କନକ ବ୍ୟୁରୋ : ଆଜି ବିଶ୍ୱ ପଖାଳ ଦିବସ । କେବଳ ଦେଶ କିଂବା ରାଜ୍ୟ ନୁହଁ , ବିଦେଶରେ ମଧ୍ୟ ରହିଥିବା ପ୍ରବାସୀ ଓଡିଆ ପାଳନ କରୁଛନ୍ତି ପଖାଳ ଦିବସ । ଅଷ୍ଟ୍ରେଲିଆର ସିଡନୀରେ ପାଳନ ହୋଇଛି ପଖାଳ ଦିବସ । ମାରିଜୱାରେ ଥିବା ପ୍ରବାସୀ ଓଡିଆ ଏକାଠି ହୋଇ ଏହି ପଖାଳ ଦିବସକୁ ପାଳନ କରିଛନ୍ତି । ବିଦେଶ ମାଟିରେ ଏକାଠି ହୋଇ ସମସ୍ତ ଓଡିଆ ପଖାଳ ଖାଇବାର ସ୍ୱାଦ ନିଆରା ବୋଲି କହିଛନ୍ତି । ଏହି ଅବସରରେ ପଖାଳ, ଦହି, ବଡିଚୁରା ପରି ପାରମ୍ପରିକ ଓଡିଆ ଘରର ଖାଦ୍ୟକୁ ବିଦେଶରେ ଏକାଠି ଖାଇଥିଲେ ଓଡିଆ ମାନେ ।
ଓଡିଶାର ଖାଦ୍ୟ ପଖାଳର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି । ବିଶ୍ୱ ପଖାଳ ଦିବସ ଅବସରରେ ପ୍ରତ୍ୟେକ ଓଡିଆଙ୍କୁ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ପୁରୀ ବେଳାଭୂମିରେ ଏନେଇ ଏକ ସୁନ୍ଦର ବାଲୁକା ଚିତ୍ରକଳା କରିଛନ୍ତି । ବାଲିରେ ସେ ପଖାଳ, ବଡି ଚୁରା, ମାଛ ଭଜା ଓ ବିଭିନ୍ନ ପ୍ରକାର ଭଜାର ଅବିକଳ ପ୍ରତିକୃତି ବନାଇଛନ୍ତି । ଯାହାକି ଦେଖିବାକୁ ବହୁତ ସୁନ୍ଦର ହୋଇଛି ।