କନକ ବ୍ୟୁରୋ : କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ଦେହାନ୍ତ । ଗତକାଲି ବିଳମ୍ବିତ ରାତିିରେ ଚଣ୍ଡିଗଡ଼ର ପିଜିଆଇ ହସ୍ପିଟାଲରେ ୯୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପ୍ରାୟ ମାସେ ହେବ କରୋନାରେ ଆକ୍ରାନ୍ତ ହୋଇଥିଲେ ମିଲଖା ସିଂ । ପାଂଚ ଦିନ ତଳେ ପତ୍ନୀ ନିର୍ମଳାଙ୍କୁ ହରାଇଥିଲେ । ମିଲଖାଙ୍କ ବିୟୋଗ କ୍ରୀଡା ଜଗତକୁ ସ୍ତବ୍ଧ କରିଦେଇଥିବା ବେଳେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି ।

Advertisment

ସ୍ଥାନୀୟ ପିଜିଆଇଏମ୍ଆର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଏହି ମହାନ କ୍ରୀଡା ତାରକାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ପରିଲକ୍ଷିତ ହେବାରୁ ବୁଧବାର ତାଙ୍କୁ ଆଇସିୟୁରୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଥିଲା । ଗୁରୁବାର ପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଠାକ୍ ଥିଲା । ହେଲେ ଶୁକ୍ରବାର ପୁଣି ଥରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା । ତାଙ୍କ ଦେହରେ ଜ୍ୱର ବଢ଼ି ଯାଇଥିଲା ବେଳେ ଅକ୍ସିଜେନ ସ୍ତର ମଧ୍ୟ ଦ୍ରୁତ ଗତିରେ ନିମ୍ନଗାମୀ ହେବାର ଲାଗିଥିଲା । ମିଲଖାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁଣି ଆଇସିୟୁରେ ଭର୍ତି କରାଯାଇଥିଲା । ହେଲେ ଡାକ୍ତରମାନଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଥିଲା । ମୃତ୍ୟୁ ଶର୍ଯ୍ୟା ନିକଟରେ ଝିଅ ଡାକ୍ତର ମୋନା ମିଲ୍ଖା ସିଂ ଓ ପୁଅ ଜିଭ୍ ମିଲଖା ସିଂ ଉପସ୍ଥିତ ଥିଲେ ।

ମିଲଖା ସିଂହ କିଏ..
- ଦେଶର ସର୍ବକାଳୀନ ଶ୍ରେଷ୍ଠ ପୁରୁଷ ଧାବକ ଭାବରେ ମିଲଖାଙ୍କୁ ଗଣାଯାଏ
- ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସର ଫାଇନାଲ ରାଉଣ୍ଡରେ ପ୍ରବେଶ କରିଥିଲେ
- ୧୯୫୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ପରେ ଆଉ ପଛକୁ ଫେରି ନଥିଲେ
- ୧୯୬୦ ରୋମ ଅଲିମ୍ପିକ୍ସରେ ୪୦୦ ମିଟର ଫାଇନାଲରେ ୪ର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଂଚିତ ହୋଇଥିଲେ
- ୧୯୫୬ ଓ ୧୯୬୪ ଅଲିମ୍ପିକ୍ସରେ ମଧ୍ୟ ଭାରତରୁ ପ୍ରତିନିଧିତ୍ୱ କରିଥିଲେ
- ତାଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ ଚଳଚିତ୍ର ‘ଭାଗ ମିଲଖା ଭାଗ’ ବେଶ୍ ଆଦୃତ ହୋଇଥିଲା
- କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ ଭାରତ ସରକାର ।
- ୧୯୨୯ ନଭେମ୍ବର ୨୦ରେ ଗୋବିନ୍ଦପୁରାରେ ଜନ୍ମ ହୋଇଥିଲେ

ମିଲଖା ସିଂଙ୍କ ଦେହାନ୍ତ ନେଇ ଭାବୁକ ହେଲେ ପ୍ରଧାନମନ୍ତ୍ରୀ ମୋଦି। ଟ୍ୱିଟ କରି କହିଲେ, ମୁଁ କିଛି ଦିନ ପୂର୍ବରୁ ଶ୍ରୀ ମିଲଖା ସିଂ ଜୀଙ୍କ ସହ କଥା ହୋଇଥିଲି । ମୁଁ ଜାଣି ନଥିଲି ଯେ ଏହା ଆମର ଶେଷ ବାର୍ତ୍ତାଳାପ ହେବ । କୋଟି କୋଟି ଲୋକ ତାଙ୍କ ଜୀବନ ଯାତ୍ରାରୁ ପ୍ରେରଣା ପାଇବେ । ତାଙ୍କ ପରିବାର ଏବଂ ବିଶ୍ୱରେ ଥିବା ତାଙ୍କର ଅନେକ ପ୍ରଶଂସକଙ୍କୁ ମୋର ସମବେଦନା । ଅନ୍ୟପକ୍ଷରେ ମିଲଖାଙ୍କ ଦେହାନ୍ତରେ ରାଷ୍ଟ୍ରପତି ଶୋକ ପ୍ରକାଶ କରିଛନ୍ତି ।