ବ୍ରହ୍ମପୁରରେ କୋଟିପତି ଅଙ୍ଗନବାଡି କର୍ମୀ ଗିରଫ । ଗତକାଲି ଠାରୁ ଚାଲିଥିଲା ଚଢାଉ । ଏପଟେ ଭିଜିଲାନ୍ସ ହାତରେ ବନ୍ଧା ହେଲେ ଭୁବନେଶ୍ୱର ପୂର୍ତ ବିଭାଗ କୋଟିପତି କିରାଣି ଅସିତ ନାୟକ ।

151

କନକ ବ୍ୟୁରୋ : ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ବ୍ରହ୍ମପୁରରେ ଅଙ୍ଗନବାର୍ଡ଼ି କର୍ମୀ ଗିରଫ । ଆୟବର୍ହିଭୁତ ସଂପତି ଠୁଳ ଅଭିଯୋଗରେ ଗତକାଲି ଠାରୁ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍ । ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ତ । ବହ୍ମପୁର ୯ ନମ୍ବର ୱାର୍ଡ଼ର ଅଙ୍ଗନବାର୍ଡ଼ି କର୍ମୀ ନମିତା ଦଳେଇଙ୍କ ବାସଭବନ ସମେତ ୬ଟି ସ୍ଥାନରେ ରେଡ଼ କରିଥିଲା ଭିଜିଲାନ୍ସ ।

ବହ୍ମପୁର ଲକ୍ଷ୍ମୀ ନୃସିଂହ ନଗରରେ ଥିବା ୨ ଟି ଘର, ଗଣେଶ ନଗରରେ ଥିବା ଗୋଟିଏ ଘର ଓ ଅଫିସ, ବହ୍ମପୁରରେ ଥିବା ଜଣେ ସଂପକୀୟଙ୍କ ଘର ଓ ଭୁବନେଶ୍ୱରରେ ୨ଟି ଆପାର୍ଟମେଂଟରେ ଏକକାଳିନ ଚଢ଼ାଉ କରଥିଲା ଭିଜିଲାନ୍ସ । ବହ୍ମପୁର ଭିଜିଲାନ୍ସ ସ୍ୱତନ୍ତ୍ର ଜର୍ଜଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉ ଚାଲିଛି ।

ସେପଟେ ଗିରଫ ହେଲେ କୋଟିପତି କ୍ଲର୍କ । ଭୁବନେଶ୍ୱର ପୂର୍ତବିଭାଗର ବରିଷ୍ଠ କିରାଣୀ ଅସିତ କୁମାର ନାୟକଙ୍କୁ ଗିରଫ କରାଯାଇଛି । ଗତକାଲି ଭୁବନେଶ୍ୱର ଭିଜିଲାନ୍ସ ତାଙ୍କ ଡୁମଡୁମା ବାସଭବନ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ କରିଥିଲା । ଚଢାଉବେଳେ ପୁଳା ପୁଳା ଟଙ୍କା ଓ ସୁନା ଅଳଙ୍କାର ଜବତ ହୋଇଥିଲା ।ଏବେ ସୁଦ୍ଧା ୫ କୋଟି ୨୩ ଲକ୍ଷରୁ ଅଧିକ ସଂପତି ଠାବ କରାଯାଇଛି । ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଥିଲା ।

ଏହାସହ ଆଜି ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ପୁରୀ ଅଙ୍ଗନୱାଡି କର୍ମୀ ସନ୍ଧ୍ୟାରାଣୀ ଭଟ୍ଟଙ୍କ ଘରେ ଭିଜିଲାନ୍ସ ଛାପା ମାରିଛି । ସଂଧ୍ୟାରାଣୀଙ୍କ ପୈତୃକ ଘର, ସମତେ ହାତୀଶାଳରେ ଥିବା ୪ ମହଲା କୋଠା, ଅଟା ମିଲ, ଅଙ୍ଗନୱାଡି କେନ୍ଦ୍ର ଓ ଡେଲାଙ୍ଗ ହାଟ ସାହିରେ ଥିବା ଶଶୁର ଘରେ ମଧ୍ୟ ରେଡ ହୋଇଛି । ବର୍ତମାନ ଏହି ରେଡ ଜାରି ରହିଛି ।