ଜୀବନ ବଞ୍ଚାଇବାକୁ ଫେରିଥିଲେ ଜନ୍ମମାଟି… ଭୋକର ଦାଉ ପୁଣି ପଠାଇଦେଲା ସୁରଟ । ଧାର କରଜରେ ବୁଡିଗଲା ପରେ ପରିବାର ପୋଷିବା ପାଇଁ ପୁଣି ଭିଟାମାଟି ଛାଡିଲେ ଶ୍ରମିକ

ପେଟର ତାଡନା ଛଡେଇ ନେଇଛି କରୋନାର ଭୟ

314

କନକ ବ୍ୟୁରୋ: ପେଟର ତାଡନା ଛଡେଇ ନେଇଛି କରୋନାର ଭୟ । ଭୂତାଣୁ ଭୟ ଭିତରେ ଘରଛାଡି ପୁଣି ଗୁଜୁରାଟ ମୁହାଁ ହୋଇଛନ୍ତି ପ୍ରବାସୀ ଶ୍ରମିକ । ଗଞ୍ଜାମରୁ ପୁଣି ସୁରଟକୁ ଶ୍ରମିକଙ୍କର ଲେଉଟାଣି ହୋଇଛି । କରୋନା ଭୟ ମଧ୍ୟରେ ଘରର ଅଭାବକୁ ଦୂର କରିବା ପାଇଁ ଏଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛନ୍ତି ଶ୍ରମିକ ।

କରୋନା ସଂକ୍ରମଣର ଭୟରେ ହଜାର ହଜାର ଶ୍ରମିକ ସୁରଟ ଛାଡି ଘରକୁ ଚାଲି ଆସିଥିଲେ । ଲକଡାଉନ, ସଟଡାଉନ ପ୍ରକ୍ରିୟା ଭିତରେ ୩-୪ ମାସ ଧରି ଗାଁରେ ବସି ରହିଲେ । ହେଲେ କାମଧନ୍ଦା ମିଳିଲା ନାହିଁ । ତେଣୁ ଧାର-ଉଧାର କରି ଘର ଚଳିଲା । ଆଉ ଏବେ କରଜ ଟଙ୍କା ସୁଝିବା ପାଇଁ ପୁଣି ମହାମାରୀ ଭୟକୁ ମନରେ ଧରି ସୁରଟ ଫେରିଯାଇଛନ୍ତି ଶ୍ରମିକ ।

ଦେଶରେ ଯେତେବେଳେ କରୋନା କାୟା ମେଲିଲା ସେତେବେଳେ ସଂକ୍ରମଣ ଭୟରେ ଏମାନେ ଘରକୁ ଫେରିଆସିଥିଲେ । ଯିଏ ଯେମିତି ପାରିଲା, ସେମିତି ଚାଲି ଆସିଥିଲେ ଗାଁକୁ । ହେଲେ ଜୀବନ ବିକଳରେ ଗୁଜୁରାଟରୁ ଜୀବିକାକୁ ଛାଡି ଗାଁକୁ ଚାଲି ଆସିଥିବା ପ୍ରବାସୀ ଶ୍ରମିକର ମାଟି ମୋହ ତୁଟିଛି । କାମ ଧନ୍ଦା ନପାଇ ପୁଣି ସେଇ କମ୍ପାନୀ ମାଲିକଙ୍କ କଥା ମାନି ଗୁଜୁରାଟ ଫେରିଯାଇଛନ୍ତି ଗଂଜାମ ଶ୍ରମିକ ।