ଖଣି ମାଲିକଙ୍କୁ ୫ କୋଟିର ଜୋରିମାନା । ପଥରଖଣିରୁ ବେଆଇନ ଉତ୍ତୋଳନ ଅଭିଯୋଗରେ ଫାଇନ୍ କଲେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ୍ ।

109

କନକ ବ୍ୟୁରୋ : ଖଣିରୁ ବେଆଇନ ପଥର ଉତ୍ତୋଳନ କରୁଥିବା ଖଣି ମାଲିକଙ୍କୁ ୫ କୋଟି ଟଙ୍କା ଜୋରିମାନା କଲେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ । ଢେଙ୍କାନାଳ କଙ୍କଡାହାଡ଼ ବ୍ଲକ ଝିଲ୍ଲୀ ଗାଁରେ ଥିବା ଏକ ପଥରଖଣିରୁ ବେଆଇନ ପଥର ଉତ୍ତୋଳନ କରୁଥିବା ଖଣି ମାଲିକଙ୍କୁ ଏହି ଜରିମାନା କରାଯାଇଛି । ଜାତୀୟ ସବୁଜ ପ୍ରାଧିକରଣଙ୍କ ସୂଚନା ଅନୁସାରେ, ଝିଲ୍ଲୀ ଗ୍ରାମ ନିକଟରେ ଚିନ୍ମୟ କୁମାର ନାୟକ ନାମକ ଜଣେ ବ୍ୟକ୍ତି ସରକାରଙ୍କ ଠାରୁ ଏକ ପଥରଖଣି ଲିଜ ନେଇ ଏହାକୁ ପରିଚାଳନା କରୁଥିଲେ । କିନ୍ତୁ ସେ ଖଣିରୁ ଲିଜ ପରିମାଣ ଠାରୁ ବହୁତ ଅଧିକ ବେଆଇନ ପଥର ଉତ୍ତୋଳନ କରୁଥିଲେ । ଯାହାକୁ ନେଇ କିଛି ସାମାଜିକ କର୍ମୀ ଜାତୀୟ ସବୁଜ ପ୍ରାଧିକରଣଙ୍କ ପାଖରେ ଅଭିଯୋଗ କରିଥିଲେ ।

ସେହି ଅଭିଯୋଗର ଶୁଣାଣି କରି ଗ୍ରୀନ ଟ୍ରିବ୍ୟୁନାଲଙ୍କ ୫ ଜଣିଆ ଖଣ୍ଡପୀଠ ଖଣି ମାଲିକ ଚିନ୍ମୟଙ୍କୁ ୫ କୋଟି ଟଙ୍କାର ଜରିମାନା କରିଛନ୍ତି । ଏକ ମାସ ମଧ୍ୟରେ ଏହି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ସେ ଟଙ୍କା ପୈଠ ନକରନ୍ତି, ତେବେ ତାଙ୍କ ବିରୋଧରେ ଆଇନ୍ ଅନୁସାରେ ଅପରାଧିକ ମାମଲା ରୁଜୁ କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି ।