କେନ୍ଦୁଝରରେ ପ୍ରତିଶୋଧ ରାଜନୀତି : ସନା ମହାକୁଡ ଓ ମିନାକ୍ଷୀ ମହନ୍ତଙ୍କ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ

149

କନକ ବ୍ୟୁରୋ : କେନ୍ଦୁଝରରେ ପ୍ରତିଶୋଧ ରାଜନୀତି । ଆଉ ଏହାକୁ ନେଇ ହିଂସାକାଣ୍ଡ । ପୂର୍ବତନ ବିଧାୟକ ସନା ମହାକୁଡ଼ ଓ ବର୍ତ୍ତମାନର ବିଧାୟିକା ମିନାକ୍ଷୀ ମହନ୍ତଙ୍କ ସମର୍ଥକଙ୍କ ମଧ୍ୟରେ ଚାଲିଛି ଖଣ୍ଡଯୁଦ୍ଧ । ଗତ ୧୪ ତାରିଖରେ ମିନାକ୍ଷୀଙ୍କ ସମର୍ଥକଙ୍କ ଉପରେ ସନାଙ୍କ ସମର୍ଥକ ଆକ୍ରମଣ କରିବା ପରେ ଅଭିଯୋଗ ଅନୁସାରେ ଏବେ ପାଲଟା ପ୍ରତିଶୋଧ ନେଇଛନ୍ତି ମିନାକ୍ଷୀଙ୍କ ସମର୍ଥକ ।

ଯୋଡାର ବଳଦା ପଂଚାୟତର ଗୁରୁଡ଼ା ନାମକ ଗାଁରେ ଗତକାଲି ମଧ୍ୟ ରାତ୍ରିରେ ଏହି ଘଟଣା ଘଟିଛି । ଅଭିଯୋଗ ଅନୁସାରେ ୭୦ରୁ ୮୦ ଜଣ ମିନାକ୍ଷୀଙ୍କ ସମର୍ଥକ ଏହି ଗାଁରେ ପଶି ସନାଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ କରିଛନ୍ତି । ପ୍ରାୟ ୧୦ରୁ ଅଧିକ ଗାଡ଼ି ଭାଙ୍ଗି ଦେଇଛନ୍ତି । ଏବଂ ଆକ୍ରମଣ କରି ୪ଜଣଙ୍କୁ ଆହତ କରିଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତ ୧୪ ତାରିଖରେ ହୋଇଥିବା ଅଭିଯୋଗ ଅନୁସାରେ ମିନାକ୍ଷୀଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ ହୋଇଥିଲା । ଏବଂ ଏଥିରେ ସନାଙ୍କ ସମର୍ଥକଙ୍କ ମୁଖ୍ୟ ଭୂମିକା ଥିଲା ।

ଏକ ସପ୍ତାହ ପରେ ସେମାନେ ପ୍ରତିଶୋଧ ନେଇଥିବା କୁହାଯାଉଛି । ଉଦବେଗର କଥା ହେଉଛି ଆସନ୍ତାକାଲି ଏଠାରେ ପଂଚାୟତ ନିର୍ବାଚନ ଅଛି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କିଛି ଲୋକଙ୍କ କହିବା ଅନୁସାରେ ଗତକାଲି ରାତିରେ ଏହି ଆକ୍ରମଣ ସମୟରେ ପୋଲିସ ମଧ୍ୟ ଉପସ୍ଥିତ ଥିଲେ କିନ୍ତୁ ସେମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।