ଶତ୍ରୁଙ୍କୁ ସାବାଡ କରିବାକୁ ସୀମା ଜଗିଛି ଟି-୯୦, ‘ମାଇନ ପ୍ଲାଓ’ ଲାଗିବ, ଶତ୍ରୁଙ୍କ ଷଡଯନ୍ତ୍ରକୁ ମାଟିତଳୁ ନିପାତ କରିବ । ଡିଲ୍ ଫାଇନାଲ କଲା ପ୍ରତିରକ୍ଷା ବିଭାଗ ।

324

କନକ ବ୍ୟୁରୋ : ଚୀନ୍ ସହ ସୀମାରେ ଉତ୍ତେଜନାମୂଳକ ସ୍ଥିତି ଟିକିଏ ଥଣ୍ଡା ପଡିଛି । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ଭାରତୀୟ ସେନା ଡ୍ରାଗନବାହିନୀ ଉପରେ କଡା ନଜର ରଖିଛନ୍ତି । ଉଭୟ ଆକାଶ ଓ ସ୍ଥଳ ପଥରୁ ଚୀନ ସେନାର ପ୍ରତିଟି ଗତିବିଧି ଉପରେ ଦୃଷ୍ଟି ରଖାଯାଇଛି । କାରଣ ବିଶ୍ୱାସଘାତକ ଚୀନକୁ ଆଦୌ ଭରସା କରିପାରୁନାହିଁ ଭାରତ । ସୀମାରେ ଚୀନକୁ ବିଶ୍ୱାସ କରିବାର ପରିଣାମ କଣ ହୋଇପାରେ ତାହା ଇତିହାସ ପୃଷ୍ଠାରେ ଉଲ୍ଲେଖ ଅଛି । ଯେଉଁଥିପାଇଁ ଚୀନ୍ ସୀମାରେ ଥିବା ଯବାନଙ୍କୁ ଆଲର୍ଟ ରଖିଛି ଭାରତ । ଏପରିକି ଲଢୁଆ ଟ୍ୟାଙ୍କ ମଧ୍ୟ ସୀମାରେ ମୁତୟନ କରାଯାଇଛି । ଯେଉଁଥିରେ ଲଦାଖ ସୀମାରେ ଟି-୯୦ ଟ୍ୟାଙ୍କ ମଧ୍ୟ ରହିଛି । ତେବେ ଏହି ଟ୍ୟାଙ୍କକୁ ଆହୁରି ଘାତକ କରିବାକୁ ଅତ୍ୟାଧୁନିକ ମାଇନ ପ୍ଲାଓ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି । ଯାହାଦ୍ୱାରା କୌଣସି ଅଞ୍ଚଳରେ ଯଦି ଶତ୍ରୁ ପକ୍ଷ ମାଇନ୍ସ ବିଛାଇ ଷଡଯନ୍ତ୍ର ରଚୁଥାଏ, ତେବେ ଟ୍ୟାଙ୍କ ଉପରୁ ହିଁ ଯବାନ ଲ୍ୟାଣ୍ଡମାଇନକୁ ଖୋଲି ବାହାର କରିପାରିବେ ।

ଏହି ମାଇନ ପ୍ଲାଓ କିଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ୫୫୭ କୋଟି ଟଙ୍କାର ଡିଲ ସାଇନ କରିଛି । ଆଉ ଡିଲ ଅନୁଯାୟୀ, ଭାରତୀୟ ସେନାକୁ ୧୫୧୨ଟି ମାଇନ ପ୍ଲାଓ ମିଳିବ  । ଯାହାକୁ ଟି-୯୦ ଟ୍ୟାଙ୍କରେ ବ୍ୟବହାର କରାଯିବ । ୨୦୨୭ ସୁଦ୍ଧା ଏହି ସମସ୍ତ ମାଇନ ପ୍ଲାଓ ଭାରତୀୟ ସେନାକୁ ମିଳିବ । ତେବେ ଆସନ୍ତା ବର୍ଷେ, ଦୁଇବର୍ଷ ମଧ୍ୟରେ ଭାରତୀୟ ସେନାକୁ  ମାଇନ ପ୍ଲାଓ ମିଳିବା ଆରମ୍ଭ ହେବ । ସୀମାରେ ଯବାନ ଯେପରି ଲ୍ୟାଣ୍ଡମାଇନର ଶିକାର ନ ହୋଇ ଶତ୍ରୁଙ୍କୁ ସାବାଡ କରିବେ ସେଥିପାଇଁ ଏଭଳି ଋଣନୀତି ଆପଣାଇଛି ଭାରତୀୟ ସେନା ।

ମାଇନ ପ୍ଲାଓ ଏଭଳି ଏକ ଅସ୍ତ୍ର ଯାହା ସୀମାରେ ସେନାର ବଳକୁ ଦ୍ୱିଗୁଣିତ କରିଥାଏ । ଏହି ଯନ୍ତ୍ର ଦ୍ୱାରା ମାଟି ଖୋଳା ଯାଇପାରିବ ଓ ଅତି ସାବଧାନତାର ସହ ମାଟିତଳେ ଶତ୍ରୁ ରଚିଥିବା ଷଡଯନ୍ତ୍ରକୁ ଖୋଳି ବାହାର କରିବ । ଅଥାର୍ତ ସୀମାରେ ଯୁଦ୍ଧ ଭଳି ସ୍ଥିତି ଉପୁଜିଲେ ଶତ୍ରୁ ମାନେ ମାଟିତଳେ ଲ୍ୟାଣ୍ଡମାଇନ ବିଛାଇଥାନ୍ତି । ଏଭଳି ସ୍ଥିତିରେ ଯଦି କୌଣସି ଯବାନଙ୍କ ଅଜାଣତରେ ଏହି ଲ୍ୟାଣ୍ଡମାଇନ ଉପରେ ପାଦ ପଡିଯାଏ ତେବେ ବଡ ଧରଣର ବିସ୍ଫୋରଣ ହୋଇଥାଏ । ଯାହାଦ୍ୱାରା କିଛି କ୍ଷେତ୍ରରେ ଯବାନ ଗୁରୁତର ଭାବେ ଆହତ ହୋଇଥାନ୍ତି ଓ ପୁଣି କାହାର ଜୀବନ ଚାଲି ଯାଇଥାଏ । ତେବେ  ଟ୍ୟାଙ୍କରେ ମାଇନ ପ୍ଲାଓ ଲାଗିବା ଦ୍ୱାରା ଏହା ମାଟିତଳେ ଥିବା ଲ୍ୟାଣ୍ଡମାଇନକୁ ଖୋଜି ବାହାର କରିଥାଏ । ଯାହାଦ୍ୱାରା ବିନା କୌଣସି ବାଧାରେ ଆଗକୁ ବଢିଥାଏ ସେନା ।  ଭାରତୀୟ ସେନା ପାଇଁ ଟି-୯୦ ଟ୍ୟାଙ୍କ ସବୁଠୁ ବଡ ଅସ୍ତ୍ର । ବିଶ୍ୱର ସବୁଠୁ ହାଲୁକା, ଘାତକ ତଥା ଶକ୍ତିଶାଳୀ  ଟ୍ୟାଙ୍କ ହେଉଛି ଟି-୯୦ ଟ୍ୟାଙ୍କ୍ । ଘଣ୍ଟାକୁ ୭୨ କିଲୋମିଟର ବେଗରେ ଗତି କରିପାରୁଥିବା ଏହି ଟ୍ୟାଙ୍କ ଉଭୟ ରାତି ଓ ଦିନରେ ଆକ୍ରମଣ କରିବାରେ ମାହିର ।