ଓମିକ୍ରନକୁ ନେଇ ଆସିଲା ଭଲ ଖବର । ରାଜସ୍ଥାନର ୯ ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଠାକ୍ ।

170

କନକ ବ୍ୟୁରୋ: ସମଗ୍ର ବିଶ୍ୱରେ କୋଭିଡର ନୂଆ ପ୍ରଜାତି ଓମିକ୍ରନକୁ ନେଇ ଆତଙ୍କ ଖେଳିଯାଇଥିବା ବେଳେ, ରାଜସ୍ଥାନରୁ ଆସିଛି ଭଲ ଖବର । ରାଜସ୍ଥାନରେ ଚିହ୍ନଟ ହୋଇଥିବା ୯ ଜଣ ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି । ଅଧିକାଂଶ ସଂକ୍ରମିତଙ୍କ ଠାରେ କୈାଣସି ଲକ୍ଷଣ ନଥିବା ବେଳେ ଜଣେ ଦୁଇ ଜଣଙ୍କ ନିକଟରେ ସ୍ୱଳ୍ପ ଲକ୍ଷଣ ପ୍ରକାଶ ପାଇଛି । ଏପରିକି ସ୍ୱାଦ ଓ ଗନ୍ଧ ହ୍ରାସ ଭଳି କରୋନାର ସର୍ବନିମ୍ନ ଲକ୍ଷଣ ମଧ୍ୟ ଦେଖାଯାଇନାହିଁ । ସମସ୍ତ ପରୀକ୍ଷା ନୀରକ୍ଷା ପରେ ସଂକ୍ରମିତଙ୍କ ଅବସ୍ଥା ସ୍ଥିର ଥବା କହିଛନ୍ତି ଡାକ୍ତର ।

ଏହାରି ଭିତରେ ଗତକାଲି ଆଇଏଲଏସକୁ ଜେନମ ସିକ୍ୱେନ୍ସି ପାଇଁ ପଠାଯାଇଥିବା ୨୪୬ ସାମ୍ପଲ ବିଦେଶ ଫେରନ୍ତାଙ୍କର ନୁହେଁ, ବରଂ ରାଜ୍ୟର ବିଭିନ୍ନ କ୍ଲଷ୍ଟରରୁ ଯାଇଥିବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ । ବିଦେଶରୁ ଓଡିଶାକୁ ଫେରିଥିବା ୬ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଖବରକୁ ତର୍ଜମା କରୁଛି ସ୍ୱାସ୍ଥ୍ୟ ବିଭାଗ । ଏଥିସହିତ ସୋମବାର ଆଇଏଲଏସ ନିର୍ଦ୍ଦେଶକ ଦେଇଥିବା ବୟାନ ଭୁଲ ତଥ୍ୟ ଉପରେ ପର୍ଯ୍ୟବେଷିତ ଥିଲା ବୋଲି ସ୍ପଷ୍ଟ ହୋଇଛି । ଅର୍ଥାତ୍, ଜେନମ ସିକ୍ୱେନ୍ସିଂ ପାଇଁ ଯାଇଥିବା ୨୪୬ ନମୁନା, ବିଦେଶ ଫେରନ୍ତାଙ୍କର ନୁହେଁ ।

ସେପଟେ ଦେଶରେ ଓମିକ୍ରନ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ପ୍ରଥମ ଚିହ୍ନଟ ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ନେଗେଟିଭ ହେବା ପରେ ପୁଣି ଥରେ ପଜିଟିଭ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟ ପାଇଛି । ବେଙ୍ଗାଲୁରୁରୁ ପ୍ରଥମେ ଚିହ୍ନଟ ହୋଇଥିବା ୪୬ ବର୍ଷୀୟ ଡାକ୍ତର ବିଦେଶ ଗସ୍ତ ନକରି ମଧ୍ୟ ଏହି ଭୁତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିଲେ । ଦେଶରେ ଏପର୍ଯ୍ୟନ୍ତ ଓମିକ୍ରନ ଭୂତାଣୁ ଦ୍ୱାରା ୨୩ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ମଧ୍ୟ ମଙ୍ଗଳବାର ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟା ଭିତରେ ୬୮୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଗତ ୧୮ ମାସ ପରେ ସର୍ବନିମ୍ନ ସଂକ୍ରମଣ । ସେହିପରି ଓଡିଶାରେ ମଧ୍ୟ  ଏହି ସମୟ ଅବଧି ଭିତରେ ୧୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।