କଲମ୍ବୋ ବିମାନ ବନ୍ଦରରୁ ବୋମା ଜବତ : ବୋମାକୁ ନିଷ୍କ୍ରିୟ କଲେ ସୁରକ୍ଷାବଳ ଟିମ୍ । ପୁଣି ଏକ ବିସ୍ଫୋରଣ ଯୋଜନା କରିଥିଲେ ଆକ୍ରମଣକାରୀ

191

କନକ ବ୍ୟୁରୋ : ଶ୍ରୀଲଙ୍କାରେ ହୋଇଥିବା ଏପର୍ଯ୍ୟନ୍ତର ସବୁଠାରୁ ବିଧ୍ୱଂସକ ସିରିଜ୍ ବିସ୍ଫୋରଣରେ ୨୧୫ ଲୋକଙ୍କ ମୃତ୍ୟୁ ହୋଇଛି । ଗତକାଲି ଇଷ୍ଟର ପର୍ବ ପାଳନ ଅବସରରେ ରାଜଧାନୀ କଲମ୍ବୋ ଓ ଆଖପାଖ ଅଂଚଳରେ ବିଭିନ୍ନ ଚର୍ଚ୍ଚ ଓ ପଂଚତାରକା ହୋଟେଲରେ  ଲଗାତର ଭାବେ ୮ଟି ବଡ଼ଧରଣର ବିସ୍ଫୋରଣ ଘଟିଥିଲା । ଆକ୍ରମଣରେ ୪ ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି  ।  ସିରିଜ ବିସ୍ଫୋରଣର ଜଦନ୍ତ କରୁଥିବା ଶ୍ରୀଲଙ୍କା ପୁଲିସ ଏପର୍ଯ୍ୟନ୍ତ ୧୩ ଜଣଙ୍କୁ ଗିରଫ କରିଛି । ଏପଟେ ସୋମବାର ସକାଳେ କଲମ୍ବୋ ବିମାନ ବନ୍ଦର ନିକଟରୁ ଆଉ ଏକ ବୋମା ଜବତ ହୋଇଛି । ଏହାକୁ ସୁରକ୍ଷାବଳ ଟିମ୍ ନିଷ୍କ୍ର୍ରିୟ କରିଦେଇଛନ୍ତି । ଆକ୍ରମଣରେ ୪ ଭାରତୀୟଙ୍କ ମଧ୍ୟ ମୃତ୍ୟୁ ହୋଇଛି ।

୮ଟି ବିସ୍ଫୋରଣ ମଧ୍ୟରୁ ୩ଟି ଚର୍ଚ୍ଚରେ,  ୩ଟି ପଂଚତାରକା ହୋଟେଲରେ, ଗୋଟିଏ କଲମ୍ବୋ ଚିଡିଆଘର ନିକଟରେ ଓ ଅନ୍ୟଟି କଲୋନୀ ନିକଟରେ ହୋଇଥିବା ସୂଚନା ରହିଛି । ବିସ୍ଫୋରଣ ପରେ ପୁରା ଶ୍ରୀଲଙ୍କାରେ କଫ୍ରୁ୍ୟ ଜାରି କରାଯାଇଛି  । ସ୍କୁଲ ଗୁଡ଼ିକରେ ଛୁଟି ଘୋଷଣା କରାଯାଇଛି  । ଚାରିଆଡ଼େ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି  । ସିରିଜ ବିସ୍ଫୋରଣ ପରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଜରୁରୀକାଳୀନ ବୈଠକ ଡକାଇଥିଲେ । ବିସ୍ଫୋରଣ ପରେ କଲମ୍ବୋ ସ୍ଥିତ ଭାରତୀୟ ଦୁତାବାସ ସହ ଯୋଗାଯୋଗ ଜାରି ରଖିଛି ଭାରତୀୟ ବୈଦେଶିକ ବିଭାଗ । ସେଠାରେ ଥିବା ଭାରତୀୟଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି ।