କନକ ବ୍ୟୁରୋ: ମଣ୍ଡିରେ ଗଡ଼ୁଛି ମାଣ୍ଡିଆ । ନେବା ପାଇଁ କେହି ନାହିଁ ଆଉ ଏହାକୁ ବିକ୍ରି ପାଇଁ ଚାଷୀ ବୁଲୁଛି ବାର ଦୁଆର । ପ୍ରଶାସନ ଟାର୍ଗେଟ ପୂରଣ ହେଇଗଲାଣି ବୋଲି କହୁଥିବାବେଳେ ଚାଷୀମାନେ ସେମାନଙ୍କୁ କାହିଁକି ଆଶା ଦେଖାଇଲ ବୋଲି ପ୍ରଶ୍ନ କରୁଛନ୍ତି । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ ।
ଡ଼ଙ୍ଗର ଧାନ ପରିବର୍ତେ ମାଣ୍ଡିଆ ଚାଷ କଲେ ଅଧିକ ଲାଭ ମିଳିବ, ସରକାର ମିଲଟ ମିଶନ ଜରିଆରେ ମଣ୍ଡି ଖୋଲି ମାଣ୍ଡିଆ କିଣିବେ । ଏଭଳି କେତେ କଣ ସ୍ଳୋଗାନ ଦେଇ କୋରାପୁଟ ଜିଲ୍ଳାର ଗାଁ ଗଣ୍ଡା ଓ ହାଟ ବଜାରରେ ବୁଲି ପ୍ରଚାର କଲେ ପ୍ରଶାସନିକ ଅଧିକାରୀ । ସେମାନଙ୍କ କଥାକୁ ବିଶ୍ୱାସ କରି ଚାଷୀ ବି ମାଣ୍ଡିଆ ଚାଷ କଲେ । ଆଉ ଏବେ ମାଣ୍ଡିଆ ଅମଳ ହୋଇଥିବା ବେଳେ ବିକ୍ରି ପାଇଁ ବାର ଦୁଆର ବୁଲୁଛନ୍ତି ଚାଷୀ । କାରଣ ଚାଷୀ ମାଣ୍ଡିଆ ଆଣି ମଣ୍ଡିରେ ରଖିଛନ୍ତି କିନ୍ତୁ କିଣିବାକୁ କେହି ନାହାନ୍ତି । ଟାର୍ଗେଟ ପୁରୁଣ ହୋଇଯାଇଥିବା କହି ମଣ୍ଡି କର୍ତୃପକ୍ଷ ଚୁପ୍ ବସିଥିବା ବେଳେ କୋରାପୁଟ ଲମତାପୁଟ ବ୍ଲକର ଗୁନେଇପଡା ମଣ୍ଡିରେ ଶହଶହ କ୍ୱିଂଟାଲ ମାଣ୍ଡିଆ ଜଗି ରହିଛନ୍ତି ଚାଷୀ ।
ଅଧିକା ପଇସା ଆଶାରେ ଦଲାଲ ହାତକୁ ନଦେଇ ସରକାରୀ ମଣ୍ଡିରେ ମାଣ୍ଡିଆ ବିକ୍ରି କରିବାକୁ ଆଶା ରଖିଥିଲେ ଚାଷୀ । କିନ୍ତୁ ହଠାତ୍ ମଣ୍ଡି ବନ୍ଦ ଘୋଷଣା ଚାଷୀଙ୍କ ନିଦ ହଜେଇ ଦେଇଛି । ବିଭାଗୀୟ ଅଧିକାରୀ କହୁଛନ୍ତି ରାଜ୍ୟରେ ମାଣ୍ଡିଆ କିଣିବାରେ ପ୍ରଥମ ସ୍ଥାନ ଅଧିକାର କରିଛି କୋରାପୁଟ ଜିଲ୍ଲା ।
ଏ ବର୍ଷ ସରକାର କିଲୋ ପ୍ରତି ୩୨ ଟଙ୍କା ୯୦ ପଇସାରେ ମାଣ୍ଡିଆ କିଣିଛନ୍ତି । ୭୨ ହଜାର କ୍ୱଇଂଟାଲ ମାଣ୍ଡିଆ କିଣିବାକୁ ଟାର୍ଗେଟ ଦେଇଥିଲେ । ତାହା ପୂରଣ ହୋଇଯିବାରୁ ମଣ୍ଡି ବନ୍ଦ ହୋଇଯାଇଛି । ଅଧିକ ୫ ହଜାର କ୍ୱିଂଟାଲ ମାଣ୍ଡିଆ କିଣିବା ପାଇଁ ସରକାରଙ୍କୁ ଟାର୍ଗେଟ ମଗାଯାଇଛି । ଟାର୍ଗେଟ ଆସିଲେ ପୁଣି ମଣ୍ଡି ଖୋଲି ମାଣ୍ଡିଆ କିଣା ଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।