କନକ ବ୍ୟୁରୋ : କିଏ ମେସିନ ସାହାର୍ଯ୍ୟରେ ପାଉଡର ଫେଣ୍ଟୁଛି ତ କିଏ ଚୁନା ପ୍ରସ୍ତୁତ କରୁଛି । ପରେ ସମସ୍ତେ ମିଶି ଛାଂଚରେ ପାଗ ହେଉଥବା ଦ୍ରବ୍ୟକୁ ପରସୁଛନ୍ତି । ଏମିତି ଚିତ୍ର ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ହଉଡ଼ଖୋଲ ନିକଟରେ ଥିବ ତାରାତାରିଣୀ ବେକରିର । ଭିତରେ କେକ ଓ ପାଉଁରୁଟି ପ୍ରସ୍ତୁତିରେ ଲାଗିଛନ୍ତି ମହିଳାମାନେ । ଏ ହେଉଛି ବଡ଼ବାହାଲି ଅନ୍ନପୂର୍ଣ୍ଣା ଉତ୍ପାଦକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ହେଉଥିବା ମାଣ୍ଡିଆ କେକ ଓ ପାଉଁରୁଟି । ସରକାରଙ୍କ ମାଣ୍ଡିଆ ମିଶନ ଅଧିନରେ ଏମାନେ ମାଣ୍ଡିଆରୁ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରି ବଜାରରେ ବିକ୍ରି କରିବା ସହିତ ଭଲ ଦୁଇ ପଇସା ରୋଜଗାର କରିବାରେ ସକ୍ଷମ ହୋଇପାରିଛନ୍ତି । ଫଳରେ ବେଶ ଆରାମରେ ନିଜ ପରିବାର ଚଳାଇବାକୁ ସକ୍ଷମ ହୋଇଥିବା କହିଛନ୍ତି ।

Advertisment

ସାରା ଦେଶର ଏବେ ମାଣ୍ଡିଆରୁ ଉତ୍ପାଦିତ ସାମଗ୍ରୀର କ୍ରେଜ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ମାଣ୍ଡିଆ ମିଶନ ଜରିଆରେ ଅନ୍ନପୂର୍ଣ୍ଣା ଉତ୍ପାଦକ ଗୋଷ୍ଠୀର ୧୦ ଜଣ ମହିଳା ମାଣ୍ଡିଆ କେକ ପ୍ରସ୍ତୁତ ପାଇଁ ଆଗେଇ ଆସିଥିଲେ । ତେବେ ଏସବୁ ପ୍ରସ୍ତୁତ ପାଇଁ ଆବଶ୍ୟକ ମେସିନ ନଥିବାରୁ ନିକଟରେ ଥିବା ତାରାତାରିଣୀ ବେକରୀ ସହ ଯୋଗଯୋଗ କରିଥିଲେ । ଉଭୟ ପକ୍ଷର ସହଯୋଗରେ ସେମାନେ ନିଜେ ଶ୍ରମଦାନ କରି ଆରମ୍ଭ କରିଥିଲେ ମାଣ୍ଡିଆରୁ ପ୍ରସ୍ତୁତ କେକ୍, ପାଉଁରୁଟି ସହିତ ଅନ୍ୟାନ୍ୟ ସାମଗ୍ରୀ । ଯାହାକୁ ବାହାର ବଜାର ସହିତ ନିଜର ଗୋଷ୍ଠୀରେ ଥିବା ସୁବର୍ଣ୍ଣ ବଜାରରେ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରିପାରିଛନ୍ତି । ଏହାକୁ ବିଭିନ୍ନ ମହଳରେ ପ୍ରଶଂସା କରାଯାଇଥିବା ମଧ୍ୟ ସେମାନେ କହିଛନ୍ତି ।

ଇଛାଶକ୍ତି ଥିଲେ ଉପାୟ ଆପେ ଆପେ ଆସେ । ଆଉ ଏହାକୁ କାର୍ଯ୍ୟକାରୀ କରି ଦେଖାଇଛନ୍ତି ଅନ୍ନପୂର୍ଣ୍ଣା ଉତ୍ପାଦକ ଗୋଷ୍ଠୀ ।