ଲକଡାଉନ ବଢ଼ାଇଲା ଦୁଗ୍ଧ ଚାଷୀଙ୍କ ଚିନ୍ତା । ମିଠା ଦୋକାନ, ଚାହା ଦୋକାନ ବନ୍ଦ, ବିକ୍ରି ହେଉନି କ୍ଷୀର । ଦୈନିକ ୧୦ ହଜାର ଟଙ୍କାର କ୍ଷତି ।

689

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ସାରା ଦେଶରେ ଚାଲିଛି ଲକଡାଉନ । ଆଉ ଏହାର ସିଧା ପ୍ରଭାବ ପଡିଛି ଡାଏରୀ ଫାର୍ମ କରି କ୍ଷୀର ବ୍ୟବସାୟ କରୁଥିବା ଚାଷୀମାନଙ୍କ ଉପରେ । ଛକ ଛକରେ ଚାହା ଦୋକାନ ବନ୍ଦ, ସେପଟେ ଛେନା ବେପାରୀଙ୍କ ବେପାର ବି ପୁରା ଠପ୍ । ମିଠା ଦୋକାନରେ ବି ପଡିଛି ତାଲା । ଏମିତିରେ ଦୁଗ୍ଧ ଚାଷୀ ଚିନ୍ତାରେ । ଦିନକୁ ବାହାରୁଥିବା ଶହ ଶହ ଲିଟର କ୍ଷୀର ବିକ୍ରି ହୋଇ ପାରୁ ନଥିବା ଅଭିଯୋଗ ହୋଇଛି ।

ବାଲେଶ୍ୱର ବାହାନଗା ଅଂଚଳର । କ୍ଷୀର ବିକ୍ରି ହୋଇ ପାରୁ ନଥିବାରୁ ରାସ୍ତାରେ ଢାଳି ଦେଉଛନ୍ତି ବେପାରୀ । ସବୁଆଡେ ତାଲାବନ୍ଦ ଯୋଗୁଁ କ୍ଷୀର ବିକ୍ରି କରିପାରୁନାହାନ୍ତି ଦୁଗ୍ଧ ଚାଷୀ । ଏହାରି ଭିତରେ ଅଭାବି ବିକ୍ରିର ଶିକରା ହୋଇ ହତାଶ ହେଲେଣି ଅନେକ ଲୋକ । ବିଶେଷ କରି ଏହାର ଅଧିକ ପ୍ରଭାବ ପଡିଛି ଦୁଗ୍ଧ ଚାଷୀଙ୍କ ଉପରେ । କରୋନା ପାଇଁ ଗାଡି ମୋଟର ଗଡୁନି । ବାହାନଗା ବ୍ଲକ ରାଣିଆଗଂଜ ଗାଁର ଜୟ ହନୁମାନ ମହିଳା ଦୁଗ୍ଧ ଚାଷୀଙ୍କ ଠାରୁ ଦୁଗ୍ଧ ନେବାକୁ ଆସୁନି କମ୍ପାନୀ । ଶେଷରେ ଅସନ୍ତୁଷ୍ଟ ହୋଇ ମହିଳା ଚାଷୀ ରାସ୍ତାରେ ଢାଳିଦେଲେ କ୍ଷୀର । ଉତ୍ପାଦନ ହୋଇଥିବା ପ୍ରାୟ ୮୦ ଲିଟର କ୍ଷୀର ମହିଳା ରାସ୍ତାରେ ଢାଳି ଦେଇଥିବା ଦେଖିବାକୁ ମିଳିଛି । ସେପଟେ ରାଜ୍ୟରେ ସବୁ ମିଠା ଦୋକାନ ବନ୍ଦ ରହିଥିବାରୁ ଏହା କ୍ଷୀର ଚାଷୀଙ୍କ ସମସ୍ୟା ଆହୁରି ବଢାଇ ଦେଇଛି ।

ଦିନକୁ ୨୭୦ରୁ ୨୮୦ ଲିଟର କ୍ଷୀରକୁ ବିକ୍ରି କରିପାରୁନାହାନ୍ତି ଚାଷୀ । କଟକ ଜିଲ୍ଲା କଂଟାପଡା ବାଇରୋଇ ଗାଁର ଏହି ଚାଷୀ ମିଠା ଦୋକାନୀଙ୍କୁ କ୍ଷୀର ଦେଇଥାନ୍ତି । କିନ୍ତୁ ଦୋକାନ ବଜାର ବନ୍ଦ ରହିବା କାରଣରୁ କ୍ଷୀର ବିକ୍ରି ହୋଇପାରୁନାହିଁ । ଫଳରେ ପ୍ରତିଦିନ ଏହି ଚାଷୀମାନଙ୍କୁ ୮ରୁ ୧୦ ହଜାର ଟଙ୍କାର କ୍ଷତି ସହିବାକୁ ପଡୁଛି । ଖାଲି ସେତିକି ନୁହେଁ ଡାଏରୀ ଫାର୍ମରେ ରହିଥିବା ପ୍ରାୟ ୫୦ରୁ୫୫ ଗାଇଙ୍କ ପାଇଁ ଖାଦ୍ୟ ଯୋଗାଡ କରିବା ମଧ୍ୟ କଷ୍ଟକର ହୋଇପଡିଛି । ଗୋଖାଦ୍ୟ ଦୋକାନ ବନ୍ଦ ରହିବା ଏବଂ ଗାଡି ଚଲେଇବା ଉପରେ ପ୍ରଶାସନର କଟକଣା ରହିଥିବା କାରଣରୁ ଗୋଖାଦ୍ୟ ଆଣିପାରୁନାହାନ୍ତି ଚାଷୀ । ସରକାର ଏ ଦିଗରେ ସାହାଯ୍ୟ କରିବା ପାଇଁ ନିବେଦନ କରିଛନ୍ତି ଚାଷୀ ।

ତାଲାବନ୍ଦରେ ସବୁ ବନ୍ଦ । ଚାହା ଦୋକାନ ଠାରୁ ଆରମ୍ଭ କରି ମିଠା ଦୋକାନ, ଜଳଖିଆ ଦୋକାନ ସବୁକିଛି । ଗାଡି, ମଟର ଚଳାଚଳ ବନ୍ଦ ଯୋଗୁଁ, ଚାଷୀଙ୍କ ଠାରୁ କ୍ଷୀର ସଂଗ୍ରହ କରି ପାରୁନାହାଁନ୍ତି ବ୍ୟବସାୟୀ । ଯାହା ଫଳରେ ଡାଏରୀ ଫାର୍ମ କରି କ୍ଷୀର ଚାଷ କରୁଥିବା ଚାଷୀକୁ ଅନେକ କ୍ଷତି ସହିବାକୁ ପଡିଛି । ଏମାନଙ୍କ ଉପରେ ସରକାର ଦୃଷ୍ଟି ଦେବାକୁ ଦାବି ହୋଇଛି ।