ଗାଁ ପରେ ଗାଁ ଆସୁଛି, ଜିଲ୍ଲା ପରେ ଜିଲ୍ଲା… ବାଟ ସରୁନି କି ରାସ୍ତା କମୁନି… ତାଲାବନ୍ଦ ବେଳେ ତତଲା ଖରାରେ ଚାଲି ଚାଲି ଘରମୁହାଁ ଶହ ଶହ ଶ୍ରମିକ…

1,358

କନକ ବ୍ୟୁରୋ: ତାଲାବନ୍ଦ ନିଷ୍ପତ୍ତି ଭିତରେ ରାଜରାସ୍ତାରେ ଆଗେଇ ଚାଲିଛି ଭିଡ । ଆଉ, ଏହି ଭିଡ ହେଉଛି ଦିନ ମଜୁରିଆ ଏବଂ ଶ୍ରମିକଙ୍କର । ପ୍ରବଳ ଖରାରେ ପରିବାର ନେଇ ଭିଟାମାଟିକୁ ଫେରୁଛନ୍ତି ରାଜ୍ୟ ଏବଂ ବାହାର ରାଜ୍ୟର ଶ୍ରମିକ । ସରକାର ମନା କରିବା ପରେ ବି ଅଖିଆ ଅପିଆ ହୋଇ ରାସ୍ତାରେ ଚାଲିଚାଲି ଯାଉଛନ୍ତି ।

ମୁଣ୍ଡରେ ବ୍ୟାଗ ଓ ବସ୍ତା ବୋହି, ଚାଲି ଚାଲି ଘରକୁ ବାହାରିଛନ୍ତି ବାହାର ରାଜ୍ୟର ଶ୍ରମିକ । ଡହ ଡହ ଖରାରେ ପୂରା ପରିବାର ଆଗେଇ ଚାଲିଛି । ଛକ ପରେ ଛକ , ଗାଁ ପରେ ଗାଁ , ଜିଲ୍ଲା ପରେ ଜିଲ୍ଲା ଆସୁଛି, ଯାଉଛି । ତଥାପି ରାସ୍ତା ସରୁନି କି ବାଟ ବି କମୁନି । ଘରେ ପହଁଚିବାକୁ ପାଦ ସାଜିଛି ଭରସା । ପୁରୀରୁ ବାହାରିଥିବା ଏହି ଯାତ୍ରା ଝାଡଖଣ୍ଡରେ ସରିବ ।

ବିମାନ ଉଡୁନି, ବସ୍ ଗଡୁନି, ଟ୍ରେନ ବି ଚାଲୁନି । ୨୧ ଦିନର ତାଲାବନ୍ଦ ଯୋଗୁଁ ଘରମୁହାଁ ହୋଇଛନ୍ତି ଶ୍ରମିକ । ଅଖିଆ ଅପିଆ କଲିକତାରୁ ନୟାଗଡ ବାହାରିଛନ୍ତି ରାଜ୍ୟର କିଛି ଶ୍ରମିକ । କମ୍ପାନୀରେ ତାଲା ଝୁଲୁଛି । ସଂସ୍ଥା ବନ୍ଦ ହୋଇଯାଇଛି । ଏଭଳି ସ୍ଥିତିରେ ଘର ପରିବାର ଧରି ୨୧ ଦିନ ବସିବା ଅପେକ୍ଷା ଗାଁକୁ ପଳେଇବା ଭଳ । ଝାରସୁଗୁଡାରେ ଭୂଷଣ ଷ୍ଟିଲ ବନ୍ଦ ହୋଇଯିବା ପରେ ସେଠି କାମ କରୁଥିବା ଶ୍ରମିକ ସାଇକେଲରେ କେନ୍ଦୁଝର ଫେରୁଛନ୍ତି ।

ଶହ ଶହ ଶ୍ରମିକ ଘରମୁହାଁ ହେଉଥିବା ବେଳେ ଏପଟେ ଜିଲ୍ଲା ସିଲ୍ କରାଯାଉଛି । ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକ ଓ ଦିନ ମଜୁରିଆଙ୍କୁ ଜିଲ୍ଲା ଭିତରେ ପଶିବାକୁ ଅନୁମତି ଦିଆଯାଉନି ।