କନକ ବ୍ୟୁରୋ : ଓଜନ କଣ୍ଟା ଟାମ୍ପରିଙ୍ଗ୍ କରି ଚାଷୀଙ୍କୁ ଲୁଟୁଛନ୍ତି ମିଲର । କୁଇଣ୍ଟାଲ ପିଛା ୪ରୁ ୫ କିଲୋ ଧାନର ଟଙ୍କା ଚାଷୀ ପାଉନାହିଁ । କିପରି ଓଜନ କଣ୍ଟା ଟାମ୍ପରିଙ୍ଗ୍ କରି ମିଲରମାନେ ଚାଷୀଙ୍କୁ ଠକୁଛନ୍ତି ତା’ର ଏକ ଉଦାହରଣ ସାମ୍ନାକୁ ଆସିଛି ଯାଜପୁର ଦଶରଥପୁର ଅଂଚଳରୁ । ମିଲରଙ୍କ ଓଜନ ମେସିନରେ ଧାନ ବସ୍ତା ଓଜନ କଲେ ୫୦ କିଲୋ ଦେଖାଉଥିବା ବେଳେ ଅନ୍ୟ ଓଜନ ମେସିନରେ ଓଜନ କଲେ ତାହା ୫୨ କିଲୋରୁ ଅଧିକ ଦେଖାଉଛି । ଅର୍ଥାତ କୁଇଣ୍ଟାଲ ଧାନ ବସ୍ତାରୁ ୪ରୁ ୫ କିଲୋ ମିଲର ନେଇଯାଉଛି । ଫଳରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ବର୍ଷସାରା ବିଲରେ ଖଟି ଖଟି ଚାଷୀ ଅମଳ କରିଥିବା ଧାନ ବିକ୍ରି କରି ଲାଭ ପାଇପାରୁନାହିଁ ।
ଦଶରଥପୁର ପାଲଟପୁର ସମବାୟ ସମିତିରେ ଏଭଳି ଶୋଷଣ ଚାଲିଛି । ସୂଚନା ମୁତାବକ, ସ୍ଥାନୀୟ ଅଞ୍ଚଳର ଚାଷୀ ଅମୂଲ୍ୟ ବେହେରା ଧାନ ଓଜନ କରି ବିକିବା ପଇଁ ସମବାୟ ସମିତି ଆସିଥିଲେ । କିନ୍ତୁ ଏଠାରେ ଓଜନ କରିବାକୁ ତାଙ୍କ ବସ୍ତାରେ ଧାନ କମ ଥିବା ଦର୍ଶାଇଥିଲା । ପରେ ଅନ୍ୟ ଏକ ଓଜନ ମେସିନରେ ଓଜନ କରିବାରୁ ଧାନ ବସ୍ତାର ଓଜନ ଠିକ୍ ଦର୍ଶାଇଥିଲା । ମିଲର ଏଭଳି ବେଆଇନ ଭାବେ ଠକେଇ କରୁଥିବା ଜଣାପଡିବା ପରେ ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇଥିଲା । ପାଲଟପୁର ସମବାୟ ସମିତିର ସମ୍ପାଦକ ଏବଂ ସଭାପତି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ମିଲର କର୍ମଚାରୀଙ୍କୁ ଅଟକାଇଥିଲେ ଲୋକେ । ପରେ ପୁଲିସ ପହଂଚି ମିଲର କର୍ମଚାରୀଙ୍କୁ ଉଦ୍ଧାର କରିଛି । ଏଭଳି ବହୁ ଚାଷୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଛି ।