ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ହଟ୍ ସିଟ୍ ପାଲଟିଛି ନନ୍ଦୀଗ୍ରାମ । ମୁଖ୍ୟମନ୍ତ୍ରୀ ମମତା, ପୂର୍ବମନ୍ତ୍ରୀ ଶୁଭେନ୍ଦୁଙ୍କୁ ଟକ୍କର ଦେଉଛନ୍ତି ଯୁବନେତ୍ରୀ ମିନାକ୍ଷୀ

878

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଚାଲିଥିବା ବିଧାନସଭା ନିର୍ବାଚନରେ ନନ୍ଦୀଗ୍ରାମ ଆସନ ସବୁଠାରୁ ହଟ୍ ସିଟ୍ ଭାବେ ପରିଲକ୍ଷିତ ହେଉଛି । ଏହି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କୁ କଡା ଟକ୍କର ଦେଉଛନ୍ତି ତାଙ୍କରି ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀଥିବା ତଥା ଏବେ ବିଜେପିରେ ଯୋଗ ଦେଇଥିବା ଶୁଭେନ୍ଦୁ ଅଧିକାରୀ । ଏମାନଙ୍କ ଭିତରେ କିଛି ଅଲଗା ରୂପରେ ଉଭୟ ଦୂୁଇଜଣଙ୍କୁ ଟକ୍କର ଦେଉଛନ୍ତି ସଂଯୁକ୍ତ ମୋର୍ଚ୍ଚାର ପ୍ରାର୍ଥୀ ତଥା ଯୁବନେତ୍ରୀ ମିନାକ୍ଷୀ ମୁଖାର୍ଜୀ ।

ଏଠାରେ ମମତା ଓ ଶୁଭେନ୍ଦୁଙ୍କର ବଡ ବଡ ରାଲି ବାହାରୁଛି । କିଏ ଶହ ଶହ ଗାଡିରେ ରାଲି କରୁଛି ତ କିଏ ସଭା ସ୍ଥଳରେ ହେଲିକପ୍ଟରେ ଉହ୍ଲାଉଛି । କାହାର ପ୍ରଚାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କର ସୁଅ ଛୁଟୁଛି ତ କାହାର ପ୍ରଚାର ବେଳେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ କେବେ ପାଦରେ ତ କେବେ ଅଟୋରେ ଯାଇ ଲୋକଙ୍କ ପାଖରେ ପହଂଚୁଛନ୍ତି ସଂଯୁକ୍ତ ମୋର୍ଚ୍ଚା ସମର୍ଥିତ ସିପିଆଇଏମ୍ ପ୍ରାର୍ଥୀ ମିନାକ୍ଷୀ ମୁଖାର୍ଜୀ  ।

ଗୋଟିଏ ପଟେ ମମତାଙ୍କ ‘ଖେଲା ହବେ’ ନାରା ତ ଅନ୍ୟପଟେ ବିଜେପିର ‘ଜୟ ଶ୍ରୀରାମ’ ନାରାରେ କମ୍ପୁଛି ନନ୍ଦୀ ଗ୍ରାମ । ହେଲେ ମିନାକ୍ଷୀ ନିଯୁକ୍ତି ଓ ଶିଳ୍ପାୟନ ର କଥା ନେଇ ଲୋକଙ୍କ ପାଖରେ ପହଂଚୁଛନ୍ତି । ସେ ଲୋକଙ୍କୁ ରୋଜଗାର କଥା, ଶିକ୍ଷାର କଥା, ଶିଳ୍ପାୟନର କଥା ଓ ଶେଷରେ ମହିଳା ସୁରକ୍ଷାର କଥା କହୁଛନ୍ତି । କାହାକୁ କେତେ ଭୋଟ ମିଳିବ । ନନ୍ଦୀଗ୍ରାମରୁ କିଏ ନିର୍ବାଚିତ ହେବ ତାହା ମେ’ ୨ ତାରିଖରେ ଜଣାପଡିବ । ହେଲେ ମିନାକ୍ଷୀଙ୍କ ଭାଷଣ ଓ ଲୋକଙ୍କ ରାଜ୍ୟର ବାସ୍ତବ ଚିତ୍ର ଦେଖାଇବାର ତରିକା ନନ୍ଦୀଗ୍ରାମବାସୀଙ୍କୁ ନିଶ୍ଚିନ୍ତ ଭାବେ ଆକୃଷ୍ଟ କରୁଛି ।

କହିରଖୁ କି ବାମଦଳ ଓ କଂଗ୍ରେସ ମଧ୍ୟରେ ପଶ୍ଚିମବଙ୍ଗ ନିର୍ବାଚନରେ ମେଣ୍ଟ ହୋଇଛି । ଏହି ମେଣ୍ଟରେ ଆହୁରି ସାମିଲ ହୋଇଛନ୍ତି ଫୁରଫୁରା ସରିଫ୍ ର ମୁସଲିମ୍ ନେତା ଆବାସ ସିଦ୍ଦିକ ।

