କନକ ବ୍ୟୁରୋ:ପାରମ୍ପରିକ ଭାରତୀୟ ଖାଦ୍ୟ ମିଲେଟ ବା ମାଣ୍ଡିଆ । ଏହା ବର୍ତ୍ତମାନ ସମୟରେ ଲୋକଙ୍କ ମଧ୍ୟରେ ଆଦୃତ ହୋଇପାରିଛି । ସମସ୍ତ ବୟସ ତଥା ସାମାଜିକ ବର୍ଗର ଲୋକ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ମାଣ୍ଡିଆ ଭଳି ପୋଷକ ତତ୍ତ୍ୱରେ ଭରପୁର ଖାଦ୍ୟ ଖାଉଛନ୍ତି । ଏହାର ଚାହିଦା ଦିନକୁ ଦିନ ଆହୁରି ବଢିବାରେ ଲାଗିଛି । ଆସନ୍ତୁ ଆଜିର ଏହି ଭିଡିଓରେ ଜାଣିବା ଦେହ ପାଇଁ କେତେ ଭଲ ।

Advertisment

ମାଣ୍ଡିଆରେ ପ୍ରଚୁର ପରିମାଣରେ ଫାଇବର ରହିଛି । ଏହା ଏଭଳି ଗୋଟିଏ ଖାଦ୍ୟ ଯାହା ସାରା ବିଶ୍ୱରେ ଫିଟେନସକୁ ନେଇ ଦାୟିତ୍ୱବାନ ଥିବା ଲୋକଙ୍କ ମଧ୍ୟରେ ବେସ ଆଦୃତ ଲାଭ କରିଛି । ଏହା ଜଣେ ବ୍ୟକ୍ତିର ପାଚନ ତନ୍ତ୍ରଠାରୁ ନେଇ ପୂରା ଶରୀରକୁ ସୁସ୍ଥ ରଖିଥାଏ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ-ଏ, ବି, ଫସଫରସ, ପୋଟାସିୟମ, କ୍ୟାଲସିୟମ, ଆଇରନ ତଥା ପର୍ଯ୍ୟାପ୍ତ ପରିମାଣର ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ । ଏହି ସମସ୍ତ ପୋଷକ ତତ୍ତ୍ୱ ମାଣ୍ଡିଆକୁ ଏକ ଶକ୍ତି କେନ୍ଦ୍ରରେ ପରିଣତ କରିଥାଏ । ଯାହା ବିଶେଷ କରି ହୃଦରୋଗ,ଷ୍ଟ୍ରୋକ, ମଧୁମେହ, ଉଚ୍ଚ ରକ୍ତଚାପକୁ ହ୍ରାସ କରିଥାଏ ।

ରିସର୍ଚ୍ଚରୁ ଜଣାପଡିଛି ଯେ ମାଣ୍ଡିଆ ଶିଶୁ ତଥା କିଶୋରଙ୍କ ବିକାଶରେ ବେସ ସହାୟକ ହୋଇଥାଏ । ଏହାଦ୍ୱାରା ସମସ୍ତ ପ୍ରକାରର କୁପୋଷଣ ସମସ୍ୟାର ସମାଧାନ ହୋଇଥାଏ । ଏହା ଅପପୃଷ୍ଟିକୁ ରୋକିବା ପାଇଁ ବେଷ୍ଟ ମେଡିସିନ କହିପାରିବା । ଆମ ଦେଶର ବିଭିନ୍ନ ପ୍ରାନ୍ତରେ ମିଲେଟ ଦେଖିବାକୁ ମିଳୁଛି ।

ସେହିଭଳି ମଧୁମେହ ରୋଗୀଙ୍କ ପାଇଁ ମାଣ୍ଡିଆ ଉକ୍ରୃଷ୍ଟ ଖାଦ୍ୟ । ବିଶେଷ କରି ଯଦି ଦେଖିବା ବିଶ୍ୱର ଦ୍ୱିତୀୟ ସର୍ବାଧିକ ମଧୁମେହ ରୋଗୀ ଭାରତରେ ରହିଛନ୍ତି ସେହି ସମୟରେ ଏହା ଲୋକଙ୍କ ପାଇଁ ବେସ ଉପଯୋଗୀ । ଧରି ଧିରେ ଏହା ଦେଶରେ ବେଶ ଲୋକପ୍ରିୟ ହେବାରେ ଲାଗିଛି । ମିଲେଟରେ ଥିବା ମ୍ୟାଗ୍ନେସିୟମ ମଧୁମେହକୁ ରୋକିବାର କାମ କରିଥାଏ । ଏହା ଇନସୁଲିନର ସ୍ତରକୁ ସନ୍ତୁଳିତ କରିଥାଏ ଏବଂ ଶରୀରରେ ସୁଗର ମାତ୍ରାକୁ ଉତ୍ତେଜିତ କରି ଶରୀରରେ ଶର୍କରାର ସ୍ତରକୁ ସନ୍ତୁଳିତ କରିଥାଏ ।

ବର୍ତ୍ତମାନ ସମୟରେ ଲୋକଙ୍କ ବିଗୁଡୁଥିବା ସ୍ୱାସ୍ଥ୍ୟ ଭିତରେ ମିଲେଟର ଉପକାରିତା ଲୋକଙ୍କୁ ବେସ ଲାଭାନ୍ୱିତ କରୁଛି । ଭାରତ ପ୍ରତ୍ୟେକ ବର୍ଷ ୧୭୦ ଲକ୍ଷ ଟନରୁ ଅଧିକ ମାଣ୍ଡିଆ ଉତ୍ପାଦିତ ହୋଇଥାଏ । ରେକର୍ଡ ଉତ୍ପାଦନ କାରଣରୁ ଏହା ବିଶ୍ୱର ଏକ ପ୍ରମୁଖ କେନ୍ଦ୍ର ପାଲଟିଛି । ଏସିଆରେ ଉତ୍ପାଦିତ ହେଉଥିବା ୮୦ ପ୍ରତିଶତ ମାଣ୍ଡିଆ ଭାରତରୁ ହିଁ ଉତ୍ପାଦିତ ହୋଇଥାଏ । ଚଳିତ ବର୍ଷକୁ ମିଳିତ ଜାତିସଂଘ ଅନ୍ତ୍ରର୍ଜାତୀୟ ମିଲେଟ ବର୍ଷ ଘୋଷଣା କରାଯାଇଥାଏ ।

ଭାରତ ସରକାର ମଧ୍ୟ ମିଲେଟକୁ ଗୁରୁତ୍ୱଦେଇଛନ୍ତି । ନିକଟରେ ଶ୍ରୀ ଅନ୍ନ ଗ୍ଲୋବାଲ କନଫରେନ୍ସର ଉଦଘାଟନ କରାଯାଇଥିଲା । ଏଥିରେ ଦେଶ ଦୁନିଆର ଲୋକପ୍ରିୟ ମିଲେଟକୁ ସାମିଲ କରାଯାଇଥିଲା । ଦୁଇ ଦିନିଆ ଏହି ବିଶ୍ୱ ସମ୍ମିଳନୀରେ ଉତ୍ପାଦକ, ଉପଭୋକ୍ତା ଏବଂ ଅନ୍ୟ ହିତାଧିକାରୀଙ୍କ ମଧ୍ୟରେ କେଉଁଭଳି ମାଣ୍ଡିଆର ପ୍ରଚାର କରାଯାଇପାରିବ ସେ ଉପରେ ଆଲୋଚନା ହୋଇଥିଲା ।

ଆମ ରାଜ୍ୟରେ ମଧ୍ୟ ମାଣ୍ଡିଆକୁ ନେଇ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି । ଓଡିଶା ମିଲେଟ ମିଶନ ଜରିଆରେ ମାଣ୍ଡିଆର ଚାହିଦାକୁ ବୃଦ୍ଧି କରାଯାଇଛି । ମାଣ୍ଡିଆ ଦିନ ମଜୁରିଆ ଠାରୁ ନେଇ ବଡବଡିଆଙ୍କ ଲୋକପ୍ରିୟ ଖାଦ୍ୟ ହୋଇପାରିଛି । ବିଭିନ୍ନ ଏସଏଚଜି ଗ୍ରୁପ ମିଲେଟ କାଫେରେ ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ଜଳଖିଆ, ପିଠା ଲୋକଙ୍କ ଆଦୃତି ଲାଭ କରୁଛି । ଦିନେ ମାଣ୍ଡିଆକୁ ଭୁଲିଯାଇଥିବା ଚାଷୀ ଆଜି ପୁଣି ଥରେ ମାଣ୍ଡିଆକୁ ଚାଷ କରିବା ପାଇ ଆଗ୍ରହ ପ୍ରକାଶ କରୁଛନ୍ତି । ସରକାର ଏଥିପାଇଁ ଉତ୍ସାହିତ କରୁଛନ୍ତି । ତେଣୁ ଆପଣ ବି ସ୍ୱାସ୍ଥ୍ୟକୁ ଠିକ ରଖିବା ପାଇଁ ମାଣ୍ଡିଆ ଖାଆନ୍ତୁ ।