କନକ ବ୍ୟୁରୋ: ମିଲେଟ୍ ବଦଳାଇ ଦେଇଛି ଅନେକ ଚାଷୀଙ୍କ ଭାଗ୍ୟ । ସାଧାରଣ ଚାଷୀରୁ ବନିଯାଇଛନ୍ତି ସଫଳ ଉଦ୍ୟୋଗୀ । ମହିଳାଙ୍କୁ ବି ମିଲେଟ୍ ଦେଇଛି ସ୍ୱତନ୍ତ୍ର ପରିଚୟ । ଭୋକ ଓପାସରେ ରହୁଥିବା ପରିବାରକୁ କୋଟିପତି କରିଛି ମିଲେଟ୍ ।

Kanak News is now on WhatsApp
Join and get latest news updates delivered to you via WhatsApp
ଏହି ହସ ହସ ଚେହରା ପଛରେ ରହିଛି ଅନେକ ସଂଘର୍ଷ । ଦିନ ଥିଲା ପିତା କନ୍ଦା ଖାଇ ବିତୁଥିଲା ଆଲ୍ଲାଦିନଙ୍କ ଜୀବନ । ପରିସ୍ଥିତି ଏମିତି ଥିଲା ଯେ ଗୋଟିଏ ଓଳି ଖାଇଲେ, ଆଉ ଗୋଟେ ଓଳି ଓପାସ ରହିବାକୁ ପଡୁଥିଲା । ଅଭାବ ଅନଟନ ପାଇଁ ପାଠପଢାରେ ବି ଲାଗିଲା ଡୋରି । ଅଷ୍ଟମ ପରେ ଆଉ ସେ ମାଡି ନାହାନ୍ତି ସ୍କୁଲ ହତା । କିନ୍ତୁ ଏବେ ବଦଳିଯାଇଛି ଜୀବନ ଶୈଳୀ । କୋରାପୁଟର ବୈପାରୀଗୁଡାରେ ଆଲ୍ଲାଦିଙ୍କ ଘର । ଗାଁର ମହିଳାଙ୍କୁ ଏକାଠି କରି ସେ କରୁଛନ୍ତି ମିଲେଟ୍ ଚାଷ । ବାସ୍…କେଇ ଦିନରେ ମିଲେଟ ଜାତୀୟ ଖାଦ୍ୟ ପ୍ୟାକେଡିଂ କରି ବିକ୍ରି କରିବା ଆରମ୍ଭ କଲେ । ଆଉ ଏବେ ସଫଳ ଚାଷୀ ସମେତ ସଫଳ ଉଦ୍ୟୋଗୀ ହୋଇପାରିଛନ୍ତି ଆଲ୍ଲାଦିନ । କେବଳ ଏତିକି ନୁହଁ କମ୍ପାନୀର ନିର୍ଦ୍ଦେଶକର ଦାୟିତ୍ୱ ବି ତୁଲାଉଛନ୍ତି ଆଲ୍ଲାଦିନ ।
କେବଳ ଆଲ୍ଲାଦିନ ନୁହନ୍ତି ତାଙ୍କ ଭଳି ଅନେକ ମହିଳା ମିଲେଟ ପାଇଁ ହୋଇପାରିଛନ୍ତି ଆତ୍ମନିର୍ଭରଶୀଳ । ମୟୁରଭଞ୍ଜ ଜିଲ୍ଲାର ଯଶିପୁରର ସଞ୍ଜୁରାଣୀ ଜଣେ ଚାଷୀ । ମିଲେଟ ଚାଷ କରିବା ସହ ସ୍ୱୟଂ ସହାୟକ ଗୋଷ୍ଟିରେ ମିଲେଟ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ବିକ୍ରି କରି ହୋଇପାରିଛନ୍ତି ସ୍ୱାବଲମ୍ବୀ ।
ଏହାରି ଭିତରେ ମାଣ୍ଡିଆର ପରିଚୟ ବଦଳିଯାଇଛି । ମାଣ୍ଡିଆ ଆଉ ଅଭାବୀ ମଣିଷ ଖାଦ୍ୟ ହୋଇ ରହିନି । ବରଂ ସୁସ୍ଥ ଓ ସବଳ ହେବାର ଏକ ଆହାର ପାଲଟିଛି । ସବୁ ବର୍ଗର ଲୋକଙ୍କ ପ୍ରଥମ ପସନ୍ଦ ମଧ୍ୟ ପାଲଟିଛି । ଏବେ କେବଳ ମାଣ୍ଡିଆ ଜାଉ ନୁହଁ ବରଂ ବିଭିନ୍ନ ପୁଷ୍ଟିଶସ୍ୟରେ ତିଆରି ହେଉଛି ଭଳିକି ଭଳି ଖାଦ୍ୟ । ଭୁବନେଶ୍ୱରରେ ଆୟୋଜିତ ଆନ୍ତର୍ଜାତୀୟ ମିଲେଟ ସମ୍ମିଳନୀରେ ଅବସରରେ, ମିଲେଟ୍ରୁ ପ୍ରସ୍ତୁତ ଖାଦ୍ୟକୁ ନେଇ ପ୍ରତିଯୋଗିତା ମଧ୍ୟ ହୋଇଥିଲା ।
ମିଲେଟ ପ୍ରତି ଜନସଚେତନା ସୃଷ୍ଟି କରିବା ପାଇଁ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା ଦୁଇ ଦିନିଆ ଆନ୍ତର୍ଜାତୀୟ ମିଲେଟ ସମ୍ମିଳନୀ । ଏଥିରେ ଚାଷୀ, ସାଧାରଣ ଜନତାଙ୍କ ସମେତ ବିଦେଶରୁ ଆସିଥିବା ବ୍ୟବସାୟୀ ସାମିଲ୍ ହୋଇଥିଲେ ।