍ଯ୍ୟଟକମାନେ ଏହି ମନ୍ଦିରକୁ ଆସିଥାଆନ୍ତି । ପୁରାତନ କୀର୍ତିରାଜି ସଂରକ୍ଷଣ ଦାୟିତ୍ୱ ନେଇଥିବା ରାଜ୍ୟ ପ୍ରତ୍ନତତ୍ୱିକ ସର୍ଭେକ୍ଷଣ ସଂସ୍ଥା ଯେମିତି ଏହି ମନ୍ଦିରକୁ ଭୁଲି ଯାଇଥିବା ମନେ ହେଉଛି । କୋଣାର୍କ ମନ୍ଦିରରୁ ଯେପରି ମୂର୍ତ୍ତି ଓ କାରୁକାର୍ଯ୍ୟ ହଟାଇ ସେଠାରେ ସାଧାରଣ ପଥର ଲଗାଇ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ସେହିଭଳି ଏହି ମନ୍ଦିରରେ ପୁନରାବୃତି ହୋଇଛି ।

ମନ୍ଦିରର ମୁଖଶାଳାରୁ ବରାହ ମନ୍ଦିର ଓ ପାଶ୍ୱର୍ ଦେବାଦେବୀଙ୍କ ଠାରୁ ଦଧିନଉତି ପର୍ଯ୍ୟନ୍ତ ସମସ୍ତ ସ୍ଥାନରୁ କାରୁକାର୍ଯ୍ୟ ମୂର୍ତି ଓ ପଥର କାଢି ନିଆଯାଇଛି । ସେହି ସ୍ଥାନରେ ସାଧାରଣ ପଥର ଖଂଜା ଯାଇଛି । ମନ୍ଦିରର ଅଧିକାଂଶ ସ୍ଥାନରେ ନିମ୍ନ ମାନର ପ୍ରଲେପ ଦିଆଯିବାରୁ ମନ୍ଦିରରେ ଫାଟ ଦେଖାଦେଲାଣି । ତେଣୁ ଏହି ପୁରାତନ ଐତିହ୍ୟ ଉପରେ ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି ।