ମହାଶିବରାତ୍ରୀରେ ମାଲକାନଗିରିରେ ମହାନ କାମ । ଶିବଲିଙ୍ଗରେ ନଢାଳି ଡାକ୍ତରଖାନାରେ ରୋଗୀଙ୍କୁ କ୍ଷୀର ବାଂଟିଲେ ହେତୁବାଦୀ

ବିଭିନ୍ନ ମହଲରେ ପ୍ରଶଂସା

1,116

କନକ ବ୍ୟୁରୋ: ଜାଗରରେ ମାଲକାନଗିରିରୁ ଆସିଛି ନିଆରା ଚିତ୍ର । ଜାଗରରେ ଶିବଙ୍କୁ ଦେଲେନି ରୋଗୀଙ୍କୁ ଦେଲେ । ମାନବ ସେବା ହିଁ ମାଧବ ସେବା । ଏହି ବାର୍ତ୍ତା ନେଇ ମାଲାକନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଜାଗର ଅବସରରେ କ୍ଷୀର ଓ ଫଳ ବଂଟନ କରାଯାଇଛି । ମାଲକାନଗିରି ଜିଲ୍ଲାର ହେତୁବାଦୀ ସଙ୍ଗଠନର ଏପରି କାମ ଏବେ ଚର୍ଚାର ପରିସରଙ୍କୁ ଆସିଛି । ଶିବ ଲିଙ୍ଗ ରେ କ୍ଷୀର ଢାଳିବା ପରିବର୍ତ୍ତେ ତାହା ରୋଗୀ ସେବାରେ ବ୍ୟବହାର କରିବାର ନିଆରା ବାର୍ତ୍ତା ଦେଇଛନ୍ତି ମାଲକାନଗିରି ହେତୁବାଦୀ ସଙ୍ଗଠନର ଯୁବକ ମାନେ । ମହାଶିବରାତ୍ରୀ ଅବସରରେ ଦେଶରେ କୋଟି କୋଟି ଶ୍ରଦ୍ଧାଳୁ ଲକ୍ଷ ଲକ୍ଷ ଲିଟର କ୍ଷୀର ଓ ଫଳମୁଳ ନଷ୍ଟ କରୁ ଥିବା ବେଳେ ଏହାର କୌଣସି ଯଥାର୍ଥ ନାହିଁ ବୋଲି ଯୁକ୍ତି ବାଢିଛନ୍ତି ସଙ୍ଗଠନର କର୍ମକର୍ତ୍ତା ।

ଏପଟେ ନିର୍ଦ୍ଧାରିତ ସମୟ ପୂର୍ବରୁ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିଛି । ଏହି ସମୟକୁ ଅପେକ୍ଷା କରିରହିଥାନ୍ତି ସାରା ରାଜ୍ୟର ଶ୍ରଦ୍ଧାଳୁ । ଆଉ ମହାଦୀପ ଦର୍ଶନ ପାଇଁ ମନ୍ଦିର ଭିତରେ ଏବଂ ବାହାରେ ଭକ୍ତଙ୍କ ଭିଡ ଲାଗିରହିଛି । ଦୀପ ଜାଳି ମହାଦୀପ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ପରମ୍ପରା ଅନୁଯାୟୀ ମହାଦୀପ ଦର୍ଶନ କରିବା ପରେ ଉପବାସ ଭାଙ୍ଗିବାର ପରମ୍ପରା ରହିଛି । ସେହି ପରମ୍ପରା ଅନୁଯାୟୀ ଭକ୍ତମାନେ ମହାଦୀପ ଦର୍ଶନ କରିସାରିଛନ୍ତି । ଏହି ସମୟରେ ଲିଙ୍ଗରାଜ ମନ୍ଦିରରେ ହରିବୋଲ ଓ ହୁଳହୁଳି ଧ୍ୱନୀରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ସମୟ ନିର୍ଘଂଟ ଅନୁସାରେ ସମସ୍ତ ରୀତିନୀତି ଶେଷ ହୋଇଥିବାରୁ ନିର୍ଦ୍ଧାରିତ ସମୟ ରାତି ୧୦ଟା ପୂର୍ବରୁ ମହାଦୀପ ଉଠିଥିଲା । ଏଠାରେ ଜାଗର ପାଇଁ ବିଶେଷ ଆୟୋଜନ ହୋଇଥିଲା । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ପ୍ରଭୁ ମହାଦେବଙ୍କ ଦର୍ଶନ କରିଛନ୍ତି ।

ସେହିଭଳି ଲିଙ୍ଗରାଜ ମନ୍ଦିର ସମେତ ରାଜ୍ୟର ପ୍ରମୁଖ ଶୈବପୀଠରେ ମହାଦୀପ ଉଠିଛି । ଜାଗର ଅବସରରେ ଲୋକନାଥ ମନ୍ଦିର ପରିସରରେ ସ୍ଥାପନ ହୋଇଛି ବିଶାଳ ମାଟିଦୀପ । ଯାହାକି ଆକର୍ଷଣର କେନ୍ଦ୍ର ପାଲଟିଥିଲା । ଲୋକନାଥରେ ରାତି ୩ଟାରେ ମହାଦୀପ ଉଠିଛି । ସେହିପରି ଆଠଗଡର ଧବଳେଶ୍ୱର ମନ୍ଦିର ବି ହୋଇ ଉଠିଥିଲା ଚଳଚଂଚଳ । ଧବଳେଶ୍ୱରଙ୍କ ପୀଠର ବିଶେଷ ମହାତ୍ମ୍ୟ ରହିଥିବାରୁ ଜାଗର ଅବସରରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଏଠାରେ ରାତି ଗୋଟାଏ ସମୟରେ ମହାଦୀପ ଉଠିଲା । ସେହିପରି ଆରଡିରେ ଭୋର ୫ଟା, ହୁମାରେ ଭୋର ୪ଟା ଏବଂ ଗୁପ୍ତେଶ୍ୱରରେ ରାତି ସାଢେ ୧୧ଟାରୁ ୧୨ ଟା ମଧ୍ୟରେ ଉଠିଛି ମହାଦୀପ । ଆରଡି, ହୁମା ଏବଂ ଗୁପ୍ତେଶ୍ୱର ପୀଠରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି ।