କରୋନା କାଳରେ ଆପଣ ଅନେକ ମାସ୍କ ଦେଖିଥିବେ । ହେଲେ ଦେଖନ୍ତୁ ଏହି ମାସ୍କକୁ, ମାସ୍କରେ ଲାଗିଛି ମାଇକ୍ ଆଉ ସ୍ପିକର । ଏଣିକି କଥା କହିବା ବେଳେ ଆଉ କାଢିବାକୁ ପଡିବନି ମାସ୍କ ।
କନକ ବ୍ୟୁରୋ : ମାସ୍କରେ ଲାଗିଛି ମାଇକ୍ ଆଉ ସ୍ପିକର । ଏଣିକି କଥା କହିବା ବେଳେ ଆଉ କାଢିବାକୁ ପଡିବନି ମାସ୍କ । ସାଧାରଣତଃ ଆପଣ ଲକ୍ଷ୍ୟ କରିଥିବେ, ଅନେକ ଲୋକ କଥା କହିବା ବେଳେ, ମାସ୍କକୁ ମୁହଁରୁ ତଳକୁ ଖସାଇଦେଇଥାନ୍ତି । କାରଣ ମାସ୍କ କଥା କହିବା ବେଳେ ଶ୍ୱାସକ୍ରିୟାରେ ସାମାନ୍ୟ ଅସୁବିଧା ହୁଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ମାସ୍କ ଦେଖାଇବୁ, ଯେଉଁଥିରେ ଲାଗିଛି ମାଇକ୍ ଆଉ ସ୍ପିକର ।
Kanak News is now on WhatsApp
Join and get latest news updates delivered to you via WhatsApp
କେରଳର ଥ୍ରିସୁର ଜିଲ୍ଲାର ଜଣେ ବିଟେକ୍ ପ୍ରଥମ ବର୍ଷର ଛାତ୍ର କେଭିନ୍ ଜାକବ ଏହି ମାସ୍କଟିକୁ ନିଆରା ଢଙ୍ଗରେ ତିଆରି କରିଛନ୍ତି । ଯାହାକୁ ପିନ୍ଧିଲେ, ନା ଶ୍ୱାସକ୍ରିୟାରେ କୌଣସି ଅସୁବିଧା ହେବ, ନା କଥା କହିବାରେ । ଏହି ମାସ୍କ ପିନ୍ଧିଲେ, ଆପଣ ଠିକ୍ ଭାବେ କଥା କହିପାରିବେ ଏବଂ ସାମ୍ନାରେ ଥିବା ଲୋକ ମଧ୍ୟ ଆପଣଙ୍କ କଥାକୁ ଠିକ୍ ଭାବେ ଶୁଣିପାରିବ ।
ମହାମାରୀ ବିରୋଧୀ ଯୁଦ୍ଧରେ ମାସ୍କ ହେଉଛି ସବୁଠାରୁ ବଡ ଅସ୍ତ୍ର । ଯେଉଁଥିପାଇଁ ଅନେକ ବିଶେଷଜ୍ଞ ଏବଂ ବରିଷ୍ଠ ଡାକ୍ତର ସବୁବେଳେ ମୁହଁରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଉଛନ୍ତି । କିନ୍ତୁ ଦେଖିବାକୁ ମିଳୁଛି, ଅନେକ ଲୋକ ଠିକ ଭାବେ ମାସ୍କ ପିନ୍ଧୁନାହାନ୍ତି । ଏବଂ ମାସ୍କ ଲଗାଇଲେ ସାଧାରଣତଃ ଠିକ୍ ଭାବେ କଥା କହିହୁଏନାହିଁ । ଏଥିପାଇଁ ଲୋକେ କଥା କହିବା ବେଳେ, ମାସ୍କକୁ ଟିକେ ତଳକୁ ଖସାଇ ଦେଇଥାନ୍ତି । ଯାହାକି ମହାମାରୀ ସମୟରେ ବେଶି ବିପଦଜନକ ଅଟେ । ଆଉ ଏହାକୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ମାସ୍କଟିକୁ ତିଆରି କରିଛନ୍ତି କେଭିନ୍ ।
ତେବେ କେଭିନଙ୍କ ବାପା ମା, ଦୁଇଜଣ ହେଉଛନ୍ତି ଡାକ୍ତର । ଦେଶରେ କୋଭିଡ-୧୯ ପାଦ ଦେବା ପରଠାରୁ ତାଙ୍କ ବାପା ମା ରୋଗୀଙ୍କ ସେବାରେ ଲାଗିଛନ୍ତି । ଆଉ ଅଧିକାଂଶ ସମୟରେ ତାଙ୍କୁ ରୋଗୀଙ୍କ ସହ କଥା ହେବାକୁ ପଡେ । ମୁହଁରେ ମାସ୍କ ଓ ଫେସସିଲ୍ଡ ଲଗାଇଥିବାରୁ, ଠିକ ସେ କଥା ହୋଇପାରନ୍ତି ନାହିଁ । ଆଉ ଏହାକୁ ଦେଖି ଏଭଳି ମାସ୍କ ତିଆରି କରିବାକୁ କେଭିନଙ୍କୁ ଆଇଡିଆ ମିଳିଥିଲା । ତେବେ କେଭିନଙ୍କ ଏହି ଆବିଷ୍କାରକୁ ଦକ୍ଷିଣ ଭାରତର ଅନେକ ଡାକ୍ତର ବ୍ୟବହାର କରୁଛନ୍ତି ।