ଚୀନକୁ ବିପିନ ରାୱତଙ୍କ କଡା ଚେତାବନୀ । କହିଲେ, କଥାବାର୍ତ୍ତାରେ ସମାଧାନ ନହେଲେ, ସାମରିକ ଜବାବ ହିଁ ବିକଳ୍ପ ବାଟ । କଡା ଜବାବ ଦେବାକୁ ପ୍ରସ୍ତୁତ ଭାରତ ।

986

କନକ ବ୍ୟୁରୋ : ପ୍ରକୃତ ନିୟନ୍ତ୍ରଣ ରେଖାରୁ ପଛକୁ ହଟୁ ନଥିବା ଚୀନକୁ କଡା ଚେତାବନୀ ଦେଇଛନ୍ତି ସିଡିଏସ ବିପିନ ରାୱତ । କହିଛନ୍ତି ଶାନ୍ତିର କଥା ଶୁଣୁ ନଥିବା ଚୀନ୍ ଯଦି ପଛକୁ ନହଟେ ଏବଂ କଥାବାର୍ତ୍ତା ବିଫଳ ହୁଏ ତେବେ ସାମରିକ ବିକଳ୍ପ ହିଁ ଏକମାତ୍ର ବାଟ । ତେବେ ଚାଲିଥିବା ଆଲୋଚନା ବିଫଳ ହେବା ପରେ ଯାହା ନିଷ୍ପତି ନିଆଯିବ ବୋଲି ସେ କହିଛନ୍ତି । ଗତ ମେ ମାସରୁ ଆରମ୍ଭ ହୋଇଥିବା ବିବାଦର ସମାଧାନ ପାଇଁ ବାରମ୍ବାର ଆଲୋଚନା ହୋଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ସଫଳ ହୋଇନାହିଁ । ଅନ୍ୟପଟେ ସୀମାରେ ସେନା ଠୁଳ କରୁଛି ଚୀନ୍ । ଏହାକୁ ନଜରରେ ରଖି କଡା ଜବାବ ଦେବାକୁ ପ୍ରସ୍ତୁତ ହେଉଛି ଭାରତ ।

ଚୀନକୁ ବିପିନ ରାୱତଙ୍କ ଚୂଡାନ୍ତ ଚେତାବନୀ । କଥାବାର୍ତ୍ତାରେ ସମାଧାନ ନହେଲେ, ସାମରିକ ବିକଳ୍ପ ହିଁ ଏକମାତ୍ର ବାଟ । ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଏସିରେ ଭାରତ ଓ ଚୀନ୍ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ପାଇଁ ଜାରି ରହିଛି ଉଦ୍ୟମ । ତେବେ ବାରମ୍ବାର ଆଲୋଚନା ପରେ ମଧ୍ୟ ଚୀନ ସେନା ପଛକୁ ହଟୁ ନଥିବାରୁ ଭାରତୀୟ ଚିଫ ଅଫ୍ ଡିଫେନ୍ସ ଷ୍ଟାଫ୍ ବା ସିଡିଏସ୍ ଜେନେରାଲ ବିପିନ ରାୱତ ଚୀନକୁ କଡା ଚେତାବନୀ ଦେଇଛନ୍ତି । କହିଛନ୍ତି, ‘‘ଲଦାଖରେ ଚୀନ୍ ସେନା ଦ୍ୱାରା କରାଯାଇଥିବା ପରିବର୍ତ୍ତନକୁ ଜବାବ ଦେବା ପାଇଁ ସାମରିକ ବିକଳ୍ପ ହିଁ ଏକମାତ୍ର ବାଟ । କିନ୍ତୁ ଦୁଇ ଦେଶ ମଧ୍ୟରେ ଚାଲିଥିବା ସେନା ସ୍ତରୀୟ ଓ କୂଟନୈତିକ ସ୍ତରୀୟ ଆଲୋଚନା ବିଫଳ ହେବା ପରେ ଏହା ଉପରେ ବିଚାର କରାଯିବ’’ ।

ଏଲଏସିରେ ଦେଖାଦେଇଥିବା ବିବାଦର ସମାଧାନ ପାଇଁ ପାଂଚ ଥର ସେନା ସ୍ତରୀୟ କଥାବାର୍ତ୍ତା ହୋଇଛି । ଏପରିକି ଲେଫ୍ଟେନାଂଟ ଜେନେରାଲ ସ୍ତରୀୟ ଆଲୋଚନା ମଧ୍ୟ ହୋଇଛି । ସେହିପରି କୂଟନୈତିକ ସ୍ତରୀୟ କଥାବାର୍ତା ମଧ୍ୟ ଜାରି ରହିଛି । ହେଲେ ଏପର୍ଯ୍ୟନ୍ତ ବିବାଦର ସମାଧାନ ହୋଇ ପାରିନାହିଁ ।