କିଏ ଏହି ମିନାକ୍ଷୀ ? । ରାଜନୀତି ଶାସ୍ତ୍ରରେ ଏମ ଏ ଡିଗ୍ରୀ ହାସଲ କରିଥିବା ମିନାକ୍ଷୀ ୟୁନିଭରସିଟିରେ ପଢୁଥିବା ବେଳେ ସିପିଏମର ଛାତ୍ରଶାଖା ଏସଏଫଆଇ ସହିତ ଯୋଡି ହୋଇଥିଲେ । ଏଠାରୁ ଛାତ୍ର ରାଜନୀତି ଆରମ୍ଭ କରିଥିବା ମିନାକ୍ଷୀ ତାଙ୍କର ଆକର୍ଷଣୀୟ ଭାଷଣ ସାଂଗଠନିକ ଦକ୍ଷତା ଯୋଗୁଁ ଖୁବଶୀଘ୍ର ଏସଏଫଆଇର ରାଜ୍ୟ ସଭାପତି ପଦ ପାଇପାରିଥିଲେ । ରାଜ୍ୟରେ ବାମଦଳର ସମସ୍ତ ଆନ୍ଦୋଳନରେ ସାମିଲ ହୋଇ ଦଳର ବଡ ବଡ ନେତାଙ୍କର ଦୃଷ୍ଟି ଆକର୍ଶଣ କରିଥିଲେ ।

ମିନାକ୍ଷୀଙ୍କୁ ଙ୍କୁ ଟିକେଟ୍ ମିଳିବା ପରେ ସେ ଗଣମାଧ୍ୟମକୁ କହିଥିଲେ କି ‘ମାନୁଛି ନନ୍ଦୀଗ୍ରାମ ଏବେ ହାଇ ପ୍ରୋଫାଇଲ ସିଟ୍ । ହେଲେ ଏହା ସତ ଯେ ଏଠାରୁ ଯେଉଁମାନେ ନିର୍ବାଚନ ଲଢୁଛନ୍ତି ସେମାନେ ୧୦ ବର୍ଷ ହେବ ଏହି ଅଞ୍ଚଳ ପାଇଁ କିଛି ବି କରିନାହାନ୍ତି । ମୁଁ ରାଜ୍ୟର ସମସ୍ତ ୨୯୪ ଆସନ ପାଇଁ ସନ୍ଦେସ ଦେବାକୁ ଚାହୁଁଛି କି ଯୁବକ ମାନଙ୍କୁ ରୋଜଗାରର ଆବଶ୍ୟକତା ଅଛି , ରାଜ୍ୟରେ ଶିଳ୍ପାୟନର ଆବଶ୍ୟକତା ରହିଛି । ଗରୀବ ମାନଙ୍କୁ ଗରୀବିରୁ ମୁକ୍ତି ଦେବାର ଆବଶ୍ୟକତା ରହିଛି । ଏହି ନିର୍ବାଚନ ଧାର୍ମିକ ଧୃବିକରଣ ନୁହେଁ ମୁଦ୍ଦା ଆଧାରରେ ଲଢାଯିବାର ଆବଶ୍ୟକତା ରହିଛି ’ ।

ନନ୍ଦୀଗ୍ରାମ ବିଧାନସଭା କ୍ଷେତ୍ରରେ ରହିଛି ୧୭ ଟି ଗ୍ରାମପଞ୍ଚାୟତ । ଏହି ୧୭ ଗ୍ରାମପଞ୍ଚାୟତ ମଧ୍ୟରୁ ୧୦ ଟି ଗ୍ରାମପଞ୍ଚାୟତରେ ବାମଦଳର ସ୍ଥିତି କିଛି ଭଲ ନାହିଁ । କିନ୍ତୁ ୨୦୧୧ ପର୍ଯ୍ୟନ୍ତ ନନ୍ଦୀଗ୍ରାମ ପୁରା ଲାଲଗଡ ଭାବେ ପରିଚିତ ଥିଲା । ତେଣୁ ପୁରୁଣା କର୍ମୀ ମାନଙ୍କୁ ଏକଜୁଟ୍ କରଛନ୍ତି ମିନାକ୍ଷୀ । ଏହାସହ ଜଣେ ଯୁବଚେହେରା ଭାବେ କିଛି ଛାତ୍ର ଯୁବକ ମାନଙ୍କୁ ବି ନିଜ ସାଥିରେ ନେବାରେ ସଫଳ ହୋଇଛନ୍ତି ସେ । ହେଲେ ଏବେର ବ୍ୟୟବହୁଳ ନିର୍ବାଚନରେ ମିନୀକ୍ଷୀ ଭଳି ଜଣେ ମଧ୍ୟବିତ୍ତଶ୍ରେଣୀର ମହିଳା ଭୋଟର ମାନଙ୍କୁ କେତେ ଆକୃଷ୍ଟ କରିପାରିବ ତାହା ନିର୍ବାଚନ ଫଳା ଫଳ ପରେ ଜଣାପଡିବ ।