ସହର ଛାଡ଼ି ଗାଁକୁ ଫେରୁଛି ଶ୍ରମିକ । ମହାରାଷ୍ଟ୍ରରେ କର୍ଫ୍ୟୁ ଘୋଷଣା ପରେ କାମଧନ୍ଦା ଚାଲିଯିବା ଆଶଙ୍କାରେ ଶ୍ରମିକଙ୍କ ଘରବାହୁଡ଼ା

173

କନକ ବ୍ୟୁରୋ: ସତରେ ଶ୍ରମିକର ଏହି ସହରରେ ଅଛି କିଏ? ଯଦି ଥାନ୍ତା ମୁଣ୍ଡରେ ବୋଝ ମୁଣ୍ଡେଇ କାହିଁକି ବାହାରି ଯାଉଥାନ୍ତା ଶ୍ରମିକ । ଯେଉଁ ସହରକୁ ଦିନେ ପେଟପାଟଣାର ଠିକଣା ଭାବେ ବାଛି ନେଇଥିଲା ଶ୍ରମିକ, ଏବେ ସେହି ସହରରେ ଲାଗୁ ହୋଇଥିବା କଟକଣା, ପେଟପାଟଣା ପାଇଁ ଦାଉ ସାଜିଛି । ଏମାନଙ୍କ ପାଖରେ ଏବେ ବିକଳ୍ପ ବା ଅଛି କ’ଣ? ବାଧ୍ୟ ହୋଇ ଘରକୁ ଫେରିବାର ବାଟ ବାଛି ନେଇଛି ଶ୍ରମିକ । କଟକଣା ମଜୁରିଆଙ୍କ ପାଇଁ କେତେ ବଡ଼ ଯନ୍ତ୍ରଣା ହୋଇପାରେ, ଏହାଠୁ ବଡ଼ ଉଦାହରଣ କ’ଣ ହୋଇପାରେ ।

ମୁମ୍ବାଇର ଲୋକମାନ୍ୟ ତିଲକ ଟର୍ମିନାଲରୁ ଆସିଛି ଶ୍ରମିକଙ୍କ ଘରବାହୁଡାର ଏଭଳି କିଛି ଚିତ୍ର, ଯାହା ଭୂତାଣୁର ଭୟାବହତା ଏବଂ ସରକାର ନେଉଥିବା ନିଷ୍ପତିର ପ୍ରଭାବକୁ ବୟାନ କରୁଛି । କଳ କାରଖାନା ବନ୍ଦ, ନିର୍ମାଣ କାମ ଠପ୍ । ଆଉ ରୋଜଗାର ଆଶାରେ ବାହାର ରାଜ୍ୟକୁ ଆସିଥିବା ଶ୍ରମିକ, ମୁଣ୍ଡରେ ବୋଝ ଧରି ସହରରୁ ଗାଁ ମୁହା ହୋଇଛି ।

ଏହି ଚିତ୍ର ଯେମିତି ସମସ୍ତଙ୍କୁ ଗୋଟିଏ ବର୍ଷ ତଳେକୁ ଫେରାଇ ନେଉଛି । ଠିକ୍ ଗୋଟିଏ ବର୍ଷ ତଳେ ଏମିତି ସବୁ ଚିତ୍ର ଆସୁଥିଲା, ଯେତେବେଳେ ସାରା ଦେଶରେ ଲକ୍ଡାଉନ୍ ଘୋଷଣା ହୋଇଥିଲା । ଲକ୍ଡାଉନ୍ରୁ ଦେଶ କେତେ ଲାଭ ପାଇଲା ଏବଂ ଭୂତାଣୁ କେତେ କମିଲା, ତାକୁ ନେଇ ତର୍ଜମା ହେଉଛି । କିନ୍ତୁ ଏହି ହିସାବ-ହିତାବ ଭିତରେ କିନ୍ତୁ ଶନ୍ତୁଳି ହୋଇଯାଇଛି ଶ୍ରମିକ ।

ଯେତେବେଳେ ମହାରାଷ୍ଟ୍ରରୁ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି, ସେଠି କାମ କରୁଥିବା ଓଡ଼ିଆ ଶ୍ରମିକମାନେ ମଧ୍ୟ ଘରକୁ ଫେରିବାର ସଂଭାବନା ବଢ଼ିଯାଇଛି । ଗତବର୍ଷ ଦେଶର ବିଭିନ୍ନ ରାଜ୍ୟରୁ ୯ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଶା ଫେରିଥିଲେ । ଆଉ ଯଦି ପୂର୍ବବର୍ଷ ଭଳି ଏଥର ବି ଅଧିକ କରୋନା ପ୍ରଭାବିତ ରାଜ୍ୟରୁ ପ୍ରବାସୀମାନେ ଓଡ଼ିଶା ଫେରନ୍ତି, ତେବେ ପୁଣି ଥରେ ରାଜ୍ୟକୁ ବଡ଼ ଆହ୍ୱନର ସମ୍ମୁଖିନ ହେବାକୁ ପଡ଼ିପାରେ ।