ଚୀନର ‘ସମଦୂରତା ସେନା ପ୍ରତ୍ୟାହାର’ ପ୍ରସ୍ତାବକୁ ଭାରତର ପ୍ରତ୍ୟାଖ୍ୟାନ । ଫିଙ୍ଗର-୫ରୁ ପଛକୁ ହଟୁନି ଚୀନ୍ ସେନା । ଅନେକ ଆଲୋଚନା ପରେ ମଧ୍ୟ ପଛକୁ ହଟୁନି ଚୀନ ସେନା । ପୂର୍ବ ଲଦାଖର ଫିଙ୍ଗର ଅଂଚଳରୁ ପଛକୁ ହଟିବା ପାଇଁ ଚୀନ୍ ଦେଇଥିବା ସମଦୂରତା ସେନା ପ୍ରତ୍ୟାହାର ପ୍ରସ୍ତାବକୁ ଭାରତ ପ୍ରତ୍ୟାଖ୍ୟାନ କରିବା ପରେ ଫିଙ୍ଗର-୫ ଅଂଚଳରେ ସେନା ଠୁଳ କରୁଛି ପିପୁଲ୍ସ ଲିବରେସନ ଆର୍ମି । ପ୍ୟାଙ୍ଗଙ୍ଗ ହ୍ରଦ ଓ ଗୋଗ୍ରାର ଉଷ୍ଣପ୍ରସବଣ ଅଂଚଳରେ ଚୀନ ସେନା ଅପ୍ଟିକାଲ ଫାଇବର ବିଛାଇବା ଜାରି ରଖିଛି । ଚୀନ ସେନାର ଏପରି ପ୍ରସ୍ତୁତିକୁ ନଜରରେ ରଖି ସମ୍ଭାବ୍ୟ ଅନୁପ୍ରବେଶକୁ ପ୍ରତିହତ କରିବା ପାଇଁ ଭାରତ ପକ୍ଷରୁ ଘାଟି ମାନଙ୍କରେ ସୈନ୍ୟ ଠୁଳ କରାଯାଉଛି । ଏପରିକି ଯେ କୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ଭାରତୀୟ ସେନା ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

– ଫିଙ୍ଗର-୪ ଅଚଂଳରୁ ଉଭୟ ସେନା ସମଦୂରତା ଯାଏ ପଛକୁ ହଟିବାକୁ ଚୀନ ପ୍ରସ୍ତାବ ରଖିଥିଲା ।
– ମାତ୍ର କୌଣସି ବି ପରିସ୍ଥିତିରେ ଭାରତୀୟ ସେନା ଏଭଳି ପ୍ରସ୍ତାବରେ ରାଜି ହୋଇ ନାହାନ୍ତି ।
– ପାଙ୍ଗଙ୍ଗ ସୋ ହ୍ରଦ ସନ୍ନିକଟ ଫିଙ୍ଗର ପଏଂଟ -୮ରୁ ପ୍ରକୃତ ନିୟନ୍ତ୍ରଣ ରେଖା ବୋଲି ଭାରତ କହୁଛି
– କିନ୍ତୁ , ଫିଙ୍ଗର-୨କୁ ଚୀନ ଏଲଏସି ବୋଲି ଦାବି କରୁଛି

ଗତ ମେ ମାସରୁ ଫିଙ୍ଗର ପଏଂଟ -୮ରୁ ଫିଙ୍ଗର ପଏଂଟ ୪ ପର୍ଯ୍ୟନ୍ତ ଦୀର୍ଘ ୮ କିଲୋମିଟର ଅଂଚଳରେ ଗତ ମେ ମାସରୁ ଚୀନ୍ ସେନା ରହିଥିବାରୁ ତାହା ମୁଣ୍ଡ ବିନ୍ଧାର କାରଣ ହୋଇଛି । ଏହି ଅଂଚଳରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ପାଇଁ ଦୁଇ ଦେଶର ସେନା ମଧ୍ୟରେ ସହମତି ହୋଇଥିଲେ ମଧ୍ୟ ଫିଙ୍ଗର ପଏଂଟ ୪ରୁ ଚୀନ ସେନା ଫିଙ୍ଗର ପଏଂଟ-୫ ଯାଏଁ ପଛକୁ ହଟିଛି । ଏପରିକି ଭାରତୀୟ ସେନା ମଧ୍ୟ ଫିଙ୍ଗର ପଏଂଟ-୨ ଯାଏଁ ପଛକୁ ହଟିଛି । କିନ୍ତୁ ଚୀନ ସେନା ପଛକୁ ହଟିବାକୁ ନୂଆ ସର୍ତ ଲଗାଇ ମଝିରେ ଅଡିବସିଛି । ଯାହାକୁ ନେଇ ପୁଣି ଥରେ ବିବାଦ ବଢ଼ିବାରେ ଲାଗିଛି ।