ଯାଜପୁର ଧର୍ମଶାଳାରେ ଚାଲିଛି ମାଫିଆଙ୍କ ଲୁଟତରାଜ । ବେଆଇନ୍ ଭାବେ ଲିଜ ବାହାର ସ୍ଥାନରୁ ଖୋଳି ନେଉଛନ୍ତି ମୋରମ୍ ଓ କଳା ପଥର, ସତ ଜଣାପଡିବା ପରେ ନୋଟିସ୍ କଲେ ଲୋକାୟୁକ୍ତ ।

101
କନକ ବ୍ୟୁରୋ: ଯାଜପୁର ଜିଲ୍ଳା ଧର୍ମଶାଳା ଓ ଦର୍ପଣ ତହସିଲରେ ମାଫିଆଙ୍କ ଲୁଟତରାଜ । ପ୍ରତିଦିନ ଲୁଟ ହେଉଛି କୋଟି କୋଟି ଟଙ୍କାର ମୋରମ, ବାଲି, କଳାପଥର । ଲିଜ ଏରିଆର ସୀମା ନିର୍ଦ୍ଧାରଣରେ ମିଥ୍ୟା ଖର୍ଚ ହୋଇଥିବା ନେଇ ସୂଚନା ଆଇନ ଖୋଲିଲା ଗୁମର । ଜିଲ୍ଳାପାଳଙ୍କ ରିପୋର୍ଟରେ ଅସନ୍ତୋଷ ପ୍ରକାଶ କରି ଭର୍ତ୍ସନା କଲେ ଲୋକାୟୁକ୍ତ ।
ଯାଜପୁର ଜିଲ୍ଳାର ଧର୍ମଶାଳା ଓ ଦର୍ପଣ ତହସିଲରେ ମାଇନସ୍ ଆକ୍ଟର ଉଲଂଘନ କରି ମାଫିଆମାନେ ଲୁଟି ନେଉଛନ୍ତି ମୋରମ, ବାଲି ଓ କଳାପଥର । ପ୍ରତିଦିନ ଶହ ଶହ ସଂଖ୍ୟକ ହାଇୱା ଗାଡିରେ ବାଲି,ମୋରମ ଓ କଳାପଥର ବୁହି ନେଉଥିବା ବେଳେ ସୃଷ୍ଟି ହୋଇଛି ବିରାଟ ବିରାଟ ଗାତ । ଧର୍ମଶାଳା ତହସିଲର ଥାନୁଆଳ, ପାଖର ପଂଚାୟତ ଓ ଦର୍ପଣ ତହସିଲର ସିହା, ଅସିହା ପର୍ବତମାଳା, ମାଣ୍ଡୁକା ଅଂଚଳରୁ ମୋରମ ଲୁଟି ଚାଲିଛନ୍ତି ମାଫିଆ । ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ କରୁଥିବା ଦିଲିପ ବିଲଡକନ ନାମକ ସଂସ୍ଥା କେତେକ ଘରୋଇ ଲୋକଙ୍କ ଜମିରୁ ମୋରମ ଆଣୁଥିବା ତହସିଲ ପକ୍ଷରୁ କୁହାଯାଇଥିବା ବେଳେ ପ୍ରକୃତରେ ଗୋଚର, ଅନାବାଦି ଓ ଜଙ୍ଗଲ ଜମିରୁ ମୋରମ ଲୁଟ ହୋଇଥିବା ସୂଚନା ଅଧିକାର ଆଇନ ବଳରେ ଜଣାପଡିଛି ।
ସେହିଭଳି ଧର୍ମଶାଳା ତହସିଲ ଅଧିନରେ ଥିବା ଡଙ୍କାରୀ, ରାହାଡପୁର, ବାଜବାଟି, ଜାବରା, ବରଡା, ବାଘୁଆ, ଚଢେଇଧରା ଅଂଚଳରୁ କଳାପଥର ଲୁଟ ହେଉଛି । ଲିଜଧାରୀ ଲିଜ ଏରିଆ ବାହାରେ କ୍ୱାରୀ ଅପରେସନ କରି କୋଟି କୋଟି ଟଙ୍କା ଲୁଟିନେଉଛି । ଆଉ ଲୁଟକୁ ନେଇ ଲୋକାୟୁକ୍ତରେ ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ । ଧର୍ମଶାଳା ତହସିଲ କର୍ତୃପକ୍ଷ ଲିଜ ଦିଆଯାଇଥିବା ସଇରାତ ଗୁଡିକର ସୀମା ନିର୍ଦ୍ଧାରଣ କରିଛନ୍ତି । ଏଥିପାଇଁ ସରକାରୀ ତହବିଲରୁ ୧ ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି । କିନ୍ତୁ ନିର୍ଦ୍ଧାରିତ ସୀମାରେ ଗୋଟିଏ ବି ପିଲାର ପୋତାଯାଇ ନାହିଁ । ତହସିଲ ପକ୍ଷରୁ ଦିଆଯାଇଥିବା ଏଭଳି ତଥ୍ୟକୁ ଲୋକାୟୁକ୍ତଙ୍କ କୋର୍ଟରେ ଦାଖଲ କରି ଏବେ କାଠଗଡାରେ ଜିଲ୍ଳାପାଳ । ଲୋକାୟୁକ୍ତ ସିଧା ଯାଜପୁର ଜିଲ୍ଳାପାଳଙ୍କୁ ଭର୍ତ୍ସନା କରିଥିବା ବେଳେ ଆସନ୍ତା ୮ ତାରିଖରେ ପରବର୍ତି ଶୁଣାଣୀ ରହିଛି । ଖଣିଜ ଲୁଟ୍ ଘଟଣାରେ ଧର୍ମଶାଳା ତହସିଲଦାର, ଯାଜପୁରର ପୂର୍ବତନ ଜିଲ୍ଳାପାଳ ରଂଜନ କୁମାର ଦାଶ, ବର୍ତମାନର ଜିଲ୍ଳାପାଳ ଚକ୍ରବର୍ତି ସିଂ ରାଠୋର, ପୂର୍ବତନ ତହସିଲଦାର ସରୋଜ ପଣ୍ଡାଙ୍କୁ ଲୋକାୟୁକ୍ତଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି ।