କନକ ବ୍ୟୁରୋ: ବାଳକ ରୂପରେ ପ୍ରଭୂ ରାମଙ୍କ ପୂର୍ଣ୍ଣଅବୟବ ପ୍ରତିମା ମନ ମୋହିନେଇଛି । ଯିଏ ଦେଖିଛି ଘଡ଼ିଏ ଅଟକି ଯାଇଛି । ରାମଲାଲାଙ୍କ ଆଖିରେ ଆଖି ମିଶାଇ ଭୁଲି ଯାଇଛି ସଂସାରର ଦୁଃଖ । କାରଣ ସେ ଆଖି ସେମିତି, ଯେଉଁଥିରେ ଅଛି ଦୟାଭାବ । ମୁଖମଣ୍ଡଳରେ ପ୍ରେମ ଓ କରୁଣା ।

ଅତି ଭବ୍ୟ, ଦିବ୍ୟ ଓ କମନୀୟ କାନ୍ତି । କମଳ ସଦୃଶ୍ୟ ଢ଼ଳ ଢ଼ଳ ଆଖି, ମୁଖ ମଣ୍ଡଳରେ ପ୍ରେମ ଓ କରୁଣାର ଭାବ । ରାମ ଲାଲାଙ୍କ ଏହି ଅପରୂପକୁ ଦେଖିବା ପାଇଁ ଅପେକ୍ଷା କରିଥିଲେ କୋଟି କୋଟି ଭାରତୀୟ ।

ସମୟ ଦିନ ୧୨ଟା ୨୯ ମିନିଟ୍ ୮ ସେକେଣ୍ଡ
୮୪ ସେକେଣ୍ଡର ବିଧି ପରେ ସଂପନ୍ନ ହୋଇଥିଲା ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା । ୫ ବର୍ଷର ବାଳକ ରୂପରେ ଦର୍ଶନ ଦେଇଥିଲେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମ । ଶ୍ୟାମଳ ରଙ୍ଗ, ମଥାରେ ସିଲଭର ଓ ନାଲି ରଙ୍ଗର ଚିତା, ହାତରେ ସୁନାର ଧନୁତୀର ଦେଖି ଆତ୍ମହରା ହୋଇ ଉଠିଥିଲେ ସମସ୍ତେ । ମୁଖ ମଣ୍ଡଳ ଯେତିକି ଦିବ୍ୟ, ସେଥିରେ ରହିଛି ସେତିକି ସରଳପଣ । ଧନୁର୍ଦ୍ଧାରୀ, କିନ୍ତୁ ଆଖିରେ ଅସୀମ ଦୟାଭାବ ।

ଆପାଦ ମସ୍ତକ ଫୁଲ ଓ ଅଳଙ୍କାରରେ ସୁସଜ୍ଜିତ । ହଳଦି ରଙ୍ଗର ମଠା ଧୋତି, ହଳଦି ରଙ୍ଗର ଫୁଲ ସହ ସ୍ୱର୍ଣ୍ଣ ଅଳଙ୍କାରରେ ଆଚ୍ଛାଦିତ ରାମଲାଲାଙ୍କ ପ୍ରଥମ ଦର୍ଶନ ପାଇ ଭକ୍ତି ରସରେ ବିଭୋର ହୋଇଉଠିଛନ୍ତି କୋଟି କୋଟି ଶ୍ରଦ୍ଧାଳୁ ।
ରାମଲାଲାଙ୍କ ପ୍ରଥମ ଦର୍ଶନ
କଳା ପଥରରେ ନିର୍ମିତ ହୋଇଛି ରାମଲାଲାଙ୍କ ମୂର୍ତ୍ତି
ମୂର୍ତ୍ତିର ଚାରିପାଶ୍ୱର୍ରେ ଖୋଦିତ ହୋଇଛି ଦଶ ଅବତାର
ରହିଛି ଓମ୍, ସ୍ୱସ୍ତିକ, ଶଙ୍ଖ, ଚକ୍ର, ଗଦା, ପଦ୍ମ ଭଳି ପବିତ୍ର ଚିହ୍ନ
ଅଳଙ୍କାରରେ ସୁସଜ୍ଜିତ ରାମଲାଲାଙ୍କ ମୂର୍ତ୍ତି
ଯାହା ରାଜକୀୟ ସଙ୍କେତ
ମୂର୍ତ୍ତିର ଉଚ୍ଚତା ୫୧ ଇଂଚ୍, ୫ ବର୍ଷର ବାଳକର ହାରାହାରି ଉଚ୍ଚତା
ରାମଲାଲାଙ୍କ ହାତରେ ସୁନାରେ ନିର୍ମିତ ଧନୁତୀର
ଶ୍ରୀରାମଙ୍କୁ ‘ଆଜାନୁବାହୁ’ କୁହାଯାଉଥିବାରୁ ମୂର୍ତ୍ତିର ହାତ ସେହିଭଳି ରହିଛି
ପଦ୍ମଲୋଚନ ନାଁକୁ ଯଥାର୍ଥ କରୁଛି ରାମଲାଲାଙ୍କ ଢଳ ଢଳ ଆଖି