କ୍ଷୀର ପାଇଁ ପାକିସ୍ତାନରେ ପଡିଲା ଚହଳ । ଲିଟର ପିଛା ୧୮୦ରେ ପହଞ୍ଚିଲା ଦର, ମହଙ୍ଗା ମାଡରେ ପାକିସ୍ତାନ ଜନତା ଅସ୍ତବ୍ୟସ୍ତ

616

ମହଙ୍ଗା ମାଡରେ ଅସ୍ତବ୍ୟସ୍ତ ହେଲେଣି ପାକିସ୍ତାନ ଜନତା ।  ପନିପରିବା, ପେଟ୍ରୋଲ, ଡିଜେଲର ମହଙ୍ଗା ଦରକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଥିବା ବେଳେ ଏବେ ପୁଣିଥରେ କ୍ଷୀର ଦାମ ବୃଦ୍ଧି ଲୋକଙ୍କୁ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । କରାଚୀ ଡାଏରୀ ଆସୋସିଏସନ ଅଚାନକ କ୍ଷୀରର ଦାମ ଲିଟର ପିଛା ୨୩ ଟଙ୍କା ବୃଦ୍ଧି କରିବା ଫଳରେ ଏବେ ପାକିସ୍ତାନରେ କ୍ଷୀର ଦାମ ଲିଟର ପିଛା ୧୨୦ ଟଙ୍କାରେ ପହଞ୍ଚିଛି । ତେବେ ଖୁଚୁରା ବଜାରରେ କ୍ଷୀର ଦର ଲିଟର ପିଛା ୧୦୦ରୁ ୧୮୦ ଟଙ୍କାରେ ବିକ୍ରି ହେଉଛି ।

ଏବେ ପାକିସ୍ତାନ ମୁଦ୍ରାର ମୂଲ୍ୟ ଭାରତୀୟ ମୁଦ୍ରାର ମୂଲ୍ୟର ଅଧା ରହିଛି । ମହଙ୍ଗା ଦରକୁ ନେଇ ଲୋକମାନଙ୍କ ମଧ୍ୟ ଅସନ୍ତୋଷ ରହିଥିବା ବେଳେ ହଠାତ କ୍ଷୀର ଦରରେ ବୃଦ୍ଧି ଜନତାଙ୍କ କ୍ରୋଧ ବଢାଇଦେଇଛି । ପାକିସ୍ତାନ ଗଣମାଧ୍ୟମ ଅନୁଯାୟୀ, ଆସୋସିଏସନ ପୂର୍ବରୁ କ୍ଷୀର ଦର ବୃଦ୍ଧି କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ନ ମିଳିବାରୁ ଆସୋସିଏସନ ଏଭଳି ନିଷ୍ପତି ନେଇଛି ।

ତେବେ ଆସୋସିଏସନର ଏଭଳି ଏକଚାଟିଆ ନିଷ୍ପତିକୁ ଭୁଲ ଦର୍ଶାଇଛି ପ୍ରଶାସନ । ଅଧିକ ଦରରେ କ୍ଷୀର ବିକ୍ରି କରୁଥିବା ବିକ୍ରେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ପ୍ରଶାସନ ପକ୍ଷରୁ କ୍ଷୀରର ଦର ଲିଟର ପିଛା ୯୪ ଟଙ୍କା ରଖାଯାଇଛି ।  ଏହାପରେ ମଧ୍ୟ କ୍ଷୀର ଲିଟର ପିଛା ବଜାରରେ ୧୦୦ରୁ ୧୮୦ ଟଙ୍କା ବିକ୍ରି ହେଉଛି ।