ସନସାଇନ ସ୍କୁଲରେ ଥିଲା ଗୁପ୍ତ କୋଠରୀ? ଭିତରେ ଚାଲୁଥିଲା କଣ, ସାମ୍ନାକୁ ଆସିଲା ଅଡିଓ କ୍ଲିପ୍?

1,448

କନକ ବ୍ୟୁରୋ : କଳାହାଣ୍ଡି ମହାଲିଙ୍ଗର ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲାରେ ପରିବାର ଲୋକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ମମିତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମମିତା ନିଖୋଜ ପଛରେ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କ ସମ୍ପୃକ୍ତି ଥିବା ମମିତାଙ୍କ ପରିବାର ଲୋକେ ପୂର୍ବରୁ ଅଭିଯୋଗ ଆଣିଥିଲେ । ଆଉ ଏସବୁ ଭିତରେ କୁହାଯାଉଛି ସନସାଇନ ସ୍କୁଲରେ ରହିଥିଲା ଏକ ଗୁପ୍ତ କୋଠରୀ । ଏହି କୋଠରୀକୁ ସାଧାରଣ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପ୍ରବେଶ ନିଷେଧ ଥିଲା । କେବଳ ଗୋବିନ୍ଦ ସାହୁ ଚାହିଁଲେ ଏହି କୋଠରୀରେ କେହି ପ୍ରବେଶ କରିପାରିବେ । ଗୋବିନ୍ଦ ସାହୁଙ୍କ ଅନୁମତି ମିଳିଲା ପରେ ହିଁ ଜଣେ ଏଡି କୋଠରୀରୁ ପ୍ରବେଶ କରିପାରୁଥିଲା ।

ସ୍କୁଲର ଏକ କୋଣରେ ରହିଥିଲା ଏହି ଗୁପ୍ତ କୋଠରୀ । କୁହାଯାଉଛି ଏହି ଗୁପ୍ତ କୋଠରୀରେ ସବୁ ଅନୈତିକ କାମ କରାଯାଏ । ସ୍କୁଲରେ ଏକ ଅଣ୍ଡରଗ୍ରାଉଣ୍ଡ କୋଠରୀ ରହିଥିଲା । ଏପରିକି ହଷ୍ଟେଲରେ ମଧ୍ୟ ଗୁପ୍ତ କୋଠରୀ ଥିବା ନେଇ ମଧ୍ୟ ସୂଚନା ରହିଛି । କୁହାଯାଉଛି ଏହି କୋଠରୀ ଭିତରକୁ ଅନ୍ୟ ମାନଙ୍କର ପ୍ରବେଶ ନିଷେଧ ଥିଲା ।  ଏପରିକି କୌଣସି ଘଟଣାକୁ ନେଇ ମମିତା ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ବରବାଦ କରିଦେବି ବୋଲି କହିଥିଲେ ଓ ଏହାର ଗୋଟିଏ ଦିନ ପରେ ସ୍କୁଲର ପ୍ରେସିଡେଣ୍ଟ  ମମିତାଙ୍କ ଘରକୁ ଯାଇଥିଲେ । ଉଭୟଙ୍କ ମଧ୍ୟରେ କଣ ଆଲୋଚନା ହୋଇଥିଲା ତାହା ସ୍ପଷ୍ଟ ହୋଇନାହିଁ । ଆଉ ଏହାର ଅଡିଓ କ୍ଲିପ୍ କଂଗ୍ରେସ ଜାରି କରିଛି ।

ସେହିଭଳି ସନସାଇନ ସ୍କୁଲ ମାଲିକ ଗୋବିନ୍ଦ ସାହୁ ଓ ମମିତା ମେହେରଙ୍କ ଜଣେ ସମ୍ପର୍କୀୟ ଫୋନ କଲ ରେକର୍ଡ ଏବେ ସାମ୍ନାକୁ ଆସିଛି । ଫୋନ କଲରେ ଗୃୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ନେଇ କଥାବାର୍ତା ହେଉଛନ୍ତି । ମନ୍ତ୍ରୀ ଫୋନ ଉଠାଉ ନାହାନ୍ତି ଏବଂ ସେ ଭବାନୀପାଟଣାରେ ଅଛନ୍ତି କି ନାହିଁ ସେ ଜାଣିନାହାନ୍ତି । ତେବେ ଘଟଣା ସମ୍ପର୍କରେ ତାଙ୍କୁ ଅବଗତ କରାଯାଇଛି । ସେ ଝିଅକୁ ଖୋଜି ବାହାର କରିବା ପାଇଁ ରାଜ୍ୟସ୍ତରରେ ଚେଷ୍ଟା କରିବେ ବୋଲି କହିଥିଲେ ଗୋବିନ୍ଦ ସାହୁ । ମିଳିଥିବା ସୂଚନା ଅନୁସାରେ ମମିତା ନିଖୋଜ ହେବା ପରେ ଗୋବିନ୍ଦ ସାହୁ ତାଙ୍କ ସମ୍ପର୍କୀୟଙ୍କୁ ଫୋନ କରି ଏଭଳି କିଛି କଥାବାର୍ତା କରିଥିଲେ । ଏବଂ ଝିଅକୁ ଖୋଜି ବାହାର କରିଦେବେ ବୋଲି ମନ୍ତ୍ରୀଙ୍କ ନାଁ ନେଇଥିଲେ । ଆଉ ଗୋବିନ୍ଦ ଏବେ ନିଜେ ଫେରାର ହୋଇଯାଇଛନ୍ତି ।