କନକ ବ୍ୟୁରୋ : ଏଟିଏମରେ ଟଙ୍କେ ବାହାରେ ସମସ୍ତେ ଜାଣନ୍ତି କିନ୍ତୁ ଏଟିଏମ ରୁ କ୍ଷୀର ବାହାରିବା କଥା କହିଲେ ସହଜରେ ବିଶ୍ୱାସ ହୁଏନି କିନ୍ତୁ ଏହା ସତ୍ୟ । ଢେଙ୍କାନାଳ ସହରରେ ଜଣେ ଯୁବ ଉଦ୍ୟୋଗୀ ଦୁଗ୍ଦ ଏଟିଏମ ରେ ବିଶୁ୍ଦ୍ଧ କ୍ଷୀର ସହରବାସୀକୁଂ ବିତରଣ କରୁଛନ୍ତି । ବ୍ୟବସାୟିକ ଲାଭ ଅପେକ୍ଷା ଲୋକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ପ୍ରାଧାନ୍ୟତା ଦେଇ ଅଭିନବ ଚିନ୍ତାଧାରାରେ ବ୍ୟବସାୟ କରୁଛନ୍ତି । ସ୍ଥାନୀୟ ଗ୍ରାହକମାନେ ମଧ୍ୟ ପୁରା ବିଶୁ୍ଧ ଦୁଗ୍ଧ ପାଇ ବେଶ ଖୁସି ଅଛନ୍ତି ।

Advertisment

ହାଇଟେକ୍ ପଦ୍ଧତିରେ ଗୋ-ପାଳନ । ଇଲେକ୍ଟ୍ରିକ୍ ମେସିନ୍ରେ ଗାଇଙ୍କ ଠାରୁ ଦୁଆଁହେଉଛି କ୍ଷୀର । ଆଉ ଗାଇ ଗୁହାଳରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଇଛି । ହାଇଜେନିକ ମିଲ୍କ କେନରେ ଗ୍ରାହକଙ୍କ ନିକଟରେ ପହଞ୍ଚୁଛି କ୍ଷୀର । ଖାଲି ଏତିକି ନୁହେଁ କ୍ଷୀରକୁ ୨ରୁ ୩ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରଖିବା ପାଇଁ ଏକ ମିଲ୍କ ଏଟିଏମ୍ ମଧ୍ୟ କରାଯାଇଛି । ଢେଙ୍କାନାଳ ସହରବାସୀଙ୍କୁ ବିଶୁଦ୍ଧ କ୍ଷୀର ଯୋଗାଇଦେବା ପାଇଁ ଏଭଳି ଅଭିନବ ଉପାୟ ଅବଲମ୍ବନ କରିଛନ୍ତି ଏମଟେକ୍ ପଢ଼ୁଆ ଯୁବକ ସ୍ମୃତିରଞ୍ଜନ । ଆଗକୁ ସହରରେ ଆହୁରି ୩ଟି ମିଲ୍କ ଏଟିଏମ୍ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଯୁବ ଉଦ୍ୟାଗୀ ।

ସ୍ମୃତିରଞ୍ଜନ ଉଚ୍ଚଶିକ୍ଷା ଲାଭ ପରେ ଏକ ଘରୋଇ କମ୍ପାନୀରେ ଭଲ ଦରମାରେ କାମ କରୁଥିଲେ । କରୋନା ସମୟରେ ଚାକିରି ଛାଡ଼ି ତାଙ୍କର ୨ଜଣ ସମ୍ପର୍କୀୟ ଭାଇଙ୍କ ସହ ମିଶି ଆରମ୍ଭ କଲେ ଗୋପାଳନ । ମାତ୍ର ୫ଟି ଗାଇରୁ ଆରମ୍ଭ ହୋଇଥିବା ଗୋଶାଳା ଏବେ ୩୫ଟି ଗାଇ ଓ ୩୨ଟି ବାଛୁରୀରେ ପହଞ୍ଚିଛି । ସ୍ମୃତିଙ୍କ ଗୋଶାଳାରେ ପଞ୍ଜାବ, ହରିଆଣା, ସିନ୍ଧ, ଜର୍ସି, ଗିର, ସାହିୱାଲ ଭଳି ଉକ୍ରୃଷ୍ଟ ପ୍ରଜାତିର ଗାଈ ଅଛନ୍ତି । ଗାଈଙ୍କର ସଠିକ ରକ୍ଷଣାବେକ୍ଷଣ ସହିତ ସ୍ୱାସ୍ଥ୍ୟାବସ୍ଥାର ଯତ୍ନ ନେବା ପାଇଁ ୧୦ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଗାଇଙ୍କୁ ସମ୍ପୂର୍ଣ୍ଣ ଦେଶୀ ଓ ପ୍ରାକୃତିକ ଖାଦ୍ୟ ଯଥା ନଡ଼ା, ଭୁସି, ମକା ଓ ଘାସ ଖାଇବାକୁ ଦିଆଯାଉଛି । ଏହି ଗୋଶାଳାରୁ ଦୈନିକ ୨୫୦ରୁ ୩୦୦ ଲିଟର ଦୁଗଧ ଉତ୍ପାଦନ ହେଉଛି । ଏହାକୁ ବିକ୍ରି କରି ଲାଭବନା ହେଉଛନ୍ତି ଯୁବ ଉଦ୍ୟୋଗୀ    ।

ଖାଲି ଏତିକି ନୁହେଁ ଗାଇଙ୍କ ଗୋବରକୁ ଖତ ଆକାରରେ ବିକ୍ରି କରି କିଛି ରୋଜଗାର କରୁଛନ୍ତି ଯୁବ ଚାଷୀ ସ୍ମୃତିରଞ୍ଜନ । ବିନା କିଛି ସରକାରୀ ସହାୟତାରେ ସଂଚିତ ଅର୍ଥକୁ ଗୋପାଳନରେ ବିନିଯୋଗ କରି ଲାଭବାନ ହେବା ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା ।