କେଉଁଠି ପ୍ରାର୍ଥନା , କେଉଁଠି ସମର୍ଥନ ! ଫଳାଫଳ ପୂର୍ବରୁ କେଜରିୱାଲ୍ ଙ୍କ ଲୁକ୍ ରେ କୁନିଝିଅ , ସେପଟେ ବିଜୟ ପାଇଁ ବିଜେପି ନେତାଙ୍କ ମନ୍ଦିରରେ ପ୍ରାର୍ଥନା । 

107

ଦିଲ୍ଲୀର ରଣ କ୍ଷେତ୍ରରେ ୭୦ ଟି ଆସନ ନେଇ ଭୋଟ ଗଣତି ଆରମ୍ଭ ହୋଇସାରିଛି । କିଏ ବାଜି ମାରିବ ସେ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଦେଖାଦେଇଛି । ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି । ପୁଣି ଥରେ ଦିଲ୍ଲାରେ କେଜ୍ରିୱାଲଙ୍କ କ୍ରେଜ୍ ଦେଖାଯିବ ନା ୨୨ ବର୍ଷର ବନବାସ ପରେ ଫେରିବ ବିଜେପି ? ସେହିଭଳି କଂଗ୍ରେସ ଖାତାରେ କେତୋଟି ଭୋଟ ପଡିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଦିଲ୍ଲୀର ଆପ୍ କାର୍ଯ୍ୟାଳୟରେ ଫଳାଫଳ ଆଗରୁ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ସମ୍ପୁର୍ଣ୍ଣ କାର୍ଯ୍ୟାଳୟକୁ ବେଲୁନରେ ସଜ୍ଜିତ କରାଯାଇଛି । ସେହିଭଳି ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ବଡ ବଡ ନେତାଙ୍କ ଆଗମନ ମଧ୍ୟ ଦେଖିବାକୁ ମିଳିଛି । ଫଳାଫଳ ଆସିବା ଆଗରୁ କାନପୁରରେ ଆପ୍ ର ବିଜୟ ପାଇଁ ମନ୍ଦିରରେ ପୂଜା ଅର୍ଚ୍ଚନା କରିଛନ୍ତି ଦଳୀୟ କର୍ମୀ । ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ନିଜ ବାସ ଭବନରେ ପୂଜା କରିଛନ୍ତି ।

କେଜ୍ରିୱାଲଙ୍କ ବାସଭବନ ବାହାରେ ଆପ ନେତାଙ୍କ ଭିଡ ଦେଖିବାକୁ ମିଳିଛି । ପରିବାର ସମେତ ଉପସ୍ଥିତ ଅଛନ୍ତି ଆପ୍ ନେତା । କେଜରିୱାଲ୍ ଙ୍କୁ ସମର୍ଥନ କରି ତାଙ୍କ ବେଶଭୁଷାରେ ନିଜକୁ ରଙ୍ଗେଇଥିବା ଜଣେ କୁନି ଝିଅକୁ ମଧ୍ୟ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ବିଜେପିର ବିଜୟ ପାଇଁ ବିଜେପି ନେତା ବିଜୟ ଗୋୟଲ୍ କନାଟ୍ ପ୍ଲେସର ହନୁମାନ ମନ୍ଦିରରେ ଫଳାଫଳ ପୂର୍ବରୁ ପ୍ରାର୍ଥନା କରିଛନ୍ତି ।