କନକ ବ୍ୟୁରୋ: ପେଟର ତାଡନା ଛଡେଇ ନେଇଛି କରୋନାର ଭୟ । ଭୂତାଣୁ ଭୟ ଭିତରେ ଘରଛାଡି ପୁଣି ଗୁଜୁରାଟ ମୁହାଁ ହୋଇଛନ୍ତି ପ୍ରବାସୀ ଶ୍ରମିକ । ଗଞ୍ଜାମରୁ ପୁଣି ସୁରଟକୁ ଶ୍ରମିକଙ୍କର ଲେଉଟାଣି ହୋଇଛି । କରୋନା ଭୟ ମଧ୍ୟରେ ଘରର ଅଭାବକୁ ଦୂର କରିବା ପାଇଁ ଏଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛନ୍ତି ଶ୍ରମିକ ।
କରୋନା ସଂକ୍ରମଣର ଭୟରେ ହଜାର ହଜାର ଶ୍ରମିକ ସୁରଟ ଛାଡି ଘରକୁ ଚାଲି ଆସିଥିଲେ । ଲକଡାଉନ, ସଟଡାଉନ ପ୍ରକ୍ରିୟା ଭିତରେ ୩-୪ ମାସ ଧରି ଗାଁରେ ବସି ରହିଲେ । ହେଲେ କାମଧନ୍ଦା ମିଳିଲା ନାହିଁ । ତେଣୁ ଧାର-ଉଧାର କରି ଘର ଚଳିଲା । ଆଉ ଏବେ କରଜ ଟଙ୍କା ସୁଝିବା ପାଇଁ ପୁଣି ମହାମାରୀ ଭୟକୁ ମନରେ ଧରି ସୁରଟ ଫେରିଯାଇଛନ୍ତି ଶ୍ରମିକ ।
ଦେଶରେ ଯେତେବେଳେ କରୋନା କାୟା ମେଲିଲା ସେତେବେଳେ ସଂକ୍ରମଣ ଭୟରେ ଏମାନେ ଘରକୁ ଫେରିଆସିଥିଲେ । ଯିଏ ଯେମିତି ପାରିଲା, ସେମିତି ଚାଲି ଆସିଥିଲେ ଗାଁକୁ । ହେଲେ ଜୀବନ ବିକଳରେ ଗୁଜୁରାଟରୁ ଜୀବିକାକୁ ଛାଡି ଗାଁକୁ ଚାଲି ଆସିଥିବା ପ୍ରବାସୀ ଶ୍ରମିକର ମାଟି ମୋହ ତୁଟିଛି । କାମ ଧନ୍ଦା ନପାଇ ପୁଣି ସେଇ କମ୍ପାନୀ ମାଲିକଙ୍କ କଥା ମାନି ଗୁଜୁରାଟ ଫେରିଯାଇଛନ୍ତି ଗଂଜାମ ଶ୍ରମିକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/BHITA-MATI.jpg)