ଦିଲ୍ଲୀ ୬ ଦିନ ଯାଏଁ ସମ୍ପୂର୍ଣ୍ଣ ଲକଡାଉନ ପରେ ଶ୍ରମିକଙ୍କ ଘର ବାହୁଡା । ଟ୍ରେନ ଓ ବସ୍ ଷ୍ଟାଣ୍ଡରେ ହଜାର ହଜାର ଶ୍ରମିକଙ୍କ ଭିଡ । ସେପଟେ ମୁମ୍ବାଇରେ ସଂକ୍ରମଣ ବଢୁଥିବା ଦେଖି ଗାଁ ମୁହାଁ ପ୍ରବାସୀ ଶ୍ରମିକ ।

139

କନକ ବ୍ୟୁରୋ: ଦେଶରେ ପୁଣି ଫେରୁଛି ଗତବର୍ଷର ଚିତ୍ର । ପ୍ରବାସୀ ଶ୍ରମିକଙ୍କ ପାଇଁ କାଳ ସାଜିଛି କରୋନା ମହାମାରୀ । ଦୁଇ ପଇସା ରୋଜଗାରର ପନ୍ଥା ହାତରୁ ଖସିବାକୁ ଲାଗିଛି ଆଉ ଘରମୁହାଁ ହେଉଛନ୍ତି ପ୍ରବାସୀ । ଗତବର୍ଷ ଏତିକି ବେଳେ କାମଧନ୍ଧା ହରାଇ, ଖାଇବାକୁ ପିଇବାକୁ ନପାଇ ମାଇଲ ମାଇଲ ବାଟ ଚାଲି ଚାଲି ଅତିକ୍ରମ କଲେ ଲକ୍ଷଲକ୍ଷ ଶ୍ରମିକ । ଏଥର ଯେମିତି ସେହି ପରିସ୍ଥିତି ନଉପୁଯେ ସେଥିପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି ପ୍ରବାସୀ ଶ୍ରମିକ ।

ଗତବର୍ଷ ସାରା ଦେଶରେ ଲାଗୁ ହୋଇଥିଲା ଲକଡାଉନ । ଲୋକେ ଘର ଭିତରେ ବନ୍ଦ ହୋଇ ରହିଲେ, କଳକାରଖାନା ସବୁ ଠପ୍ ହୋଇଗଲା । କରୋନାର ସଂକ୍ରମଣ ଭୟ ଭିତରେ ଜୀବନ ଓ ଜୀବିକା ଭିତରେ ଆରମ୍ଭ ହୋଇଗଲା ଯୁଦ୍ଧ । ସରକାରଙ୍କ ପାଇଁ ଜୀବନ ବଂଚାଇବା ଜରୁରୀ ଥିଲା ହେଲେ ଜୀବିକା ହରାଇ ଲୋକେ ଜୀବନ ଜିଇଁବାକୁ ସଂଘର୍ଷ କରୁଥିଲେ ।

ଦିଲ୍ଲୀରେ ସୋମବାର ରାତି ୧୦ଟାରୁ ୬ଦିନିଆ ଲକଡାଉନ ଲାଗୁ ହେବା ପରେ ଆନନ୍ଦ ବିହାର ଓ ରେଳ ଷ୍ଟେସନରେ ଦେଖିବାକୁ ମିଳିଛି ସେହି ସମାନ ଦୃଶ୍ୟ । ରାଜଧାନୀ ଛାଡୁଛନ୍ତି ପ୍ରବାସୀ ଶ୍ରମିକ । ଘରକୁ ଫେରିବା ପାଇଁ ବସ ଷ୍ଟାଣ୍ଡ ଓ ରେଳଷ୍ଟେସନରେ ଘଂଟା ଘଂଟା ଧରି ଟିକେଟ ଖଣ୍ଡେ ପାଇବା ପାଇଁ ଅପେକ୍ଷା କରୁଛନ୍ତି । କାହାକୁ ଘରକୁ ଫେରିବା ପାଇଁ ଟିକେଟ ମିଳୁଛି ତ ପୁଣି କିଏ ନିରାଶ ହେଉଛି । କମ୍ ସମୟ ପାଇଁ ଲକଡାଉନ ଲାଗୁ କରାଯାଇଛି ତେଣୁ ଶ୍ରମିକମାନେ ଘରମୁହାଁ ହୁଅନ୍ତୁ ନାହିଁ ବୋଲି ଆଶ୍ୱସନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । କିନ୍ତୁ ଗତବର୍ଷ ଯେପରି କାମଧନ୍ଧା ହରାଇ, ଖାଇବାକୁ ପିଇବାକୁ ନପାଇ ମାଇଲ ମାଇଲ ବାଟ ଚାଲି ଚାଲି ଅତିକ୍ରମ କରିଥିଲେ ଲକ୍ଷାଧିକ ଶ୍ରମିକ । ଏଥର ଯେମିତି ସେହି ପରିସ୍ଥିତି ନଉପୁଯେ ସେଥିପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି ପ୍ରବାସୀ ଶ୍ରମିକ ।

Comments are closed.