ଚାଲିଛି ହଜାର ହଜାର କୋଟି ଟଙ୍କାର ଖଣି ନିଲାମ । ପ୍ରଥମ ୪ ଦିନରେ ୪ଟି ବଡ଼ ଖଣିର ନିଲାମ ଶେଷ, ଜାଣନ୍ତୁ କେଉଁ କମ୍ପାନୀ ହାତକୁ ଗଲା କେଉଁ କେଉଁ ଖଣି ।

629

କନକ ବ୍ୟୁରୋ : ଖଣି ଦୁର୍ନୀତି ନେଇ ବେଶ କିଛି ବର୍ଷର ତମ୍ବି ତୋଫାନ ପରେ ଏବେ ହଜାର ହଜାର କୋଟି ଟଙ୍କାର ଖଣି ନିଲାମ ପାଇଁ ତତ୍ପର ହୋଇ ଉଠିଛନ୍ତି ସରକାର । ମାର୍ଚ୍ଚ ଶେଷ ବେଳକୁ ରାଜ୍ୟର ୨୪ଟି ଲୁହା, ମାଙ୍ଗାନିଜ୍ ଓ କ୍ରୋମାଇଟ୍ ଖଣିର ଲିଜ୍ ଅବଧି ସରିଯାଉଥିବାରୁ ଏସବୁର ଇ-ନିଲାମ ଶେଷ କରିବାକୁ ଚାହୁଁଛନ୍ତି ରାଜ୍ୟ ସରକାର । ପ୍ରଥମ ୪ ଦିନରେ ୪ଟି ଖଣିର ନିଲାମ ହୋଇଛି । ହାରାହାରି ବିକ୍ରି ମୂଲ୍ୟଠାରୁ ଅଧିକ ଦରରେ ଖଣି ନିଲାମ ନେଇଛନ୍ତି ଖଣି କଂପାନୀ । ଇ-ଅକ୍ସନରେ ଜେଏସଡବ୍ଲୁ ଓ ଆସେଲର ମିତଲ ଭଳି ବଡ଼ କଂପାନୀ ସାମନାକୁ ଆସିଛନ୍ତି ।

ଚାଲିଛି ହଜାର ହଜାର କୋଟି ଟଙ୍କାର ଖଣି ନିଲାମ । ପ୍ରଥମ ୪ ଦିନରେ ୪ଟି ଖଣିର ନିଲାମ ଶେଷ । ମାର୍ଚ୍ଚ ସୁଦ୍ଧା ସରିବ ୨୪ ଖଣିର ନିଲାମ ପ୍ରକ୍ରିୟା । ଖଣି ଦୁର୍ନୀତିକୁ ନେଇ ହୋହଲ୍ଲା ଓ ଆରୋପ-ପ୍ରତ୍ୟାରୋପ ପରେ ଓଡ଼ିଶାରେ ଚାଲିଛି ସବୁଠୁ ବଡ଼ ଖଣି ନିଲାମ । କେନ୍ଦୁଝର ଜିଲ୍ଲାର ନୂଆଗାଁ, ନାରାୟଣ ପୋଷି, ବଳଦା ଓ ଠାକୁରାଣୀ ଭଳି ଶହ ଶହ କୋଟି ଟଙ୍କାର ଖଣି ନିଲାମ ହୋଇଛି । ଇ-ନିଲାମରେ ୭୯୦ ମିଲିୟନ ଟନର ନୂଆଗାଁ ଓ ୧୯୦ ମିଲିୟନ ଟନର ନାରାୟଣ ପୋଷି ଲୁହା ଖଣି ପାଇଛି ସଜ୍ଜନ ଜିନ୍ଦଲଙ୍କ ଜେଏସଡବ୍ଲୁ ଷ୍ଟିଲ । ଏହାଦ୍ୱାରା ଜେଏସଡବ୍ଲୁ ପାରାଦୀପରେ ୫୨ ହଜାର କୋଟି ଟଙ୍କା ବ୍ୟୟ ବରାଦରେ ବସାଇବାକୁ ଯାଉଥିବା ୧୨ ନିୟୁତ ଟନ୍ ଇସ୍ପାତ କାରଖାନାର ସ୍ୱପ୍ନ ସଫଳ ହୋଇପାରେ ବୋଲି ଆଶା କରାଯାଉଛି ।

ନିଲାମରେ ଗୋଟିଏ ବଡ଼ ଦିଗ ହେଉଛି ଆଇବିଏମ୍ ହିସାବ କରିିଥିବା ହାରାହାରି ବିକ୍ରି ମୂଲ୍ୟଠାରୁ ଅଧିକ ୧୮ ପ୍ରତିଶତରୁ ମୂଲ୍ୟ ବଢ଼ାଇ ଖଣି ନିଲାମ ନେବାକୁ କୁଣ୍ଠାବୋଧ କରିନାହାନ୍ତି ଖଣି କଂପାନୀ । ସିରାଜୁଦ୍ଦିନ କମ୍ପାନୀ କେନ୍ଦୁଝରର ବଳଦା ଲୁହା ଖଣିକୁ ପୁଣି ଥରେ ପାଇଥିବା ବେଳେ ହାରାହାରି ବିକ୍ରି ମୂଲ୍ୟଠାରୁ ୧୮.୦୫% ଅଧିକ ମୂଲ୍ୟରେ ନିଲାମ ନେବାକୁ ପଛାଇନାହିଁ । ସେହିପରି ଆର୍ସଲର ମିତ୍ତଲ କେନ୍ଦୁଝରର ଠାକୁରାଣୀ ଲୁହା ଖଣିକୁ ଇ-ଅକ୍ସନରେ ପାଇଛି । ଏଥର ଖଣି ନିଲାମରେ ଦୁଇ ଗୁଣ ଅଧିକ ରାଜସ୍ୱ ପାଇବା ପାଇଁ ସରକାର ଆଶା ରଖିଛନ୍ତି । ପୂର୍ବରୁ ଖଣି ମାଲିକଙ୍କୁ ବିକ୍ରି ମୂଲ୍ୟର ୧୫ ପ୍ରତିଶତ ରୟାଲଟି ଦେବାକୁ ପଡୁଥିଲା । ଏବେ ସେମାନଙ୍କୁ ଡିଏମଏଫ୍ ଓ ଅନ୍ୟାନ୍ୟ ଦେୟ ବାବଦରେ ୧୬.୮ ପ୍ରତିଶତ ରୟାଲିଟି ଦେବାକୁ ହେବ ।