ବଢିଲା ମିକା ସିଂଙ୍କ ସୁରକ୍ଷା । ଚାରିପଟେ ବନ୍ଧୁକଧାରୀ , ଉପରେ ଡ୍ରୋନର ନଜର

315

କନକ ବ୍ୟୁରୋ: ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା ପରେ ବଲିଉଡ ସିଙ୍ଗର ମିକାଙ୍କ ଉପରେ ବିପଦ ଆଶଙ୍କା ବଢିଛି । ତେଣୁ ତାଙ୍କର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଗତ ୧୫ ଦିନ ହେବ ମିକା ସିଂ ଯୋଧପୁରରେ ଏକ ରିଆଲିଟି ସୋ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି ଯୋଧପୁରରେ ମିକା ରହୁଥିବା ହୋଟେଲରେ ସଶସ୍ତ୍ର ପୋଲିସକୁ ମୁତୟନ କରାଯାଇଛି ।

ମିକାଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ହୋଟେଲ ଚାରିପଟେ ପଇଁତରା ମାରୁଛନ୍ତି ସଶସ୍ତ୍ର ପୋଲିସ ବାହିନୀ । ଆଉ ଆକାଶରେ ଉଡୁଛି ଡ୍ରୋନ କ୍ୟାମେରା । ହୋଟେଲକୁ ଯିବା ଆସିବା କରୁଥିବା ପ୍ରତି ଲୋକଙ୍କ ଉପରେ ରଖୁଛି ନଜର । ସେମାନଙ୍କୁ ନିକିନିଖି ଯାଞ୍ଚ କରାଯିବା ପରେ ହୋଟେଲକୁ ଛଡାଯାଉଛି ।

ମୁସେୱାଲାଙ୍କ ହତ୍ୟା ପରେ ବଲିଉଡ୍ ଷ୍ଟାର ସଲମାନ ଖାନଙ୍କ ସୁରକ୍ଷାକୁ ମଧ୍ୟ କଡାକଡି କରାଯାଇଛି । କାରଣ, ବର୍ଷକ ପୂର୍ବରୁ ମିକୋକା ମାମଲାରେ ଗିରଫ ହେବା ସମୟରେ ପୋଲିସ ଉପସ୍ଥିତିରେ ହିଁ ସଲମାନ ଖାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ । ଯୋଧପୁରରେ ଏକ ଫିଲ୍ମ ସୁଟିଂ ସମୟରେ ସଲମାନ ମୃଗ ଶିକାର କରିବା ଘଟଣାକୁ କେନ୍ଦ୍ର କରି ତା’ର ପ୍ରତିଶୋଧ ନେବାକୁ ତାଙ୍କୁ ସେହି ଯୋଧପୁରରେ ହିଁ ମାରିବାକୁ କହିଥଲା ଲରେନ୍ସ ।ଏହାପରେ ସଲମାନଙ୍କ ସୁରକ୍ଷାକୁ ମଧ୍ୟ କଡାକଡି କରାଯାଇଥିଲା ।